ମଙ୍ଗଳବାର ନୂଆପଡ଼ା ଭୋଟ୍ : ବୁଥ୍ ଅଭିମୁଖେ ପୋଲିଂ ପାର୍ଟି, ୩୫୮ ବୁଥ୍‌ରେ ପଡ଼ିବ ଭୋଟ୍

ମଙ୍ଗଳବାର-ନୂଆପଡ଼ା-ଭୋଟ୍-:-ବୁଥ୍-ଅଭିମୁଖେ-ପୋଲିଂ-ପାର୍ଟି,-୩୫୮-ବୁଥ୍‌ରେ-ପଡ଼ିବ-ଭୋଟ୍

ମଙ୍ଗଳବାର ନୂଆପଡ଼ା ଭୋଟ୍ : ବୁଥ୍ ଅଭିମୁଖେ ପୋଲିଂ ପାର୍ଟି, ୩୫୮ ବୁଥ୍‌ରେ ପଡ଼ିବ ଭୋଟ୍

Published By: Kirti – Prameya-News7 Bureau | November 10, 2025 11:05 AM

NEWS7

polling party

ନୂଆପଡ଼ା ୧୦।୧୧ : ନିର୍ବାଚନ ତାରିଖ ଘୋଷଣା ପରଠାରୁ କମ୍ପୁଥିବା ନୂଆପଡ଼ା ଏବେ ନିରବ ହୋଇଯାଇଛି। ମଙ୍ଗଳବାର ହେବ ମତଦାନ। ରବିବାର ସନ୍ଧ୍ୟାରୁ ପ୍ରଚାର ବନ୍ଦ ହୋଇଯାଇଛି। ଡେରା ପକାଇଥିବା ବାହାର ନେତା ଓ କର୍ମୀମାନେ ବି ନୂଆପଡ଼ା ଛାଡ଼ିଛନ୍ତି। ପ୍ରଶାସନ ପକ୍ଷରୁ ନିରବ ଅବଧି କଟକଣା ଲାଗୁ ହୋଇଛି।

ସେହିପରି ମତଦାନକୁ ସୁରୁଖୁରୁରେ ସାରିବା ପାଇଁ ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ପ୍ରସ୍ତୁତି ହୋଇଛି। ଇଭିଏମ୍ ଗୁଡ଼ିକର ଯାଞ୍ଚ କରାଯାଇଛି। ଇଭିଏମରେ କେମିତି ମତଦାନ କରାଇବେ ପୋଲିଂ ଅଧିକାରୀଙ୍କୁ ତାଲିମ ଦିଆଯାଇଛି। ଆଜି ବୁଥ୍ ଅଭିମୁଖେ ବାହାରିବେ ପୋଲିଂ ପାର୍ଟି। ରାଜ୍ୟରେ ପ୍ରଥମ ଥର ଲାଗି ସମ୍ବେଦନଶୀଳ ୮ଟି ବୁଥକୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟରରେ ଯିବେ ପୋଲିଂ ପାର୍ଟି। ନୂଆପଡ଼ାର ଅଢ଼େଇ ଲକ୍ଷ ଭୋଟର ନେତା ବାଛିବେ। ୧୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ମୋଟ ୩୫୮ ବୁଥ୍ ରେ ଭୋଟ ଗ୍ରହଣ କରାଯିବ। ୩୧୧ ବୁଥରେ ସକାଳ ୭ରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ ମତଦାନ ସମୟ ରହିଛି। ଅବଶିଷ୍ଟ ୪୭ ବୁଥରେ ସକାଳ ୭ରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ଅପରାହ୍ଣ ୪ରେ ସରିବ। ସୁରକ୍ଷାକୁ ଦେଖି ଅତି ସମ୍ବେଦନଶୀଳ ବୁଥ୍ ଗୁଡ଼ିକରେ ଅପରାହ୍ଣ ୪ଟାରେ ମତଦାନ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ନୂଆପଡ଼ା ସୁନାବେଡା ଅଞ୍ଚଳର ମାଓବାଦୀ ପ୍ରଭାବିତ ବୁଥ୍ ପାଇଁ ପୋଲିଂ ପାର୍ଟିକୁ ଭାରତୀୟ ବାୟୁସେନାର ବିମାନରେ ନିଆଯିବ । ଡିସ୍ପୋଜାଲ ସେଣ୍ଟରରେ ଅଛି ଇଭିଏମ ମେସିନ। ଆଜି ଏଠାରୁ ପୋଲିଂ ସେଣ୍ଟର ଯିବେ ପୋଲିଂ ଅଧିକାରୀ। ନୂଆପଡା ବିଧାନ ସଭାର ସର୍ବମୋଟ ଭୋଟର ସଂଖ୍ୟା ୨ଲକ୍ଷ ୫୩ ହଜାର ୬୨୪। ଏଥିରୁ ପୁରୁଷ ଭୋଟର ସଂଖ୍ୟା ୧ ଲକ୍ଷ ୨୪ ହଜାର ୧୦୮, ମହିଳା ଭୋଟର ସଂଖ୍ୟା ୧ ଲକ୍ଷ ୨୯ ହଜାର ୪୯୫ ଏବଂ ତୃତୀୟ ଲିଙ୍ଗୀ ଭୋଟର ସଂଖ୍ୟା ୨୧। ଭୋଟର୍ ମାନଙ୍କ ମଧ୍ୟରୁ ୮୫ ବର୍ଷରୁ ଉର୍ଦ୍ଧ୍ଵ ବରିଷ୍ଠ ନାଗରିକ ସଂଖ୍ୟା ୧୭୮୬, ନୂଆ ଭୋଟର୍ ୯୪୨୯ ଏଵଂ ଦିବ୍ୟାଙ୍ଗ ଭୋଟର୍ ୩୯୮୮ ଜଣ ଅଛନ୍ତି ।
 

Scroll to Top