C

c

କଟକ ସହରରେ ବିପଦସଙ୍କୁଳ କୋଠା ଓ ଏହାକୁ ହଟାଇବା ପ୍ରସଙ୍ଗ ପୁଣି ତାଜା ହୋଇଛି। ପୂର୍ବରୁ ଏ ଘଟଣାକୁ ନେଇ ଜିଲ୍ଲା ପ୍ରଶାସନ ସଚେତନ ଥିଲେ ବି ସେମାନଙ୍କ ଅବହେଳାରୁ ହିଁ ଏ ଅଘଟଣ ଘଟିଥିବା କୁହାଯାଉଛି।

author-image

Building Tragedy

Building Tragedy Photograph: (OTV)

କଟକ କୋଠା ଅଘଟଣରେ ଚାଲିଗଲା ପରିବାରର ୩ ପିଢ଼ିଙ୍କ ଜୀବନ। ଅନ୍ୟ କାହାର ଅବହେଳା ପାଇଁ ସବୁଦିନ ପାଇଁ ଦୁନିଆ ଛାଡ଼ି ଚାଲିଗଲେ ବାପ, ପୁଅ ଓ ୩ ବର୍ଷର ନାତି। ତେବେ ଏ ଘଟଣା ପରେ କଟକ ସହରରେ ବିପଦସଙ୍କୁଳ କୋଠା ଓ ଏହାକୁ ହଟାଇବା ପ୍ରସଙ୍ଗ ପୁଣି ତାଜା ହୋଇଛି। ପୂର୍ବରୁ ଏ ଘଟଣାକୁ ନେଇ ଜିଲ୍ଲା ପ୍ରଶାସନ ସଚେତନ ଥିଲେ ବି ସେମାନଙ୍କ ଅବହେଳାରୁ ହିଁ ଏ ଅଘଟଣ ଘଟିଥିବା କୁହାଯାଉଛି। ଏପଟେ କଟକ ଭଳି ଭୁବନେଶ୍ବରରେ ବି କିଛି କୋଠା ସେଭଳି ଅବସ୍ଥାରେ ଥିବାରୁ ଅସୁରକ୍ଷିତ କୋଠା ଅଭିଯାନ ତ୍ବରାନ୍ବିତ କରାଯିବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ।…

ମୁଣ୍ଡ ଉପରେ ଛକି ବସିଥିଲା ବିପଦସଙ୍କୁଳ ବାଲକୋନୀ ରୂପକ ଯମ। ଆଉ ତଳେ ଅସୁରକ୍ଷିତ ଅବସ୍ଥାରେ ମୃତ୍ୟୁକୁ ଯେମିତି ଅପେକ୍ଷା କରିଥିଲା ଜୀବନ। ଦୀର୍ଘ ଦିନର ଅବହେଳା, ଅଣଦେଖା ଆଉ ପ୍ରଶାସନିକ ଅପରାଗତାରୁ ମାତ୍ର କେଇ ସେକେଣ୍ଡରେ ଚାଲିଗଲା ୩ ଅମୂଲ୍ୟ ଜୀବନ। କଟକ ମଣିସାହୁ ଛକରେ ଗତକାଲିର ଅଘଟଣ ପରେ ଏବେ ସାମ୍ନାକୁ ଆସିଛି ସହରରେ ଅସୁରକ୍ଷିତ କୋଠାର ଏ ଦୟନୀୟ ରୂପ। ଟିକିଏ ଭଲ ଭାବେ ନଜର ପକାଇଲେ ଜଣାପଡୁଛି କୋଠାର ଅବସ୍ଥା ।

ପ୍ରାୟ 30 ବର୍ଷରୁ ଅଧିକ ପୁରୁଣା ଏ କୋଠା, ବୋଧହୁଏ ଅନେକ ବର୍ଷ ତଳୁ ଆଉ ମରାମତି ହୋଇନି। ଏ କୋଠାର କେଉଁଠି କାନ୍ଥର ଅବସ୍ଥା ଜରାଜୀର୍ଣ୍ଣ ତ ଆଉ କେଉଁଠି ବାଲକୋନି ଉପରେ ଗଛ ଉଠି ଜଙ୍ଗଲ ହେଲାଣି। ଏଭଳି ଅବସ୍ଥାରେ ଏ 5 ମହଲା କୋଠାରେ ଏବେ ବି ରହୁଛନ୍ତି ପ୍ରାୟ 25ରୁ 30 ପରିବାର। ତେବେ କାଲିର ଅଘଟଣ ପରେ କିଛି ଭଡ଼ାଟିଆ ଏ କୋଠା ଛାଡ଼ି ଅନ୍ୟତ୍ର ପଳାଇ ଯିବାକୁ ମନସ୍ଥ କରିଛନ୍ତି।…

ଥିଲା କି ୫ ମହଲାର ଅନୁମତି ?

