କାନପୁର : ଉତ୍ତର ପ୍ରଦେଶର କାନପୁରରେ ଘଟିଛି ଏକ ଅଭାବନୀୟ ଘଟଣା। ଗଙ୍ଗା ବ୍ୟାରେଜ୍ରେ ଗୁରୁବାର ଚାରି ଯୁବକଙ୍କ ଦ୍ୱାରା ବାଇକ୍ ଷ୍ଟଣ୍ଟ କରିବା କାରଣରୁ ୨୩ ବର୍ଷିୟ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ପୀଡ଼ିତା ଭାବିକା ଗୁପ୍ତା ଗୁରୁବାର ସନ୍ଧ୍ୟାରେ ତାଙ୍କ ସାଙ୍ଗଙ୍କ ସହ ସ୍କୁଟରରେ ବ୍ୟାରେଜ୍କୁ ଯାଇଥିଲେ। ତାଙ୍କ ପରିବାର କହିଥିଲେ ଯେ, ସେ ବ୍ୟାରେଜ୍ ଠାରୁ କିଛି ମିଟର ଦୂରତାରେ ଥିଲେ। ସେତେବେଳେ ଦୁଇଟି ବାଇକ୍ରେ ଚାରି ଜଣ ଯୁବକ ଦ୍ରୁତ ଗତିରେ ଆସିଥିଲେ ଏବଂ ସେ ମଧ୍ୟରୁ ଗୋଟିଏ ତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲା। ଭାବିକା ଅତି କମ୍ରେ ୫୦ ମିଟର ଯାଏ ଘୋଷାଡ଼ି ହୋଇ ଚାଲିଯାଇ ଥିଲେ। ସେ ଆହୁରି କହିଥିଲେ , ବାଇକ୍ର ଗତି ୧୧୦ କିଲୋମିଟର ପ୍ରତି ଘଣ୍ଟା ଥିଲା। ଭାବିକାଙ୍କ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା।
ଯୁବକମାନେ ଏକ ସ୍ପୋର୍ଟ୍ସ ବାଇକ୍ ଛାଡ଼ି ଫେରାର ହୋଇଥିଲେ। ଗାଡ଼ିରେ ବୃଜେଶ ନିଷାଦ ନାମକ ଜଣେ ବ୍ୟକ୍ତିଙ୍କ ସୋସିଆଲ ମିଡ଼ିଆ ସୂଚନା ଥିଲା। ଯାଞ୍ଚ କରିବା ପରେ ,ସ୍ପୋର୍ଟସ୍ ବାଇକ୍ରେ ବସିଥିବା ଜଣେ ଯୁବକଙ୍କର ଫଟୋ ମିଳିଥିଲା। ପୋଷ୍ଟର ତଳେ କିଛି ଟିପ୍ପଣୀ ଲେଖା ଥିଲା ,ଯେଉଁଥିରେ ପଚରା ଯାଇଥିଲା ଯେ, ଗଙ୍ଗା ବ୍ୟାରେଜ୍ ଉପରେ ହୋଇଥିବା ଦୁର୍ଘଟଣା ପରେ ସେ (ବୃଜେଶ) କଣ ବଞ୍ଚି ଥିଲେ ? ପୁଲିସ ଅଭିଯୁକ୍ତଙ୍କ ତଲାସରେ ଲାଗି ପଡ଼ିଛି।




