ଠିଆ ହୋଇଥିବା ଟ୍ରେଲର ସହ ଧକ୍କା ହେଲା ଟୁରିଷ୍ଟ ବସ୍ ; ୧୫ ତୀର୍ଥଯାତ୍ରୀଙ୍କ ମୃତ୍ୟୁ, ୨ଗୁରୁତର

ଠିଆ-ହୋଇଥିବା-ଟ୍ରେଲର-ସହ-ଧକ୍କା-ହେଲା-ଟୁରିଷ୍ଟ-ବସ୍-;-୧୫-ତୀର୍ଥଯାତ୍ରୀଙ୍କ-ମୃତ୍ୟୁ,-୨ଗୁରୁତର

ଯୋଧପୁର – ରାଜସ୍ଥାନର ଯୋଧପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଲୋଦି ଜିଲ୍ଲାର ମତୋଡା ଅଞ୍ଚଳରେ ଏକ ଟୁରିଷ୍ଟ ବସ୍ ଠିଆ ହୋଇଥିବା ଟ୍ରେଲର ସହ ଧକ୍କା ହୋଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବସ୍‌ଟି ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଛି। ଘଟଣାସ୍ଥଳରେ ୧୫ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଓ ଭୟର ବାତାବରଣ ଖେଳି ଯାଇଛି।

ସୂଚନା ଅନୁସାରେ, ବସ୍‌ ଯୋଧପୁରର ସୁରସାଗର ଅଞ୍ଚଳରୁ ତୀର୍ଥଯାତ୍ରୀଙ୍କୁ ନେଇ ବିକାନେରର କୋଲାୟତ ଦର୍ଶନ ପାଇଁ ଯାଇଥିଲା। ଦର୍ଶନ ପରେ ଫେରିବା ବେଳେ ମତୋଡା ଅଞ୍ଚଳରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ବସ୍‌ ସଡ଼କ ପାର୍ଶ୍ୱରେ ଠିଆହୋଇ ଥିବା ଏକ ଟ୍ରେଲରରେ ଯାଇ ଧକ୍କା ହୋଇ ଥିଲା। ଏହି ଧକ୍କା ଏତେ ଜୋରଦାର ଥିଲା ଯେ, ବସ୍‌ର ସମ୍ମୁଖ ଭାଗ ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା ଏବଂ ଅନେକ ଯାତ୍ରୀ ଏଥିରେ ଫସି ରହିଥିଲେ। ସ୍ଥାନୀୟ ଲୋକେ ଦୁର୍ଘଟଣାର ସୂଚନା ପୁଲିସକୁ ଦେଇଥିଲେ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ମତୋଡା ଥାନା ଅଧିକାରୀ ଅମାନାରାମ ପୁଲିସ୍‌ ଟିମ ସହ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଥିଲେ ଏବଂ ଗ୍ରାମବାସୀଙ୍କ ସାହାଯ୍ୟରେ ଆହତଙ୍କୁ ବସ୍‌ରୁ ବାହାରକୁ କଢା ଯାଇଥିଲା। ସବୁ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଯୋଧପୁରର ହସ୍ପିଟାଲକୁ ରେଫର କରାଯାଇଛି। 

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ , ବସ୍‌ ଖୁବ୍‌ ଦ୍ରୁତ ଗତିରେ ଥିଲା। ହଠାତ୍‌ ଚାଳକ ସନ୍ତୁଳନ ହରାଇ ବସିଥିଲେ ଏବଂ ସେ ଠିଆ ହୋଇଥିବା ଟ୍ରେଲରକୁ ଦେଖି ପାରି ନଥିଲେ। ଦ୍ରୁତ ଗତି ଓ ଅନ୍ଧାର କାରଣରୁ ସେ ସିଧା ଟ୍ରେଲର ସହ ଧକ୍କା କରାଇ ଦେଇଥିଲେ । ଦୁର୍ଘଟଣାର ଭୀଷଣତା ଏହି କଥାରୁ ଅନୁମାନ କରିହେବ ଯେ, ବସ୍‌ ଭିତରୁ ମୃତଦେହ ବାହାର କରିବାରେ ଘଣ୍ଟା ଘଣ୍ଟାର ପରିଶ୍ରମ କରିବାକୁ ପଡ଼ିଥିଲା।

ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଫଲୋଦୀ ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଫୋନ୍‌ରେ କଲେକ୍ଟର , ଏସପି ଏବଂ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆହତଙ୍କୁ ତୁରନ୍ତ ଗ୍ରୀନକରିଡୋର କରି ହସ୍ପିଟାଲ ପହଞ୍ଚାଇବାର ବ୍ୟବସ୍ଥା କରିବା ପାଇଁ କୁହାଯାଇଛି।  

Scroll to Top