ନୂଆଦିଲ୍ଲୀ : ବିଜନୌରରେ ଆଇଆଇଟି କାନପୁରର ସ୍ନାତକ ଓ ୟୁପିଏସସିର ପ୍ରସ୍ତୁତି କରୁଥିବା ଜଣେ ଯୁବତୀ ଗଙ୍ଗା ବ୍ୟାରେଜରେ ଡ଼େଇଁ ପଡ଼ିଛନ୍ତି। ଯୁବତୀଙ୍କ ନାଁ ଲଳିତା ରାଣୀ (୨୭ । ସେ ଚାନ୍ଦପୁରର ଗାଁ ଖାନପୁର ମାଜରାରେ ,ବିଜନୌରର ଚକ୍କର ରୋଡ୍ ସ୍ଥିତ ରେଲୱେ ଫାଟକ ନିକଟରେ ପରିବାର ସହ ରହୁଥିଲେ।
ସୋମବାର ସକାଳେ ସେ ପ୍ରତିଦିନ ଭଳି ମର୍ଣ୍ଣିଂ ୱାକ୍ ପାଇଁ ଘରୁ ବାହାରି ଯାଇଥିଲେ। ତାଙ୍କ ସହ ପଡୋଶୀର ୧୨ ବର୍ଷିୟା ଜଣେ ଝିଅ ମଧ୍ୟ ଥିଲା। କିନ୍ତୁ ଷ୍ଟେସନ ଯିବା ବଦଳରେ ଲଳିତା ବସ୍ରେ ବସି ଗଙ୍ଗା ବାରେଜ୍ ପାଖରେ ପହଞ୍ଚି ଥିଲେ। ସେଠାରେ ବାରେଜର ଗେଟ୍ ନମ୍ୱର ୨୪ ନିକଟରେ ସେ ରେଲିଂରେ ଚଢି ଗଙ୍ଗାକୁ ଡ଼େଇଁ ପଡ଼ିଥିଲେ। ଝିଅଟି ଚିତ୍କାର କରିବାକୁ ରାସ୍ତା ଦେଇ ଯାଉଥିବା ଲୋକେ ପହଞ୍ଚି ଥିଲେ, କିନ୍ତୁ ସେତେବେଳକୁ ଲଳିତା ପାଣିରେ ଭାସି ଯାଇଥିଲେ।

ଘଟଣାର ସୂଚନା ପାଇବା କ୍ଷଣି ପୁଲିସ , ଏସଡିଆରଏଫ୍ ଓ ବୁଡ଼ାଳୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ। ଗଙ୍ଗାରେ ପାଣିର ଗଭୀରତା ପାଖାପାଖି ୨୦ ଫୁଟ୍ ହେବା କାରଣରୁ ତଲାସ ଅଭିଯାନ ଜାରି ରହିଥିଲା। ଇରିଗେସନ ଡିପାର୍ଟମେଣ୍ଟ ଗେଟ୍ ନମ୍ୱର ୨୪କୁ ବନ୍ଦ କରିଦେଇ ଥିଲେ ,ଯାହାକି ପାଣିର ସ୍ରୋତ ଦ୍ରୁତ ହେବ ନାହିଁ ଏବଂ ତଲାସୀରେ ସାହାଯ୍ୟ ମିଳି ପାରିବ।
ପରିବାର ଲୋକ ଘଟଣା ସ୍ଥଳରେ ପହଞ୍ଚି ସାରିଥିଲେ। ଭାଇ ରୋହିତ କହିଥିଲେ ଯେ, ଲଳିତା ୟୁପିଏସ୍ସିର ପ୍ରସ୍ତୁତି କରୁଥିଲେ ଏବଂ ନିକଟରେ ଆସିଥିବା ରେଜଲ୍ଟରେ ତାଙ୍କର ଚୟନ ହୋଇ ନଥିଲା। ଏହି ଚିନ୍ତାରେ ସେ ଏହି ପଦକ୍ଷେପ ନେଇଥାଇ ପାରନ୍ତି । ସନ୍ଧ୍ୟାସୁଦ୍ଧା ଏସଡିଆରଏଫ୍ ଓ ପୁଲିସ ଟିମ୍ ଏହାର ତଲାସରେ ଲାଗିପଡ଼ିଥିଲେ।




