ନୂଆପଡ଼ା ୭।୧୧: ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ଭୋଟ୍ ମାଗିଛନ୍ତି ନବୀନ । ପ୍ରଥମେ ରୋଡ୍ ଶୋ’ ପରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇଛନ୍ତି ବିଜେଡି ସୁପ୍ରିମୋ । ଏହି ସଭାରେ ସାଧାରଣ ନିର୍ବାଚନ ବେଳେ ସରକାରୀ ଦଳ ଦେଇଥିବା ପ୍ରତିଶ୍ରୁତିକୁ ନେଇ ଟାର୍ଗେଟ୍ କଲେ ନବୀନ ।
ନବୀନ କହିଛନ୍ତି, ରାଜୁ ଭାଇଙ୍କୁ ମୋ କ୍ୟାବିନେଟ୍ରେ ମନ୍ତ୍ରୀ କରିଥିଲି । ନୂଆପଡ଼ାର ବିକାଶରେ ସହଯୋଗ କରିଥିଲି । ବିଜେଡ଼ି କଥାରେ ନୁହେଁ କାମରେ ବିଶ୍ୱାସ କରେ । ନୂଆପଡ଼ାରେ ବିଜୁ ଏକ୍ସପ୍ରେସ୍ ଓ୍ବେ, ଜଳସେଚନ, ସ୍ୱାସ୍ଥ୍ୟ, ଶିକ୍ଷା, ଆଦିବାସୀ କଲ୍ୟାଣରେ ବିକାଶ ହେଉଥିଲା କିନ୍ତୁ ଏବେ ସବୁ ବନ୍ଦ । ଏବେ ବିକାଶ ହେଉନି । ମିଥ୍ୟା ପ୍ରତିଶ୍ରୁତିରେ ସରକାର ଚଳେନି । ୫୦୦ ଦିନରେ ସରକାର କ’ଣ କରିଛନ୍ତି । ୩୦୦ ୟୁନିଟ ବିଜୁଳି ମିଳିଲା କି ? ଚାଷୀଙ୍କୁ ୟୁରିଆ ମିଳିଲା କି ? ଯୁବକଙ୍କୁ ନିଯୁକ୍ତି, କଟନୀ ଛଟନୀ ବନ୍ଦ ହେଲା କି ? ତେବେ କ’ଣ ମିଳିଲା, ମିଳିଲା ତ କେବଳ ଧୋକା, ଡବଲ ଧୋକା ।
ଗତ ୩ ତାରିଖରେ କୋମନା ଆସିଥିଲି । ଲୋକ ଯେମିତି ଅଧିକ ନ ହେବେ, ସବୁ ପ୍ରକାର ଚେଷ୍ଟା କରିଥିଲେ । ଲୋକ ଭାରି ସଂଖ୍ୟାରେ ଆସିଲେ । ସେଥିପାଇଁ କୋମନା ଭୋଟରଙ୍କୁ ଧନ୍ୟବାଦ । ପ୍ରାର୍ଥୀ ଚୋରି କରିବେ ଭୋଟରଙ୍କ ହୃଦୟ ଜିତିପାରିବେନି । କୋମନାରେ ଭୋଟରଙ୍କ ମନରେ ଯେଉଁ ଦୁଃଖ ଆକ୍ରୋଶ ଥିଲା ତାହା ଆଜି ବି ଦେଖିପାରୁଛି । ଆପଣଙ୍କ ଏବଂ ମୋ ସହିତ ବେଇମାନି ହୋଇଛି ବୋଲି ନବୀନ କହିଛନ୍ତି ।




