T

t

୫୨ ବର୍ଷର ଅପେକ୍ଷା ୫୨ ରନର ବିଜୟ ସହ ଶେଷ। ମହିଳା ବିଶ୍ବକପ୍ ଜିତି ନୂଆ ଇତିହାସ ଲେଖିଛି ଟିମ୍ ଇଣ୍ଡିଆ। ଦକ୍ଷିଣ ଆଫ୍ରିକାକୁ ହରାଇ ନୂଆ ୱାର୍ଲଡ ଚାମ୍ପିଅନ୍ ହୋଇଛି ଭାରତୀୟ ମହିଳା ଟିମ୍। ମଧ୍ୟରାତ୍ରିରୁ ଆରମ୍ଭ ହୋଇଥିବା ସେଲିବ୍ରେସନରେ ଝୁମୁଛି ସାରା ଦେଶ।

author-image

INDIA-WORLD-CHAMPION

INDIA-WORLD-CHAMPION Photograph: (OTV)

୫୨ ବର୍ଷର ଅପେକ୍ଷା ୫୨ ରନର ବିଜୟ ସହ ଶେଷ। ମହିଳା ବିଶ୍ବକପ୍ ଜିତି ନୂଆ ଇତିହାସ ଲେଖିଛି ଟିମ୍ ଇଣ୍ଡିଆ। ଦକ୍ଷିଣ ଆଫ୍ରିକାକୁ ହରାଇ ନୂଆ ୱାର୍ଲଡ ଚାମ୍ପିଅନ୍ ହୋଇଛି ଭାରତୀୟ ମହିଳା ଟିମ୍। ମଧ୍ୟରାତ୍ରିରୁ ଆରମ୍ଭ ହୋଇଥିବା ସେଲିବ୍ରେସନରେ ଝୁମୁଛି ସାରା ଦେଶ। ସବୁଠି ଭାରତୀୟ ନାରୀଶକ୍ତିର ପ୍ରଶଂସା। ଫାଇନାଲରେ ଶେଫାଳି ବର୍ମା, ଦୀପ୍ତି ଶର୍ମାଙ୍କ ଅଲରାଉଣ୍ଡର ଇନିଂସ ସବୁଦିନେ ଅଭୁଲା ହୋଇ ରହିବ। ପ୍ରତୀକାଙ୍କ ଆହତ ପରେ ୱାଇଲ୍ଡ କାର୍ଡ ଏଣ୍ଟ୍ରି ଭଳି ଆସି ଭାରତକୁ ବିଜୟ ଭେଟି ଦେଇଥିବା ଶେଫାଳିଙ୍କୁ ନେଇ ଚାରିଆଡ଼େ ଚର୍ଚ୍ଚା। …

ମହିଳା ବିଶ୍ବକପରେ ନୂଆ ଇତିହାସ ଲେଖିଲା ଟିମ୍ ଇଣ୍ଡିଆ । ସେମିରେ ଜେମିମା ଜଲୱା, ଫାଇନାଲରେ ଶେଫାଳି କରିସ୍ମା ।
ଦମ୍ ଦେଖାଇଲେ ଦୀପ୍ତି, ଭାରତ ଜିତିଲା ବିଶ୍ବକପ୍ ଟ୍ରଫି । ୫୨ ବର୍ଷର ପ୍ରତୀକ୍ଷା, ୫୨ ରନରେ ମହାବିଜୟ ।
ସାକ୍ଷୀ ରହିଲା ମୁମ୍ବାଇର ଡିୱାଇ ପାଟିଲ୍ ଷ୍ଟାଡିୟମ୍। ଐତିହାସିକ ବିଜୟ, ସାରା ଦେଶରେ ଉତ୍ସବ ।

