S

s

ପୋଲିସ SI ନିଯୁକ୍ତି କେଳେଙ୍କାରୀରେ ଆସିଥିଲା ଶଙ୍କର ପୃଷ୍ଟିର ନାଁ। ମାମଲାରେ ଛନ୍ଦି ହୋଇଥିବା ପଞ୍ଚ୍ ସଫ୍ଟ କମ୍ପାନୀର ମୁଖ୍ୟ ଥିଲା ଶଙ୍କର। ସେଥିଲା ମାଷ୍ଟରମାଇଣ୍ଡ।

author-image

SHANKAR-PRUSTY

SHANKAR-PRUSTY Photograph: (OTV)

ପୋଲିସ SI ନିଯୁକ୍ତି କେଳେଙ୍କାରୀର ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟିଙ୍କୁ ନେପାଳ ସୀମା ଉତ୍ତରାଖଣ୍ଡରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ତାଙ୍କୁ ଦିଲ୍ଲୀରୁ ଭୁବନେଶ୍ବର ଅଣାଯାଇଛି। କେଳେଙ୍କାରୀ ପର୍ଦ୍ଦାଫାସ ପରଠୁ ପୋଲିସ ଓ କ୍ରାଇମବ୍ରାଞ୍ଚକୁ ଚକମା ଦେଇ ଫେରାର ଥିଲା ଶଙ୍କର ପୃଷ୍ଟି । ସେ ନେପାଳ ବର୍ଡର ଦେଇ ଦୁବାଇ ପଳାଇବାକୁ ଯୋଜନା କରିଥିବା ବେଳେ ମାଡି ବସିଥିଲା କ୍ରାଇମବ୍ରାଞ୍ଚ। 
କିଏ ଏହି ଶଙ୍କର ପୃଷ୍ଟି?
ଗଞ୍ଜାମ ଶେରଗଡ଼ ବ୍ଲକ ବ୍ରାହ୍ମଣଛାଇ ଗାଁର ସଙ୍କର ପୃଷ୍ଟି। ସାଧାରଣ ପରିବାରରେ ଜନ୍ମ ହୋଇଥିବା କୁଖ୍ୟାତ ଶଙ୍କର ପୃଷ୍ଟି ଗାଁ ସ୍କୁଲରେ ମାଟ୍ରିକ ପରେ ବ୍ରହ୍ମପୁର SMITରେ ପଢିଥିଲା। ତା’ ପରେ କୋଚିଂ ସେଣ୍ଟର କରି ବହୁ ପିଲା ଓ ଶିକ୍ଷକଙ୍କ ସଂସ୍ପର୍ଶରେ ଆସି ଆରମ୍ଭ କରିଥିଲା ନିଜର କଳାଧନ୍ଧା। ଚାକିରି ଲୋଭ ଦେଇ ଆଶାୟୀଙ୍କଠୁଁ ନେଉଥିଲା ମୋଟା ଅଙ୍କର ଟଙ୍କା। 
କେବଳ ଏତିକି ନୁହେଁ, ଗାଁ ରାଜନୀତିର ଗୋଟିଚାଳନାରେ ବି ଥିଲା ଧୂରନ୍ଧର। ୨୦୧୭ ପଞ୍ଚାୟତ ନିର୍ବାଚନରେ ଜଣେ ସରପଞ୍ଚ ପ୍ରାର୍ଥୀଙ୍କୁ ହତ୍ୟା ମାମଲାରେ ଥିଲା ମୁଖ୍ୟ ଅଭିଯୁକ୍ତ। ସେଦିନଠୁ ଫେରାର୍ ହେବା ପରେ ୨୦୨୨ରେ ହାଇକୋର୍ଟରୁ ଆଗୁଆ ଜାମିନ୍ ଆଣିଥିଲା। ଶଙ୍କରର ମା’ଙ୍କ କହିବା କଥା, ଗତ ୨/୩ ବର୍ଷ ହେଲାଣି ସେ ଆଉ ଗାଁକୁ ଫେରିନି। ତାକୁ ଏବେ ଫସାଇ ଦିଆଯାଇଛି। 
