ଉମରକୋଟ ୫।୧୧: ବିନା ସରକାରୀ ନିୟମ ଅନୁଯାୟୀ ଶିଶୁ ପୁତ୍ରକୁ ପୋଷ୍ୟ ଭାବେ ଗ୍ରହଣ କରିବା ଦମ୍ପତିଙ୍କୁ ମହଙ୍ଗା ପଡିଛି । ଶିଶୁକୁ ଉଦ୍ଧାର କରି ଚାଇଲ୍ଡ ଲାଇନ ପକ୍ଷରୁ ଦମ୍ପତିଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି ।
ସୂଚନାଯୋଗ୍ୟ ଯେ, ନବରଙ୍ଗପୁର ଜିଲ୍ଲା ଉମରକୋଟ ଗୁଲିପାଟଣା ଅଞ୍ଚଳର ଦମ୍ପତି ଏକ ଶିଶୁ ପୁତ୍ରକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ । ତେବେ ୧୧ ଦିନର ଶିଶୁ ପୁତ୍ରର ସ୍ୱାସ୍ଥ୍ୟ ଖରାପ ହେବାରୁ ଚିକିତ୍ସା ପାଇଁ ଉମରକୋଟ ମେଡ଼ିକାଲରେ ୪ ଦିନ ହେବ ଭର୍ତ୍ତି କରିଥିଲେ । ଡ଼ାକ୍ତରଖାନାରେ ଡାକ୍ତର ଶିଶୁର ଜନ୍ମ ତାରିଖ, ଟୀକାକରଣ ତାରିଖ, ମା’ର ନାମ ଆଦି ପଚାରିଥିଲେ । କାହାର ଶିଶୁ ପୁତ୍ର ତାହା ମଧ୍ୟ ଦମ୍ପତି କହିନଥିଲେ । ଫଳରେ ସ୍ୱାସ୍ଥ୍ୟ କର୍ମଚାରୀ ସନ୍ଦେହ କରି ଘଟଣା ବିଷୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଜଣାଇବା ପରେ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ସୂଚନା ଦେଇଥିଲେ ।
ଜିଲ୍ଲାପାଳ ଡ. ମହେଶ୍ବର ସ୍ବାଇଁଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇବା ପରେ ତୁରନ୍ତ ଏକ ଟିମ୍ ଗଠନ କରାଯାଇଥିଲା । ଟିମ୍ରେ ଶିଶୁ ମଙ୍ଗଳ କମିଟିର ସଭ୍ୟ ରବୀନ୍ଦ୍ର ପଧାନ, ‘ଶା‘ ମ୍ୟାନେଜର ସାଗର ପଟ୍ଟନାୟକ, ଚାଇଲ୍ଡ ଲାଇନ କାଉନସିଲର ନିହାରିକା ଟାକ୍ରୀ ଶିଶୁ ପୁତ୍ରକୁ ଉଦ୍ଧାର କରି ଶିଶୁ ମଙ୍ଗଳ କମିଟି ଅଧୀନରେ ରଖାଯାଇଛି । ମେଡ଼ିକାଲରେ ଶିଶୁଟିକୁ ଭର୍ତ୍ତି କରିଥିବା ଦମ୍ପତି ଉଦ୍ଧାରକାରୀ ଟିମ୍ ଓ ସ୍ୱାସ୍ଥ୍ୟକେନ୍ଦ୍ରରେ ଶିଶୁ ପୁତ୍ରଟି କାହାର କିଛି ନକହି ସମସ୍ତ କଥାକୁ ଗୋପନୀୟ ଭାବେ ରଖିବା ସହ ବେଆଇନ ଭାବେ ଶିଶୁ ପୁତ୍ରକୁ ପୋଷ୍ୟ ଭାବେ ଗ୍ରହଣ କରିବା ଉଦ୍ଦେଶ୍ୟ ରହିଥିବାରୁ ଥାନାରେ ଦମ୍ପତିଙ୍କ ନାଁରେ ଅଭିଯୋଗ କରାଯାଇଛି । ବର୍ତ୍ତମାନ ଉଦ୍ଧାର ଶିଶୁଟିକୁ CWC ନିକଟରେ ହାଜର କରାଯିବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ନିୟମ ଅନୁଯାଇ କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି ।