ଇଏ ସେହି ମୁହୂର୍ତ୍ତ। ଯାହାକୁ ସାରା ଦେଶ ଚାତକ ଭଳି ଚାହିଁ ରହିଥିଲା। ମଧ୍ୟରାତ୍ରିରେ ମହାବିଜୟ ସହ ବିଶ୍ବ ଚାମ୍ପିଅନ୍ ହେଲା ଭାରତ। ଦୀପ୍ତି ଶର୍ମାଙ୍କ ବଲରେ ଦକ୍ଷିଣ ଆଫ୍ରିକାର ଶେଷ ୱିକେଟ ପତନ ସହ ବିଶ୍ବ ବିଜୟୀ ଧ୍ବଜା ଉଡ଼ାଇଥିଲା ଟିମ୍ ଇଣ୍ଡିଆ। ଉଛୁଳି ପଡ଼ିଥିଲା ସାରା ଷ୍ଟାଡିୟମ୍, ସେଲିବ୍ରେସନରେ ଝୁମିଥିଲା ଦେଶର କୋଣ ଅନୁକୋଣ। ମୁମ୍ବାଇରୁ କୋଲାକାତା, ଦିଲ୍ଲୀରୁ ଦାର୍ଜିଲିଂ, ପୁଣି କାଶ୍ମୀରରୁ କନ୍ୟାକୁମାରୀ ଯାଏଁ… କେଉଁଠି ବାଜା ବାଣରେ ଦୁଲୁକିଥିଲା ତ ଆଉ କେଉଁଠି ଆତସବାଜିରେ ରଙ୍ଗୀନ ପରିବେଶ।

ଯେଉଁ ସଫଳତା ପାଇବାକୁ ୫ ଦଶନ୍ଧି ଅପେକ୍ଷା ଥିଲା, ୨୦୨୫ରେ କରି ଦେଖାଇଲେ ଭାରତୀୟ ନାରୀ। ୧୯୮୩ରେ କପିଲ ଦେବଙ୍କ ନେତୃତ୍ବରେ ପୁରୁଷ ଦଳ ଦିନିକିଆ ବିଶ୍ବକପରେ ଯେଭଳି ଇତିହାସ ରଚିଥିଲା, ସେଭଳି ମହିଳା ଟିମ୍ ୱାର୍ଲଡ କ୍ରିକେଟର ନୂଆ ବାଦଶାହ ହୋଇଛି। ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ପରେ ଚତୁର୍ଥ ଦଳ ଭାବରେ ବିଶ୍ବକପ୍ ନିଜ ନାଁରେ କରିଛି ଭାରତୀୟ ମହିଳା ଟିମ୍। 

ସେମିରେ ଜେମିମା ରଡ୍ରିଗ୍ସଙ୍କ ଅପରାଜିତ ସେଞ୍ଚୁରୀ ବଳରେ ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆକୁ ହରାଇଥିଲା ଭାରତ। ଆଉ ଟାଇଟଲ୍ ଲଢ଼େଇରେ ଓପନର ଶେଫାଳି ବର୍ମା, ଦୀପ୍ତି ଶର୍ମା, ସ୍ମୃତି ମାନ୍ଧାନା ଓ ରିଚା ଘୋଷାଙ୍କ ପାୱାର ଫୁଲ୍ ବ୍ୟାଟିଂ ଯୋଗୁଁ ଦକ୍ଷିଣ ଆଫ୍ରିକା ଆଗରେ ଭାରତ ଦେଇଥିଲା ୨୯୯ ରନ୍ ଟାର୍ଗେଟ। ଆରମ୍ଭରୁ ଭଲ ଖେଳୁଥିଲେ ବି ମଝିରେ ମଝିରେ ଦକ୍ଷିଣ ଆଫ୍ରିକାର ଖସୁଥିଲା ୱିକେଟ। କିନ୍ତୁ କ୍ୟାପଟେନ୍ ଲୌରା ଗୋଟିଏ ପଟେ ଦମ୍ଭିଳା କାନ୍ଥ ଭଳି ଠିଆ ହୋଇଥିଲେ। ଶତକ ମାରିଥିଲେ ବି ଦଳକୁ ବିଜୟୀ କରାଇ ପାରିଲେନି। ଲୌରାଙ୍କ ବଡ଼ ସର୍ଟକୁ ବାଉଣ୍ଡ୍ରୀ ଲାଇନରେ କ୍ୟାଚ୍ କରି ମ୍ୟାଚ୍ ମୋଡ଼ ବଦଳାଇଦେଲେ ଅମନଜୋତ କୌର।

