ମତେ ଯେତେ ମାଠିବୁ ମାଠ, ମୁ ସେଇ ଦରପଡ଼ା କାଠ। ପଞ୍ଚୁକ ଘଡ଼ିରେ ଶ୍ରୀମନ୍ଦିରରେ ମୋଟେ ସୁଧୁରୁନି ବିଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା। ଆଜି ବି ଭିଆଇପିଙ୍କୁ କର୍ଡନ କରି ପୋଲିସ ନେଇ ଶ୍ରୀମନ୍ଦିରକୁ ନେଉଥିବାର ଭିଡିଓ ସାମ୍ନାକୁ ଆସିଛି।
/odishatv-khabar/media/media_files/2025/11/03/srimandir-2025-11-03-20-40-10.jpg)
Srimandir Photograph: (OTV)
ଗତକାଲିର ଦଳାଚକଟା ଭଳି ସ୍ଥିତିର ଅନୁଧ୍ୟାନ ପୋଲିସ ଡିଜି କରିବା ପରେ ଆଜି ଏଡିଜି ସିଂହଦ୍ବାରରୁ ଆନନ୍ଦବଜାର ଯାଏଁ ସ୍ଥିତି ପରଖିଛନ୍ତି। ତେଣେ ମୁଖ୍ୟ ପ୍ରଶାସକ କହିଛନ୍ତି- ଆସନ୍ତାକାଲି ଓ କାର୍ତ୍ତିକ ପୂର୍ଣ୍ଣମୀରେ ପ୍ରବଳ ଭିଡ଼କୁ ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି। ଏପଟେ ଆଇନମନ୍ତ୍ରୀଙ୍କ ପରାମର୍ଶ-ଠାକୁରଙ୍କ ବହୁତ ନୀତିକାନ୍ତି ଚାଲିଛି, ତେଣୁ ଧୈର୍ଯ୍ୟ ଧରି ଭକ୍ତ ଅପେକ୍ଷା କରନ୍ତୁ।…
କାଲି ପରି ଆଜି ବି ବ୍ୟାରିକେଡ୍ ଭର୍ତ୍ତି, ଭିଡ଼ ଅସମ୍ଭାଳ । ପଞ୍ଚୁକ ଦ୍ବିତୀୟ ଦିନରେ ମନ୍ଦିର ବାହାରେ ଯେତିକି, ଭିତରେ ସେତିକି ଜାମ୍ । ମରିଚିକୋଟ୍ ଛକ ଯାଏ ଲମ୍ବା ଲାଇନ୍ । ଗତକାଲିର ଠେଲାପେଲା ସହ ଭକ୍ତଙ୍କ କ୍ଷୋଭର ଚିତ୍ର ଓଟିଭିରେ ପ୍ରସାରଣର ପରେ ହଠାତ୍ ଚେଇଁଛି ପ୍ରଶାସନ। ଖୋଦ୍ ପୋଲିସ୍ ଡିଜି ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଗତକାଲି ଗ୍ରାଉଣ୍ଡ ଜିରୋରେ ସ୍ଥିତି ଅନୁଧ୍ୟାନ କରିବା ପରେ ଆଜି ପୋଲିସ ଏଡିଜି ଓ ପୁରୀ ଏସପି ମଧ୍ୟ ସ୍ଥିତି ପରଖିଛନ୍ତି। ହେଲେ ବି ଚିତ୍ର କିଛି ବଦଳିନି।
ଭିଆଇପି ପ୍ରୋଟକଲ ବ୍ୟବସ୍ଥା ବନ୍ଦ କରାଯାଇଥିବା ନେଇ ମୁଖ୍ୟ ପ୍ରଶାସକଙ୍କ ଦମ୍ଭୋକ୍ତିକୁ ଯେମିତି ହେୟଜ୍ଞାନ କରିଛି ପୋଲିସ୍। ଯାହାର ଚିତ୍ର ବି ଆପଣଙ୍କ ସାମ୍ନାରେ, ଦେଖନ୍ତୁ କେମିତି କିଛି ପୋଲିସ କର୍ମଚାରୀ ଭିଆଇପି ଦର୍ଶନାର୍ଥୀଙ୍କୁ ଅନ୍ୟବାଟରେ କଢ଼େଇ ନେଉଛନ୍ତି। ଆଜି ବି ବ୍ୟାରିକେଡ୍ ଭିତରେ ଭକ୍ତ ଘଣ୍ଟା ଘଣ୍ଟା ସଢ଼ିଛନ୍ତି, ଜଗମୋହନରେ ଅଣନିଶ୍ବାସୀ ଅବସ୍ଥାରେ ଜଗା ଦର୍ଶନ କରୁଛନ୍ତି। ତେବେ ସବୁଠୁ ବେଶୀ ଦହଗଞ୍ଜ ହୋଇଛନ୍ତି ଦିବ୍ୟାଙ୍ଗ ଭକ୍ତ। ଖୋଦ୍ ବରିଷ୍ଠ ସେବାୟତ ବି ଅଭିଯୋଗ ଆଣିଲେଣି- ପ୍ରଶାସନ ସବୁଥିରେ ଫେଲ୍।…
