ଚିକେନ୍, ବିରିୟାନୀ, ପନୀର, ମସରୁମ୍, ଚାଟ୍… ବାଲିଯାତ୍ରାରେ ଏସବୁ ଚଟପଟା ଖାଦ୍ୟ ଖାଇବା ପାଇଁ ଲୋକଙ୍କ ଭିଡ଼ ଜମୁଛି । କିନ୍ତୁ ଆଜି ରେଡରେ ବାହାରିଛି ପୁଳା ପୁଳା ବାସି ଖାଦ୍ୟ । ଭଣ ଭଣ ଗନ୍ଧଉଛି । ଢଳା ହେଉଛି ହଣ୍ଡା ହଣ୍ଡା ରାବିଡି ।
/odishatv-khabar/media/media_files/2025/11/08/baliyatra-food-raid-2025-11-08-16-21-19.jpg)
Baliyatra-Food-Raid Photograph: (OTV)
ଚିକେନ୍, ବିରିୟାନୀ, ପନୀର, ମସରୁମ୍, ଚାଟ୍… ବାଲିଯାତ୍ରାରେ ଏସବୁ ଚଟପଟା ଖାଦ୍ୟ ଖାଇବା ପାଇଁ ଲୋକଙ୍କ ଭିଡ଼ ଜମୁଛି । କିନ୍ତୁ ଆଜି ରେଡରେ ବାହାରିଛି ପୁଳା ପୁଳା ବାସି ଖାଦ୍ୟ । ଭଣ ଭଣ ଗନ୍ଧଉଛି । ଢଳା ହେଉଛି ହଣ୍ଡା ହଣ୍ଡା ରାବିଡି । କୋଉଠି ସସ୍ ଓ ଦହିର ଏକ୍ସପାରୀ ଡେଟ୍ ପଳାଇଲାଣି ତ ଆଉ କୋଉଠି ଖାଦ୍ୟ ପଚିସଢି ଗଲାଣି । ଏହାକୁ ଖାଇଲେ ଦେହ ଖରାପ ହେବାଟା ଥୟ ! ଫୁଡ୍ ପଏଜନିଂ ନହେଲେ ଗ୍ୟାଷ୍ଟ୍ରିକ କି ଝାଡାବାନ୍ତି । ବାଲିଯାତ୍ରାରେ ଅସାଧୁ ବ୍ୟବସାୟୀମାନେ ଏମିତି ଅସ୍ୱାସ୍ଥ୍ୟକର ଖାଦ୍ୟ ବିକୁଥିବା ବେଳେ ଆଜି ମାଡିବସିଛି CMC ।
ପୋଡା ମୋବିଲ ଭଳି ଖାଇବା ତେଲ । ଏଇଥିରେ ଛଣା ହେଉଥିବା ଖାଦ୍ୟକୁ ପରଷା ଯାଉଥିଲା ଲୋକଙ୍କୁ । ବାସି ଖାଦ୍ୟ ସହ ଏଥିରେ ମିଶାଯାଉଛି କ୍ୟାନ୍ସର ସୃଷ୍ଟିକାରୀ କୃତ୍ରିମ ରଙ୍ଗ । କଟକ ବାଲିଯାତ୍ରାରେ ନିମ୍ନମାନର ଖାଦ୍ୟ ବିକ୍ରି କରୁଥିବା ଅଭିଯୋଗରେ ଆଜି ବଡ଼ ଧରଣର ରେଡ୍ କରିଛି ସିଏମସି ଫୁଡ୍ ସେଫ୍ଟି ବିଭାଗ ।
ବିଭିନ୍ନ ଷ୍ଟଲକୁ ଯାଞ୍ଚ କରି ବାସି ଓ ଖରାପ ହୋଇଯାଇଥିବା ଖାଦ୍ୟ ସାମଗ୍ରୀକୁ ଜବତ କରାଯାଇଛି । ପନିର, ଚିକେନ୍, ରାବିଡ଼ି ଭଳି ବିଭିନ୍ନ ଖାଦ୍ୟ ବାସି ହୋଇଯିବା ପରେ ବି ଦୋକାନରେ ରଖାଯାଇଥିଲା। ପୋଡ଼ା ତେଲ ଓ ବ୍ୟବହାର ହୋଇସାରିଥିବା ଖାଦ୍ୟକୁ ପୁଣି ଆଜି ବ୍ୟବହାର କରିବା ପାଇଁ ରଖିଥିଲେ ଅନେକ ଦୋକାନୀ । କଟକ ମହାନଗର ନିଗମ ପକ୍ଷରୁ ଚଢ଼ାଇ କରାଯାଇ ସେ ସବୁ ଷ୍ଟଲରୁ ଖାଦ୍ୟକୁ ନଷ୍ଟ କରିଛି । କିଛି ନିୟମ ଖିଲାପକାରୀଙ୍କ ବିରୋଧରେ ମୋଟା ଅଙ୍କର ଫାଇନ୍ ବି କଟିଛି।
ଆଜି ବାଲିଯାତ୍ରାରେ ୫୦ରୁ ଊର୍ଦ୍ଧ୍ବ ଷ୍ଟଲ୍ ଯାଞ୍ଚ କରିବା ସହ ଗୋଟିଏ ଫୁଡ୍ ଷ୍ଟଲ୍କୁ ସିଲ୍ କରିଛି ଫୁଡ୍ ସେଫ୍ଟି ବିଭାଗ । ଏଣିକି ଥରକୁ ଥର ନିମ୍ନମାନର ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ବିକ୍ରି କରୁଥିବା ଷ୍ଟଲ୍ ଉପରେ ହେବ ଆକ୍ସନ୍ । ବାରମ୍ବାର ଅପମିଶ୍ରଣ ଖାଦ୍ୟ ବିକ୍ରି ଧରାପଡ଼ିଲେ ଆସନ୍ତା ବର୍ଷରୁ ବାଲିଯାତ୍ରାରେ ଆଉ ଷ୍ଟଲ୍ ପକାଇବାକୁ ଅନୁମତି ମିଳିବନି ବୋଲି କହିଛନ୍ତି ସିଏମସି ଅଧିକାରୀ ।




