B

b

୫ ବର୍ଷରେ କୋଟିଏ ଚାକିରିର ପ୍ରତିଶ୍ରୁତି ଦେବା ସହ ଲକ୍ଷପତି ଯୋଜନାରେ ମହିଳାଙ୍କୁ ମିଳିବ ୨ ଲକ୍ଷ ସହାୟତା। ତାସହ ମହିଳାଙ୍କ ପାଇଁ ଆରମ୍ଭ ହେବ ‘ମିଶନ୍ କୋଟିପତି’। ଯେଉଁଥିରେ ମହିଳା ଉଦ୍ୟୋଗୀଙ୍କୁ କୋଟିପତି କରିବା ଲକ୍ଷ୍ୟ ରଖିଛି ଏନଡିଏ।

author-image

bjp

bjp Photograph: (OTV)

ରିଲିଜ୍ ହେଲା ବିହାର ପାଇଁ NDAର ସଙ୍କଳ୍ପପତ୍ର। ଆଜି ଗୋଟିଏ ମଞ୍ଚରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ଏନଡିଏର ସହଯୋଗୀ ଦଳ ମୁଖ୍ୟ ଏକାଠି ହୋଇ ବଡ଼ ଘୋଷଣା କରିଛନ୍ତି।

ବିହାରରେ ୫ ବର୍ଷ ପାଇଁ କୋଟିଏ ଚାକିରି, କୋଟିଏ ଲକ୍ଷପତି ଦିଦି ନେଇ ଘୋଷଣା କରିଛି ଏନଡିଏ। ନିର୍ବାଚନୀ ଇସ୍ତାହାର-ଯାହା ଏନଡିଏର ସଙ୍କଳ୍ପପତ୍ର ସେଥିରେ ଫୋକସରେ ରହିଛନ୍ତି ଯୁବ, ମହିଳା ଏବଂ ଚାଷୀ। 

୫ ବର୍ଷରେ କୋଟିଏ ଚାକିରିର ପ୍ରତିଶ୍ରୁତି ଦେବା ସହ ଲକ୍ଷପତି ଯୋଜନାରେ ମହିଳାଙ୍କୁ ମିଳିବ ୨ ଲକ୍ଷ ସହାୟତା। ତାସହ ମହିଳାଙ୍କ ପାଇଁ ଆରମ୍ଭ ହେବ ‘ମିଶନ୍ କୋଟିପତି’। ଯେଉଁଥିରେ ମହିଳା ଉଦ୍ୟୋଗୀଙ୍କୁ କୋଟିପତି କରିବା ଲକ୍ଷ୍ୟ ରଖିଛି ଏନଡିଏ। ମାଆ ସୀତାଙ୍କ ଜନ୍ମପୀଠକୁ ‘ସୀତାପୁରମ୍’ ନାଁରେ ନାମିତ କରି ବିକଶିତ କରାଯିବ। 

ମେଣ୍ଟ ପକ୍ଷରୁ କୁହାଯାଇଛି ଯେ ବିହାରର ଅତ୍ୟନ୍ତ ପଛୁଆ ବର୍ଗର ଲୋକଙ୍କୁ ଆର୍ଥିକ ଓ ସମାଜିକ ସହାୟତା ଯୋଗାଇ ଦିଆଯିବ। ପଛୁଆ ବର୍ଗର ପରିବାର ଲୋକଙ୍କୁ ୧୦ ଲକ୍ଷ ଟଙ୍କାର ସହାୟତା ମିଳିବ। ଏହି ବର୍ଗରେ ଥିବା ଲୋକଙ୍କ ସାମାଜିକ ସ୍ଥିତର ଆକଳନ କରିବା ପାଇଁ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯିବ। ପଛୁଆ ବର୍ଗର ସଶକ୍ତୀକରଣ ପାଇଁ ଆବଶ୍ୟକ ତଥା ଯୁକ୍ତିଯୁକ୍ତ ଯୋଜନା ସମ୍ପର୍କରେ କମିଟି ପ୍ରସ୍ତାବ ଦେବ।

