ଢେଙ୍କାନାଳ ୩୧।୧୦: ବହୁ ଚର୍ଚ୍ଚିତ ଢେଙ୍କାନାଳ ତରଭା ସଲମନ ରାଉତ ହତ୍ୟାକାଣ୍ଡ ମାମଲାର ଢେଙ୍କାନାଳ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ରାୟ ପ୍ରକାଶ ପାଇଛି । ମୋଟ ୧୫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ୮ ଜଣଙ୍କୁ ଆଜୀବନ କାରାଦଣ୍ଡ ଓ ପ୍ରତ୍ୟେକଙ୍କୁ ୨୦ ହଜାର ଟଙ୍କା ଜରିମାନା ଦଣ୍ଡ ଦିଆଯାଇଛି । ମାମଲାରେ ଅନ୍ୟ ୬ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ।
ଗତ ୨୦୧୭ ମସିହା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ସମୟରେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ତରଭା ପଂଚାୟତ ସରପଞ୍ଚ ନିର୍ବାଚନକୁ ନେଇ ଘଟିଥିଲା ଏହି ହତ୍ୟାକାଣ୍ଡ । ବିଜେପି ଯୁବନେତା ତରଭା ଗ୍ରାମର ସଲମନ ରାଉତଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ତେବେ ଜିଲ୍ଲା ଦୌରାଜଜଙ୍କ ରାୟ ଘୋଷଣା ମୁତାବକ ଏହି ହତ୍ୟାକାଣ୍ଡରେ ଦୋଷୀ ହୋଇ ଆଜୀବନ କାରାଦଣ୍ଡରେ ଦଣ୍ଡିତଙ୍କ ମଧ୍ୟରେ ସେତେବେଳର ସରପଞ୍ଚ ପ୍ରାର୍ଥୀ କୁଳମଣି ରାଉତ, ସ୍ଥାନୀୟ ସାଂକୁଳେଇ ପଞ୍ଚାୟତର ସମିତି ସଭ୍ୟ ହୃଦାନନ୍ଦ ବିଶ୍ୱାଳ, ବ୍ୟମକେଶ ବିଶ୍ୱାଳ, ତ୍ରୟମ୍ବକ ବିଶ୍ୱାଳ, ମୃତ୍ୟୁଞ୍ଜୟ ବିଶ୍ୱାଳ, ସମରେନ୍ଦ୍ର ବିଶ୍ୱାଳ, ମନୋରଞ୍ଜନ ବିଶ୍ୱାଳ ଓ ଦେବେନ୍ଦ୍ର ସ୍ୱାଇଁ ଏପରି ୮ଜଣ ରହିଛନ୍ତି ବୋଲି ସରକାରଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ସରକାରୀ ଓକିଲ ପ୍ରକାଶ କରିଛନ୍ତି ।
ସୂଚନା ଥାଉକି, ଏହି ହତ୍ୟାକାଣ୍ଡ ପରେ ଜଣେ ବିଜେପି ଯୁବନେତାଙ୍କୁ ଗୁଳିକରି ହତ୍ୟା କରାଯାଇଥିବାରୁ ବ୍ୟାପକ ଉତ୍ତେଜନା ପୋଡାଜଳା ହୋଇ ରାଜ୍ୟରେ ବେଶ ଚର୍ଚ୍ଚାକୁ ଆସିଥିଲା ।




