ଭୋଟିଂ ବେଳେ ଉପମୁଖ୍ୟମନ୍ତ୍ରୀଙ୍କ କନଭୟକୁ ଆକ୍ରମଣ: ଟେକାପଥର ମାଡ ସହ ଫିଙ୍ଗିଲେ ଗୋବର ଓ ଚପଲ
Published By: Avinash – Prameya-News7 Bureau | November 06, 2025 04:50 PM
NEWS7

ପାଟନା: ବିହାର ନିର୍ବାଚନରେ ଉପମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମଣ ହୋଇଛି। ଲଖିସରାଇ ଜିଲ୍ଲାରେ ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନାଙ୍କ କନଭୟ ଉପରେ କିଛି ଲୋକ ଟେକା ପଥର ମାଡ଼ କରିବା ସହିତ ଗୋବର ଏବଂ ଚପଲ ଫିଙ୍ଗିଛନ୍ତି। ଆଉ ବିଜେପି ଏହି ଆକ୍ରମଣ ପାଇଁ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) କୁ ଦାୟୀ କରିଛି।
ଶ୍ରୀ ସିହ୍ନା ଲଖିସରାଇ ଆସନରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଏଥର ମଧ୍ୟ ସେ ଲଖିସରାଇରୁ ବିଧାନସଭା ନିର୍ବାଚନରେ ଲଢ଼ୁଛନ୍ତି। ଏହି ଆକ୍ରମଣ ପଛରେ ଆର୍ଜେଡି ରହିଛି ବୋଲି ଶ୍ରୀ ସିହ୍ନା ଦାବି କରିବା ସହିତ ଖୋରିଆରି ଗାଁକୁ ତାଙ୍କର ଗସ୍ତକୁ ବାଧା ଦେବାକୁ ଚେଷ୍ଟା କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି।
କ୍ୟାମେରାରେ କଏଦ ହୋଇଥିବା ଭିଜୁଆଲ୍ରେ ସିହ୍ନାଙ୍କ ଗାଡ଼ିକୁ କିଛି ଲୋକ ଘେରି ରହିଥିବା ଏବଂ ସ୍ଲୋଗାନ ଦେଇ ତାଙ୍କ କନଭୟ ଅଟକାଉଥିବା ଦେଖିବାକୁ ମିଳୁଛି। ଅନେକ ଲୋକଙ୍କୁ ‘ମୁର୍ଦାବାଦ‘ ସ୍ଲୋଗାନ ଦେବା ସହ ଗାଁରେ ପ୍ରବେଶ କରାଇ ଦେଇ ନଥିଲେ। ଏନେଇ ଶ୍ରୀ ସିହ୍ନା ଏଏନ୍ଆଇକୁ ପ୍ରତିକ୍ରିୟା ଦେଇ କହିଛନ୍ତି “”ଏମାନେ ଆରଜେଡିର ଗୁଣ୍ଡା। ଏମାନେ ଜାଣନ୍ତି ଯେ ଏନଡିଏ କ୍ଷମତାକୁ ଫେରିବ। ସେଥିପାଇଁ ସେମାନେ ଗୁଣ୍ଡାଗିରି କରିଛନ୍ତି। ସେମାନେ ମୋର ପୋଲିଂ ଏଜେଣ୍ଟଙ୍କୁ ଫେରାଇ ଦେଇଥିଲେ ଏବଂ ତାଙ୍କୁ ଭୋଟ ଦେବାକୁ ଦେଇ ନଥିଲେ। ଖୋରିଆରିର ୪୦୪ ଏବଂ ୪୦୫ ବୁଥରେ ସେମାନଙ୍କର ଆଚରଣ ଦେଖନ୍ତୁ।”
ସିହ୍ନା ଜିଲ୍ଲା ପୋଲିସକୁ କାପୁରୁଷ ଏବଂ ଦୁର୍ବଳ ବୋଲି କହିବା ସହିତ କେନ୍ଦ୍ରୀୟ ବାହିନୀ ନିୟୋଜିତ କରିବାକୁ ଦାବି କରିଛନ୍ତି ଓ ସେହି ଗାଁରେ ସେ ପ୍ରତିବାଦ କରିବାକୁ ଯୋଜନା କରୁଛନ୍ତି ବୋଲି କହିଛନ୍ତି। ସେପଟେ ପୋଲିସ କହିଛି ଯେ ସ୍ଥାନୀୟ ଲୋକମାନେ ପ୍ରତିବାଦ କରିଥିଲେ। ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଛି।
ଏହି ଘଟଣାର ପ୍ରତିକ୍ରିୟା ଦେଇ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି ଯେ କାହାକୁ ଆଇନ ଶୃଙ୍ଖଳା ଭଙ୍ଗ କରିବାକୁ ଦିଆଯିବ ନାହିଁ। ଦୁର୍ବୃତ୍ତମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିହାର ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।




