ନୂଆଦିଲ୍ଲୀ ୦୨।୧୧; ବିଶ୍ୱର ସବୁଠୁ ଲୋକପ୍ରିୟ କ୍ରିକେଟର୍ ବିରାଟ କୋହଲି । କେବଳ ଖେଳ ହିଁ ନୁହେଁ ନିଜର ବ୍ୟବସାୟକୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । କିଛି ବର୍ଷ ତଳେ, ‘ୱାନ୍ ୮ କମ୍ୟୁନ’ରେସ୍ତୋରାଁ ଜରିଆରେ ଆତିଥ୍ୟ ଜଗତରେ ଏଣ୍ଟ୍ରି କରିଥିଲେ କୋହଲି । ଏବେ ପୁଣି ଥରେ ଏହା ସୋସିଆଲ ମିଡିଆରେ ଆଲୋଚନାର ବିଷୟ ହୋଇଛି । କିମ୍ବଦନ୍ତୀ ଗାୟକ କିଶୋର କୁମାରଙ୍କ ବଙ୍ଗଳାର ପୁନଃନବୀକରଣ ପରେ ଏହି ହୋଟେଲ ନିର୍ମିତ ହୋଇଥିଲା । ରେସ୍ତୋରାଁର ଫ୍ୟାନ୍ସି ବ୍ୟଞ୍ଜନ, ସୁନ୍ଦର ଡିଜାଇନ୍ ଏବଂ ଆଖି ତରାଟିବା ଭଳି ମୂଲ୍ୟ ସବୁରି ଧ୍ୟାନ ଆକର୍ଷଣ କରିଛି । ୨୦୨୨ରେ ଜୁହୁର ତଟବର୍ତ୍ତୀ କ୍ଷେତ୍ରରେ ଏହି ରେସ୍ତୋରାଁ ଖୋଲିଥିଲା ।
ଜଣେ ଷ୍ଟାର୍ କ୍ରିକେଟର ଭାବେ କିଶୋର କୁମାରଙ୍କ ‘ଗୌରୀ କୁଞ୍ଜ’ବଙ୍ଗଳାକୁ ବିଳାସପୂର୍ଣ୍ଣ ରେସ୍ତୋରାଁରେ ରୂପାନ୍ତର କରି କୋହଲି ତାଙ୍କୁ ଟ୍ରିବ୍ୟୁଟ ଦେଇଥିଲେ । ଆଧୁନିକ କଳାସ୍ଥାପତ୍ୟ, ଚିତ୍ତାକର୍ଷକ ଡିଜାଇନ୍ ଓ କାଚ ସିଲିଂ ପାଇଁ ରେସ୍ତୋରାଁ ସ୍ୱତନ୍ତ୍ର ପରିଚୟ ହାସଲ କରିଛି । ରେସ୍ତୋରାଁ ଗସ୍ତ ସମୟରେ କୋହଲି କହିଥିଲେ, ମୁଁ ରେସ୍ତୋରାଁକୁ ପସନ୍ଦ କରେ, ଯେଉଁଠିକୁ ଆପଣ ଯେକୌଣସି ସମୟରେ ଯାଇପାରିବେ । ଏହାର ରୋଷେଇ ଶାଳ ସକାଳେ ଖୋଲେ ଏବଂ ଦିନସାରା ଚାଲେ । ଏଠାରେ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଏ । ଏହା ମାଧ୍ୟମରେ ଗ୍ରାହକଙ୍କୁ ଶାନ୍ତ ପରିବେଶ ପ୍ରଦାନ କରିବା ତାଙ୍କର ଉଦ୍ଦେଶ୍ୟ ଥିଲା ।
ତେବେ ରେସ୍ତୋରାଁର କିଛି ବ୍ୟଞ୍ଜନର ମୂଲ୍ୟ ଲୋକଙ୍କୁ ଚକିତ କରିଛି । ଜୋମାଟୋ ଅନୁସାରେ, କୋହଲିଙ୍କ ରେସ୍ତୋରାଁରେ ଲକ୍ଷ୍ନୌ ଦମ୍ ଲାମ୍ବ୍ ବିରିୟାନିର ମୂଲ୍ୟ ୯୭୮ ଟଙ୍କା । ଚିକେନ୍ ଚେଟ୍ଟିନାଡ୍ର ମୂଲ୍ୟ ୮୭୮ ଟଙ୍କା । କିଛି ସାଧାରଣ ବ୍ୟଞ୍ଜନର ମଧ୍ୟ ଚଢ଼ା ମୂଲ୍ୟ ରହିଛି । ସଲ୍ଟେଡ ଫ୍ରାଇଜ୍ ଏଠାରେ ୩୪୮ ଟଙ୍କାରେ ମିଳୁଛି । ଗୋଟିଏ ତନ୍ଦୁରି ରୁଟିର ମୂଲ୍ୟ ୧୧୮ ଟଙ୍କା । ରେସ୍ତୋରାଁ ମେନ୍ୟୁରେ ସବୁଠୁ ମହଙ୍ଗ ଆମିଷ ବ୍ୟଞ୍ଜନ ହେଉଛି ଲାମ୍ବ୍ ଶାଙ୍କ୍, ଯାହାର ମୂଲ୍ୟ ୨,୩୧୮ ଟଙ୍କା । ଏଠି ଡେଜର୍ଟ ବି ଖୁବ୍ ମହଙ୍ଗା । ମାସକାରପୋନ୍ ଚିଜ୍କେକ୍ ୭୪୮ଟଙ୍କା, ସ୍ପେଶାଲ ‘କିଙ୍ଗ୍ କୋହଲି’ ଚକ୍ଲେଟ ମୁସେ ୮୧୮ ଟଙ୍କା ଏବଂ ସିଗ୍ନେଚର ସିଜ୍ଲିଂ କ୍ରୋସାଣ୍ଟ୍ ୯୧୮ ଟଙ୍କାରେ ମିଳୁଛି ।




