ଭୁବନେଶ୍ବର: ପୋଲିସ ଏସଆଇ ନିଯୁକ୍ତି ଅନିୟମିତତା ମାମଲାରେ କ୍ରାଇମବ୍ରାଞ୍ଚକୁ ବଡ଼ ସଫଳତା। ପ୍ରାୟ ୧ ମାସ ପରେ ଶେଷରେ ଧରାପଡ଼ିଲା ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାର ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ। ଶନିବାର କ୍ରାଇମବ୍ରାଞ୍ଚ ଶଙ୍କର ପୃଷ୍ଟିକୁ ନେପାଳ ସୀମା ଉତ୍ତରାଖଣ୍ଡରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ।
ସୂଚନାଥାଉକି, ୨୦୨୪ ମସିହାରେ ଏସ୍ଆଇ ପରୀକ୍ଷା ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପରୀକ୍ଷା ଆୟୋଜନ ଦାୟିତ୍ୱ ଓଡ଼ିଶା ପୁଲିସ ରିକ୍ରୁଟ୍ମେଣ୍ଟ୍ ବୋର୍ଡ (ଓପିଆର୍ବି) ନେଇଥିଲା । ଓପିଆରବି ପରୀକ୍ଷା ପରିଚାଳନା ଆଇଟିଆଇ ନାମକ ସଂସ୍ଥାକୁ ଦେଇଥିଲା । ଆଇଟିଆଇ ପରେ ଏହାକୁ ସିଲିକନ୍ ଟେକ୍ଲାବ୍ ପ୍ରାଇଭେଟ୍ ଲିମିଟେଡ୍କୁ ହସ୍ତାନ୍ତର କରିଥିଲା । ପରେ ଏହାର ଦାୟିତ୍ୱ ପାନ୍ସଫ୍ଟ ଟେକ୍ ପ୍ରାଇଭେଟ୍ ଲିମିଟେଡ୍ ନେଇଥିଲା । ୨୦୨୫ ମାର୍ଚ୍ଚରେ ପରୀକ୍ଷା ହେବାର ଥିଲା । ୩ ଥର ପରୀକ୍ଷା ବାତିଲ ହୋଇଥିଲା ।
ଏହାରି ମଧ୍ୟରେ ସେପ୍ଟେମ୍ବର ମାସରେ ଦୁଇଟି ପର୍ଯ୍ୟାୟରେ ୨୧୧ ଜଣ ପରୀକ୍ଷାର୍ଥୀଙ୍କୁ ଆନ୍ଧ୍ରପ୍ରଦେଶକୁ ନେଇଥିଲେ ଦଲାଲ୍ । ସେଠାରେ ଲିଖିତ ପରୀକ୍ଷା ପାଇଁ ତାଲିମ ଦିଆଯାଇଥିଲା । ତୃତୀୟ ପର୍ଯ୍ୟାୟରେ ସେପ୍ଟେମ୍ବର ୩୦ ତାରିଖରେ ୩ଟି ବସ୍ରେ ୧୧୪ ଜଣ ପରୀକ୍ଷାର୍ଥୀ ଓ ୩ ଜଣ ଦଲାଲ୍ ଅନ୍ଧ୍ରପ୍ରଦେଶ ଯିବାକୁ ବରମୁଣ୍ଡାରୁ ବାହାରିଲେ । ସେମାନେ ଆନ୍ଧ୍ରପ୍ରଦେଶରେ ପହଞ୍ଚି ଯାଇଥିଲେ । ଏହି ଖବର ପ୍ରଚାର ହେବା ପରେ ବ୍ରହ୍ମପୁର ପୁଲିସ୍ ଆନ୍ଧ୍ରପ୍ରଦେଶ ପୁଲିସ୍ ସହ ଯୋଗାଯୋଗ କରି ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଘଟଣାକୁ ନେଇ ରାଜ୍ୟରେ ଚହଳ ପଡିଥିଲା ।
ଏହାପରେ ଉକ୍ତ ମାମଲା କ୍ରାଇମ୍ବ୍ରାଞ୍ଚକୁ ଯାଇଥିଲା । ଜାଲିଆତିର ମାଷ୍ଟରମାଇଣ୍ଡ୍ ହିଞ୍ଜିଳି ବ୍ରାହ୍ମଣଛାଇ ଅଞ୍ଚଳର ଶଙ୍କର ପୃଷ୍ଟି ଓ ମୁନା ମହାନ୍ତି ବୋଲି କ୍ରାଇମ୍ବ୍ରାଞ୍ଚ କହିଥିଲା । ପ୍ରତି ପରୀକ୍ଷାର୍ଥୀ ପିଛା ଏମାନେ ୨୫ ଲକ୍ଷ ଟଙ୍କା ଡିଲ୍ କରିଥିଲା । ୫ରୁ୧୦ ଲକ୍ଷ ଟଙ୍କା ଅଗ୍ରୀମ ନେଇଥିଲେ । ମୁନା ଓ ଶଙ୍କରକୁ ଛାଡିଲେ କିଛି ଆଇପିଏସ୍, ନେତା ଓ କୋଚିଂ ସେଣ୍ଟର ମାଲିକଙ୍କ ନାଁ ପଦାକୁ ଆସିଲା । ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ତଦନ୍ତରୁ ଜଣାଯାଇଛି ଯେ, ଏହି ଦୁର୍ନୀତିର ଚେର ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ସହିତ ଅନ୍ୟାନ୍ୟ ରାଜ୍ୟକୁ ମଧ୍ୟ ବ୍ୟାପିଥାଇପାରେ ।
ଏସବୁକୁ ଦୃଷ୍ଟିରେ ରଖି ଏହି ଦୁର୍ନୀତିର ସଂପୂର୍ଣ୍ଣ ପର୍ଦ୍ଦାଫାସ୍ କରିବା ପାଇଁ ଓ ଏଥିରେ ସଂପୃକ୍ତ ସମସ୍ତ ଅପରାଧୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ପାଇଁ ମୁଖ୍ୟମନ୍ତ୍ରୀ ତଦନ୍ତ ଭାର ସିବିଆଇକୁ ଯାଇଛି।




