ନୂଆପଡ଼ା ୬।୧୧: ନୂଆପଡ଼ା ଉପନିର୍ବାଚନ ପ୍ରଚାର ଆଉ ମାତ୍ର ୪ ଦିନ । ଭୋଟରଙ୍କ ନିକଟରେ ପହଞ୍ଚିବାକୁ ସବୁଦଳର ପ୍ରାର୍ଥୀ ଓ ନେତାଙ୍କ ଜୋରଦାର କସରତ । ଏହାସାଙ୍ଗକୁ ହେଭିଓ୍ବେଟ୍ଙ୍କୁ ମୈଦାନକୁ ଓହ୍ଲାଇ ଭୋଟ୍ ହାତେଇବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ବିଜେପି, ବିଜେଡି ଓ କଂଗ୍ରେସ । ଶୁକ୍ରବାର ନୂଆପଡ଼ା ଆସିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏ ନେଇ ବରିଷ୍ଠ ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ ସୂଚନା ଦେଇଛନ୍ତି ।
ଖରିଆର ରୋଡ଼, ନୂଆପଡ଼ା ଏନଏସି ଓ ନୂଆପଡ଼ା ବ୍ଲକକୁ ଆସିବେ ନବୀନ । ଦିନ ୧୧ଟାରେ ଖରିଆର ରୋଡ଼ ପୋଲିସ ଷ୍ଟେସନ ପଡିଆରେ ପହଞ୍ଚିବା ପରେ ନୂଆପଡ଼ା ପର୍ଯ୍ୟନ୍ତ ରୋଡ୍ ଶୋ’ରେ ଆସିବେ ନବୀନ । ଖରିଆର ରୋଡ୍ର ଡାଗାର ଛକ, ବିଜୁ ପଟ୍ଟନାୟକ ଛକ ଓ ଲକ୍ଷ୍ମୀ ନାରାୟଣ ପତି ଛକରେ ଲୋକଙ୍କୁ ଉଦବୋଧନ ଦେବେ ନବୀନ । ତା ପରେ ରୋଡ୍ ଶୋ’ରେ ନୂଆପଡ଼ା ଆଡ଼କୁ ଆସିବେ ନବୀନ ।
ନୂଆପଡ଼ାର ସୂର୍ଯ୍ୟନଗର, ଗାୟତ୍ରୀ ମନ୍ଦିର ଛକ ଓ ଏକତା ଛକରେ ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେବେ । ଦିନ ୩ଟାରେ ପାରକୋଡ଼ରେ ସାଧାରଣ ସଭାରେ ଲୋକଙ୍କୁ ଉଦବୋଧନ ଦେବେ । କୋମନା ସଭା ସଫଳ ହେବା ପରେ ନବୀନଙ୍କ ରୋଡ୍ ଶୋ’ସଫଳ ହେବ ବୋଲି କୁହାଯାଇଛି ।
ସେପଟେ ବିଜେପି ସରକାରଙ୍କ ଓଡ଼ିଶା ଓ ନୂଆପଡ଼ାବାସୀଙ୍କ ପ୍ରତି ଅବହେଳାର ଜବାବ ଦେବେ ଲୋକେ ବୋଲି କୁହାଯାଇଛି । ହକ୍ ଛଡ଼ାଇବା ପାଇଁ ଯେଉଁ ଚକ୍ରାନ୍ତ ହୋଇଛି ତାର ଜବାବ ଦେବେ ନୂଆପଡ଼ାବାସୀ ।