ତେଣେ ଗତକାଲି ପୁରୀରେ ଅଘଟଣ ସ୍ଥିତିକୁ ଖଣ୍ଡନ କରିଛନ୍ତି ଆଇନ ମନ୍ତ୍ରୀ, କହିଛନ୍ତି ସ୍ଥିତି ନିୟନ୍ତ୍ରଣରେ ରହିଛି- କିଛି ଲୋକ ନିଜ ସ୍ୱାର୍ଥ ପାଇଁ ଭୁଲ୍ କାହାଣୀ କରୁଛନ୍ତି। ଯେହେତୁ ଠାକୁରଙ୍କର ଅନେକ ନୀତିକାନ୍ତି ରହୁଛି ତେଣୁ ଦର୍ଶନ ବିଳମ୍ବିତ ହେଉଛି। ଭକ୍ତଙ୍କ ଧୈର୍ଯ୍ୟ ରହିବା ଦରକାର।…
ଆଜି ପଞ୍ଚୁକର ଦ୍ବିତୀୟ ଦିନରେ ମହାପ୍ରଭୁଙ୍କୁ ଆଡ଼କିଆ ବା ତ୍ରିବ୍ରିକ୍ରମ ବେଶରେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଆସନ୍ତାକାଲି ରହିଛି ଲକ୍ଷ୍ମୀ-ନୃସିଂହ ବା ଡାଳିକିଆ ବେଶ ଓ ତା ପରେ କାର୍ତ୍ତିକ ପୂର୍ଣ୍ଣମୀ। ମହୋଦଧିରେ ଡଙ୍ଗା ଛାଡ଼ି, ଜଗା ଦର୍ଶନ ସହ ମହାପ୍ରସାଦ ସେବନ କରି କାର୍ତ୍ତିକ ବ୍ରତ ସମାପନ ଲାଗି ଭକ୍ତ ଛୁଟି ଆସିବେ ପୁରୀ। ଏଭଳି ସ୍ଥିତିରେ ପୋଲିସ ପାଇଁ ପୁଣି ରହିଛି ବଡ଼ ଚ୍ୟାଲେଞ୍ଜ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି- ଗତକାଲିର ଅଘଟଣ ପରେ ଶ୍ରୀମନ୍ଦିରକୁ ଭିଆଇପି ଦର୍ଶନରେ ବ୍ରେକ୍ ଦିଆଯାଇଛି। ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପ୍ରଶାସନ ସହ ଶ୍ରୀମନ୍ଦିର ପ୍ରଶାସନ ମିଶି ଶୃଙ୍ଖଳିତ ଦର୍ଶନ, ନୀତିକାନ୍ତି ସଂଚାଳନ ଓ ଆନନ୍ଦବଜାର ଶୃଙ୍ଖଳାକୁ ଗୁରୁତ୍ବ ଦେଇଛି। ତେଣେ ପୁରୀ ବାସିନ୍ଦା ମହାପ୍ରସାଦ ନପାଇ ସିଧା ପ୍ରଶାସନ ଉପରେ ଗରଗର ହୋଇଥିବାବେଳେ ସେମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଅସମ୍ଭବ ବୋଲି ରୋକଠୋକ୍ ମନା କରିଛନ୍ତି ମୁଖ୍ୟ ପ୍ରଶାସକ। ତେଣେ ଏସପି ବି ପୁରୀବାସୀଙ୍କ ଅବଢ଼ା ଅସୁବିଧା ଆରୋପକୁ ବାଏଁ ବାଏଁ ଉଡ଼ାଇ ଦେଇଛନ୍ତି।…
ଏବେ ଦେଖିବାର କଥା ପଞ୍ଚୁକ ଶେଷ ଦୁଇ ଦିନ ସାଙ୍ଗକୁ ଶ୍ରୀମନ୍ଦିରରେ କେତେ ଶୃଙ୍ଖଳିତ ହେଉଛି କାର୍ତ୍ତିକ ପୂର୍ଣ୍ଣମୀ ଭିଡ଼।…




