ଜାକାର୍ତ୍ତା ୭।୧୧: ଇଣ୍ଡୋନେସିଆ ରାଜଧାନୀ ଜାକାର୍ତ୍ତାସ୍ଥିତ ଷ୍ଟେଟ୍ ସିନିୟର ହାଇସ୍କୁଲ ୭୨ର ମସଜିଦରେ ଶୁକ୍ରବାର ନମାଜ କାଳରେ ବିସ୍ଫୋରଣ ହୋଇଛି। ଫଳରେ ୫୪ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅଧିକାଂଶ ସ୍କୁଲ ଛାତ୍ର ଓ ଶିକ୍ଷତ ଥିବା ଜଣାପଡିଛି। ଏହି ବିସ୍ଫୋରଣ ମଧ୍ୟାହ୍ନ ପ୍ରାୟ ସାଢେ ୧୨ଟା ବେଳେ କେଲାପା ଗାଡିଂ କ୍ଷେତ୍ର ନୌସେନା ପରିସରରେ ହୋଇଛି। ତେବେ ବିସ୍ଫୋରଣର କାରଣ ସମ୍ପର୍କରେ ଜଣା ପଡିନଥିବା ଅଧିକାରୀ କହିଛନ୍ତି।
ସୂଚନା ଅନୁସାରେ ବିସ୍ଫୋରଣ ମସଜିଦ ମୁଖ୍ୟ ହଲର ପଛପଟେ ହୋଇଛି। ଫଳରେ ଲୋକେ ଜୀବନ ବଞ୍ଚାଇବା ପାଇଁ ଯିଏ ଜୁଆଡ଼େ ପଳାଇଯିବା ବେଳେ ଅନେକ ଦଳାଚକଟାରେ ଆହତ ହୋଇଛନ୍ତି। ବିଦ୍ୟାଳୟର ଗଣିତ ଶିକ୍ଷକ ବୁଦି ଲକ୍ସୋନୋ କହିଛନ୍ତି ଯେ ତକରୀବ ଆରମ୍ଭ ହେବାମାତ୍ରେ ଅଚାନକ ଜୋରଦାର ବିସ୍ଫୋରଣ ହୋଇଥିଲା। ଦେଖୁ ଦେଖୁ ମସଜିଦ୍ ଭିତର ଧୂଆଁରେ ଭରି ଯାଇଥିଲା। ଫଳରେ ପିଲା ଭୟରେ ମସଜିଦରୁ ବାହାରି ପଳାଇଥିଲେ।
Breaking News !!!
Terjadi ledakan didalam Masjid di SMAN 72 yg berlokasi di Komplek Kodamar TNI AL, Kelapa Gading, Jakarta Utara sekitar jam 12.30 tadi
8 Siswa mengalami luka2 sampai berdarah atas peristiwa ini pic.twitter.com/ILpPTlh1FW
— Khatulistiwa Indonesia (@Meta80ki) November 7, 2025
କାଚ ଖଣ୍ଡ ଦେହରେ ଗଳିଯିବା ଯୋଗୁ ଅଧିକାଂଶ ଆହତ ହୋଇଛନ୍ତି। ସମସ୍ତଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ଲାଗି ଗାଡିଂ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ପରେ ନୌସେନା ଓ ଜାକାର୍ତ୍ତା ପୋଲିସ ଅଞ୍ଚଳକୁ ଘେରାଉ କରି ରଖିଛନ୍ତି। ପ୍ରାଥମିକ ଯାଞ୍ଚରୁ ବିସ୍ଫୋରଣର କାରଣ ପୁଷ୍ଟି ହୋଇ ପାରି ନାହିଁ। ଅଧିକାରୀ ବିଜୁଳି ସର୍ଟସର୍କିଟ ଅଥବା କୌଣସି ଇଲେକ୍ଟ୍ରୋନିକ ଉପକରଣ ଖରାପ ହେବା ଯୋଗୁ ବିସ୍ଫୋରଣ ହୋଇଥାଇପାରେ ବୋଲି ସନ୍ଦେହ କରୁଛନ୍ତି।
ତେବେ ଘଟଣାସ୍ଥଳରୁ କିଛି ସନ୍ଦିଗ୍ଧ ଜିନିଷ ଯେପରି ଏକ ଘରୋଇ ବିସ୍ଫୋରକ ଉପକରଣ, ରିମୋଟ କଣ୍ଟ୍ରୋଲ, ଏୟାରସଫ୍ଟ ଓ ରିଭଲଭର ଭଳି ଅସ୍ତ୍ରର ଯନ୍ତ୍ରପାତି ଜବତ ହୋଇଛି। ମାମଲାର ଯାଞ୍ଚ ଜାରି ଥିବା ପୋଲିସ କହିଛି। ଜବତ ହୋଇଥିବା ସାମଗ୍ରୀକୁ ଫରେନସିକ୍ ଓ ବୋମା ନିରୋଧକ ବିଶେଷଜ୍ଞଙ୍କ ଦ୍ୱାରା ବିସ୍ତୃତ ଯାଞ୍ଚ କରାଯିବ। ପୋଲିସ ଘଟଣା ସ୍ଥଳରୁ କେତେକ ବନ୍ଧୁକ, ଗୁଳି ଓ ବିସ୍ଫୋରକ ଜବତ କରିଛି।




