ଶିକ୍ଷାର ମାନ ବଢ଼ାଇବାକୁ ଅନେକ ଯୋଜନା ପ୍ରସ୍ତୁତ ହେଉଛି। ହେଲେ ତାହା ଗ୍ରାଉଣ୍ଡରେ କେତେ ପରିମାଣରେ ଲାଗୁଛି ? ଏମିତି ବି ଗାଁ ଅଛି ଯେଉଁଠି ଗୋଟିଏ ମାତ୍ର ଅଙ୍ଗନବାଡ଼ି ଉପରେ ନିର୍ଭର କରନ୍ତି ସାରା ଗାଁର ପିଲାଏ। ଆଉ ସେଇ ଗୋଟିଏ ମାତ୍ର ଅଙ୍ଗନବାଡ଼ିର ଅବସ୍ଥା ଅତି ଦୟନୀୟ, ଅତି ଶୋଚନୀୟ, ଅତି ବିପଦପୂର୍ଣ୍ଣ। କେତେବେଳେ ଯେ କଣ ହେବ ତାହା କହିବା ମୁସ୍କିଲ୍।
Credit: OTV
anganwadi centre
ଅଙ୍ଗନବାଡି କେନ୍ଦ୍ରର ଛାତରୁ ଖସି ଗଲାଣି ସିମେଣ୍ଟ । ଦେଖାଯାଉଛି ଲୁହା ରଡ୍। ଚଟାଣ ଦେଖାଯାଉଛି ‘ମୋତ୍ କା କୁଆଁ’ ପରି । ଏଭଳି ବିପଦ ସଂକୁଳ ଅବସ୍ଥାରେ ବସି ପାଠ ପଢୁଛନ୍ତି କୁନି କୁନି ପିଲାଏ। ଏହା ହେଉଛି ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ସୁନାଖଣ୍ଡି ଗାଁର ଅଙ୍ଗନବାଡ଼ି କେନ୍ଦ୍ରର ଅବସ୍ଥା। ଏ ସମସ୍ୟା ଦିନେ କି ଦୁଇ ଦିନର ନୁହେଁ ବର୍ଷ ବର୍ଷ ଧରି କୋଠାର ଅବସ୍ଥା ଏଭଳି। ତଥାପି କାହାରି ଯେପରି ନଜର ପଡୁନି ୟା ଉପରେ। ବର୍ଷା ହେଲେ ଛାତରୁ ପାଣି ଗଳୁଛି।କେତେବେଳେ ବି ଛାତ ଭୁଶୁଡ଼ି ପଡିବ ତାହା ଆଶଙ୍କା କରି ଅଙ୍ଗନବାଡ଼ି କର୍ମୀ ଓ ପିଲା ମାନେ ବାହାରେ ବାରଣ୍ଡାରେ ବସି ପାଠ ପଢୁଛନ୍ତି।
୨୦୦୭ ମସିହାରେ ନିର୍ମାଣ ହୋଇଥିଲା ଏହି ଅଙ୍ଗନବାଡି କୋଠା। ନିର୍ମାଣ ହେବାର କିଛି ବର୍ଷ ପରେ କୋଠାଟି ଭାଙ୍ଗି ରୁଜି ଯାଇଛି। କବାଟ ଝରକା ମଧ୍ୟ ଭାଙ୍ଗି ଗଲାଣି। ଅସୁରକ୍ଷିତ ଅବସ୍ଥାରେ ପିଲା ମାନେ ପାଠ ପଢ଼ୁଥିବା ବିଭାଗୀୟ ଅଧିକାରୀଙ୍କୁ ଜଣାଇଛନ୍ତି ଅଙ୍ଗନବାଡି କର୍ମୀ।ବହୁ ଥର ଅଭିଯୋଗ କରିବା ପରେ ବି କେହି ଶୁଣୁନଥିବା ଅଭିଯୋଗ ହୋଇଛି। ନୂତନ କୋଠା ଶୀଘ୍ର ନିର୍ମାଣ ନକରାଗଲେ କାଲି ବଡ଼ ଅଘଟଣ ଯେ ନଘଟିବ ତାକୁ କିଏ ଏଡ଼ାଇ ପାରେ। ଭଞ୍ଜନଗର ଉପଜିଲ୍ଲାପାଳ କହିଛନ୍ତି, ଖୁବଶୀଘ୍ର ନୂତନ କୋଠା ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
Also Read
ଛୋଟ ପିଲା ଭଲରେ ପଢ଼ିଲେ ହିଁ ଗଢ଼ିବେ ଆଗାମୀ ଭବିଷ୍ୟତ। ହେଲେ ଏଠି ଶିକ୍ଷାର ମାନ ଗଢ଼ିବା ପୂର୍ବରୁ ଅଙ୍ଗନବାଡ଼ି କେନ୍ଦ୍ରର ମାନ ସଜାଡ଼ିବା ଜରୁରୀ।
ଅଧିକ ପଢ଼ନ୍ତୁ: ହାଇୱେ ଡକାୟତି ଯୋଜନା ଭଣ୍ଡୁର, ୮ ଜଣଙ୍କୁ ଗିରଫ କଲା ପୋଲିସ
- Reported by:
- Rajesh Kumar Panda