ସେଇଠୁ ଆରମ୍ଭ ହୋଇଥିଲା ଭାରତର ବିଜୟର କାଉଣ୍ଟଡାଉନ୍। ୫୩ ରନର ଧୂଆଁଧାର ବ୍ୟାଟିଂ ସହ ୫ଟି ୱିକେଟ ନେଇ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ମେରୁଦଣ୍ଡକୁ ଭାଙ୍ଗି ଦେଇଥିଲେ ଅଭିଜ୍ଞ ଦୀପ୍ତି ଶର୍ମା। ତାଙ୍କ ସହ ବିଜୟର ବଡ଼ ଶ୍ରେୟ ଶେଫାଳିଙ୍କୁ ଯାଉଛି। ୮୭ ରନ୍ କରିବା ସହ ସେ ଦକ୍ଷିଣ ଆଫ୍ରିକାର ଖସାଇଥିଲେ ୨ଟି ଗୁରୁତ୍ବପୂର୍ଣ୍ଣ ୱିକେଟ। ସେମି ପୂର୍ବରୁ ରିଜର୍ଭ ପ୍ଲେୟାର ଥିଲେ ଶେଫାଳି। ଓପନର ପ୍ରତୀକା ରାୱଲ ଆହତ ହେବାରୁ ୱାଇଲ୍ଡ କାର୍ଡ ଏଣ୍ଟ୍ରି ଭଳି ସ୍କ୍ବାଡରେ ସାମିଲ ହେଲେ ଓ ଫାଇନାଲରେ ବିଜୟର ରାଣୀ ପାଲଟିଗଲେ। 

ଲିଗ ମ୍ୟାଚର ତ୍ରୁଟି ସୁଧାରି ଆଗକୁ ବଢିଥିଲା ଟିମ୍ ଇଣ୍ଡିଆ। ଲିଗରେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆଠୁ ହାରିଥିଲେ ବି ସେମି ଓ ଫାଇନାଲରେ ଧୂଳି ଚଟେଇଲା। ଟାଇଟଲ୍ ଲଢ଼େଇ ପୂର୍ବରୁ ବୋଲିଂ କମ୍ପିନେସନରେ କରିଥିଲେ ପରିବର୍ତ୍ତନ। ଫିଲଡିଂରେ ନିଜକୁ ଆହୁରି ବଳୁଆ କରିଥିଲା ମହିଳା ବାହିନୀ। ବିଶ୍ବବିଜେତା ଭାରତୀୟ ମହିଳା ଟିମ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି ମିତାଲି ରାଜ, ଝୁଲଣ ଗୋସ୍ବାମୀଙ୍କ ଭଳି ବହୁ କିମ୍ବଦନ୍ତୀ ମହିଳା କ୍ରିକେଟର।

୨୦୧୭ରେ ଏମାନଙ୍କର ବିଶ୍ବକପ୍ ଜିତିବାର ଅଧୁରା ସ୍ବପ୍ନକୁ ହରମନପ୍ରୀତ ଏଣ୍ଡ କୋ ସାକାର କରିଛନ୍ତି। ୱାର୍ଲଡ କପ୍ ଜିତିବା ସହ ଦେଶରେ ମହିଳା କ୍ରିକେଟକୁ ନୂଆ ଦିଶା ଦେଖାଇଛି ଟିମ୍ ଇଣ୍ଡିଆ। ସେହିପରି ୱାର୍ଲଡ ଚାମ୍ପିଅନ୍ ଭାରତ ପାଇଁ ଅର୍ଥର ବର୍ଷା କରିଛି ବିସିସିଆଇ ଓ ଆଇସିସି। ବିସିସିଆଇ ୫୧ କୋଟି ପୁରସ୍କାର ରାଶି ଘୋଷଣା କରିଥିବା ବେଳେ ଆଇସିସି ଦେଲା ୪୦ କୋଟି ପୁରସ୍କାର। … 

Scroll to Top