୨୦୨୩ରେ ବ୍ରହ୍ମପୁରରେ ଜାଲ୍ ସାର୍ଟିଫିକେଟ୍ ମାମଲା ହେଉ କି ୨୦୧୭ରେ ରାଜନୈତିକ ହତ୍ୟାକାଣ୍ଡ। ସବୁଥିରେ ଅଭିଯୁକ୍ତ ଥାଇ ବି ସେ ଫେରାର ମାରି ଖସିଯାଉଥିଲା ବେଶ ଆରାମରେ। ଆଉ ଜାମିନ ଆଣି ପୋଲିସର ଗିରଫଦାରୀରୁ ବର୍ତ୍ତିଯାଉଥିଲା। 
ତେବେ ପୋଲିସ ଏସଆଇ ନିଯୁକ୍ତି ଘୋଟାଲାର ମଧ୍ୟ ମାଷ୍ଟର ମାଇଣ୍ଡ ଥିଲା ପଞ୍ଚସଫ୍ଟ କମ୍ପାନୀର ମୁଖ୍ୟ ଶଙ୍କର ପୃଷ୍ଟି । ପୋଲିସ ଏସଆଇ ନିଯୁକ୍ତି କେଳେଙ୍କାରୀ ମାମଲା, ସେପଟେମ୍ବର ୨୭ରେ ସାମ୍ନାକୁ ଆସିବା ପରଠୁ ହିଁ ଶଙ୍କର ପୃଷ୍ଟି ବିଦେଶକୁ ଚାଲିଯାଇଥିବା ଚର୍ଚ୍ଚା ହେଉଥିଲା। ନିକଟରେ ସେ ଏ ମାମଲାରେ ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଥିଲା। ଶଙ୍କର ପୃଷ୍ଟି, ପତ୍ନୀ ଦିପ୍ତୀମୟୀ ସାହୁ ଏବଂ ଅନ୍ୟ ଜଣେ ଦଲାଲ ମୁନା ମହାନ୍ତି ଆଗୁଆ ଜାମିନ ଆବେଦନ କରିଥିଲେ। କିନ୍ତୁ ହାଇକୋର୍ଟରେ ଜାମିନ ଆବେଦନ ରଦ୍ଦ ହୋଇଥିଲା।
•    ଗଞ୍ଜାମ ଶେରଗଡ଼ ବ୍ଲକ ବ୍ରାହ୍ମଣଛାଇ ଗାଁର ଶଙ୍କର ପୃଷ୍ଟି
•    କୋଚିଂ ସେଣ୍ଟର କରି ପିଲା ଓ ଶିକ୍ଷକଙ୍କ ସଂସ୍ପର୍ଶରେ ଆସିଥିଲା
•    ଚାକିରି ଲୋଭ ଦେଇ ଆଶାୟୀଙ୍କଠୁଁ ନେଉଥିଲା ମୋଟା ଅଙ୍କର ଟଙ୍କା
•    ଗାଁ ରାଜନୀତିର ଗୋଟିଚାଳନାରେ ବି ଧୂରନ୍ଧର ଥିଲା ଶଙ୍କର
•    ୨୦୧୭ ପଞ୍ଚାୟତ ନିର୍ବାଚନରେ ଜଣେ ସରପଞ୍ଚ ପ୍ରାର୍ଥୀଙ୍କୁ ହତ୍ୟା ମାମଲାରେ ଅଭିଯୁକ୍ତ
•    ସେବେଠୁ ଫେରାର୍ ପରେ ୨୦୨୨ରେ ହାଇକୋର୍ଟରୁ ଆଗୁଆ ଜାମିନ୍ ଆଣିଥିଲା
•    ପୋଲିସ SI ନିଯୁକ୍ତି କେଳେଙ୍କାରୀରେ ଆସିଥିଲା ଶଙ୍କର ପୃଷ୍ଟିର ନାଁ
•    ମାମଲାରେ ଛନ୍ଦି ହୋଇଥିବା ପଞ୍ଚ୍ ସଫ୍ଟ କମ୍ପାନୀର ମୁଖ୍ୟ ଥିଲା ଶଙ୍କର

Scroll to Top