କୁହାଯାଉଛି, ମଣି ସାହୁ ଛକରେ ଏ କୋଠା ପାଇଁ ମାତ୍ର ଗୋଟିଏ ମହଲାର ଅନୁମତି ଥିଲା। କିନ୍ତୁ ପରେ ବେଆଇନ୍ ଭାବେ ଗୋଟିଏ ପରେ ଗୋଟିଏ କରି ତିଆରି ହୋଇଥିଲା 5 ମହଲା। ସେପଟେ ସହରରେ ପୂର୍ବରୁ ଅସୁରକ୍ଷିତ କୋଠା ଭଳି ଉଦବେଗଜନକ ପ୍ରସଙ୍ଗରେ ସଚେତନ ଥିଲା ଜିଲ୍ଲା ପ୍ରଶାସନ। ଏଥିପାଇଁ ସହରରେ ଥିବା ୨୨୧ଟି ସରକାରୀ ଓ ବେସରକାରୀ ବିଲଡିଂ ବିପଦସଙ୍କୁଳ ଅବସ୍ଥାରେ ଦର୍ଶାଇ ଏହାକୁ ୩୧ ଅକ୍ଟୋବର ୨୦୨୫ ସୁଦ୍ଧା ଭାଙ୍ଗିବାକୁ ପୂର୍ବରୁ ଜିଲ୍ଲା ପ୍ରଶାସନ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲା। କିନ୍ତୁ ବାସ୍ତବରେ ଜିଲ୍ଲା ପ୍ରଶାସନ ସେଭଳି କୌଣସି ପ୍ରକ୍ରିୟା ଆରମ୍ଭ କରିନଥିବାରୁ, ଆଜି ଏଭଳି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି।…

କଟକରେ ଏ କୋଠା ଅଘଟଣ ପରେ ପୁଣି ଆରମ୍ଭ ହୋଇଛି ପ୍ରଶାସନିକ ଧାଁ ଦୌଡ଼। ସିଏମସି କମିଶନର ତଥା ସିଡିଏ ଅଧ୍ୟକ୍ଷଙ୍କ ନେତୃତ୍ବରେ ଏକ 4 ଜଣିଆ କମିଟି କରି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କଟକ ଜିଲ୍ଲାପାଳ। ଆସନ୍ତା 24 ଘଣ୍ଟାରେ ଏ ତଦନ୍ତ ରିପୋର୍ଟ ଦେବା ସହ ସହରର ଅନ୍ୟ ସମସ୍ତ ବିପଦସଙ୍କଳୁ କୋଠା ସମ୍ପର୍କରେ ରିପୋର୍ଟ ତଲବ କରିଛନ୍ତି।… 

କୋଠା ଅଘଟଣ ପରେ ଓଟିଭି କ୍ୟାମେରା ଟିମ୍ ଆଜି ସହରରେ କିଛି ଅଞ୍ଚଳରେ ପରଖିଥିଲା ପୁରୁଣା କୋଠାର ସ୍ଥିତି। ମାତା ମଠ ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟ ଓ କ୍ୟାଣ୍ଟନମେଣ୍ଟ ସରକାରୀ ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ବି ଭଲ ନାହିଁ । ଦୁଇଟି ସ୍ଥାନରେ କୋଠାର ଚିତ୍ର ଦେଖିବା ପରେ ପ୍ରଶାସନ ଏଠି କେତେ ତତ୍ପର, ତାହା ଜଳ ଜଳ ସାମ୍ନାକୁ ଆସିଛି।…

ରାଜଧାନୀ ଭୁବନେଶ୍ବରରେ ବି ସମାନ ଅବସ୍ଥା। ସମସ୍ତଙ୍କ ନଜର ଆଡୁଆଳରେ ମହାନଗରରେ ଏକାଧିକ କୋଠା ଜରାଜୀର୍ଣ୍ଣ ଅବସ୍ଥାରେ ଥିବାରୁ ଏହାକୁ ତୁରନ୍ତ ହଟାଇବାକୁ ଦାବି ଉଠିଛି। ସେପଟେ ଅସୁରକ୍ଷିତ କୋଠା ଭାଙ୍ଗିବା ପ୍ରକ୍ରିୟା ତ୍ବରାନ୍ବିତ କରାଯିବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ।… 

ଏବେ ପ୍ରଶ୍ନ, କଟକରେ ବିପଦସଙ୍କୁଳ କୋଠା ଭାଙ୍ଗି ଗୋଟିଏ ପରିବାରର ୩ ପିଢ଼ିର ଜୀବନ, ନିଶ୍ଚିହ୍ନ ହେବା ପଛରେ ଭୁଲ କାହାର। ଏମାନଙ୍କ ଜୀବନହାନୀ ପାଇଁ କାହାକୁ ଦାୟୀ କରାଯିବ।…

Scroll to Top