ଚାଷୀଙ୍କ ପାଇଁ ଏନଡିଏ ପକ୍ଷରୁ କର୍ପୁରୀ ଠାକୁର କିଷାନ ସମ୍ମାନ ନିଧି ଯୋଜନା ଲାଗୁ କରାଯିବ। ଏହି ଯୋଜନା ଅଧୀନରେ ଚାଷୀଙ୍କୁ ପ୍ରତି ଫସଲ ଋତୁରେ ୩ ହଜାର ଟଙ୍କା ଅର୍ଥାତ ବର୍ଷକୁ ୯ ହଜାର ଟଙ୍କା ଦିଆଯିବ। ଧାନ, ଗହମ, ଡାଲି ଜାତୀୟ ଦ୍ରବ୍ୟ ଓ ମକା ଭଳି ପ୍ରମୁଖ ଫସଲ ପାଇଁ ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏ ସଂଗ୍ରହ କେନ୍ଦ୍ର ଖୋଲାଯିବ। ଚାଷୀମାନେ ଧାର୍ଯ୍ୟ ଏମଏସ୍‌ପି ବଳରେ ନିଜର ଅମଳକୁ ଏଠାରେ ଦେବେ।

ଅତିରିକ୍ତ ଭାବେ ବିହାର କୃଷି ଭିତ୍ତିଭୂମିର ବିକାଶ ପାଇଁ ୧ ଲକ୍ଷ କୋଟିର ନିବେଶ କରାଯିବ। ଜଳ ସେଚନ, ୱେୟାର ହାଉସ ଓ ଖାଦ୍ୟ ସରଳୀକରଣ ଆଦିର ପ୍ରତିଶ୍ରୁତି ଏନଡିଏ ଦେଇଛି।

ଗ୍ରାମୀଣ ଅର୍ଥନୀତିକୁ ବଳ ଦେବା ପାଇଁ ଏନଡିଏ ପକ୍ଷରୁ ବିହାର ଦୁଗ୍ଧ ମିଶନ ଘୋଷଣା କରାଯାଇଛି। ଦୁଗ୍ଧ ଜାତୀୟ କ୍ଷେତ୍ରର ବିକାଶ ପାଇଁ ପ୍ରତିଟି ବ୍ଲକରେ ଚିଲିଂ ଓ ପ୍ରୋସେସିଂ ସେଣ୍ଟର ଏହି ଯୋଜନା ଅଧୀନରେ ଖୋଲାଯିବ। ନୂଆ କ୍ଲଷ୍ଟର ଓ ଶୀତଳ ଭଣ୍ଡାର ବ୍ୟବସ୍ଥା ଦ୍ୱାରା ମତ୍ସ୍ୟ ଚାଷର ବିକାଶ କରାଯିବ। ଚାଷୀ ଓ ମତ୍ସ୍ୟଜୀବୀମାନେ ଯେମିତି ଅଧିକ ମାର୍କେଟ ଓ ଆୟ ପାଇଁ ସୁଯୋଗ ପାଇବେ, ତା’ର ବ୍ୟବସ୍ଥା ଏନଡିଏ କ୍ଷମତାକୁ ଆସିଲେ କରିବ।

ବିହାରର ଯୋଗାଯୋଗ ବ୍ୟବସ୍ଥାରେ ଅଧିକ ଉନ୍ନତି ଆଣିବା ପାଇଁ ଇସ୍ତାହାରରେ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। ଭାରତ ଗତି ଶକ୍ତି ମାଷ୍ଟର ପ୍ଲାନରେ ୭ଟି ନୂଆ ଏକ୍ସପ୍ରେସ ୱେ ଓ ୩,୬୦୦ କିମି ରେଳ ଲାଇନର ବିକାଶ କରିବାକୁ ଏନଡିଏ ଯୋଜନା କରିଛି। ୪ଟି ନୂଆ ସହରରେ ମେଟ୍ରୋ ସେବା ଆରମ୍ଭ କରାଯିବ। ଅମୃତ ଭାରତ ଏକ୍ସପ୍ରେସ ଓ ନମୋ ରାପିଡ ରେଳ ସେବା ରାଜ୍ୟରେ ସଂପ୍ରସାରଣ ହେବ।

ପ୍ରତିଟି ଜିଲ୍ଲାରେ କାରଖାନା ପ୍ରତିଷ୍ଠା କରି ଏନଡିଏ ପକ୍ଷରୁ ବିହାରର ଅର୍ଥନୀତିକୁ ବଳ ଦିଆଯିବ। ରାଜ୍ୟରେ ୧୦ଟି ନୂଆ ଶିଳ୍ପାଞ୍ଚଳ ପାର୍କ ମଧ୍ୟ ଏନଡିଏ କ୍ଷମତାକୁ ଆସିଲେ କରିବ। ପ୍ରତିଟି ଜିଲ୍ଲାରେ ଗୋଟିଏ ଲେଖାଏ ଅତ୍ୟାଧୁନିକ ଉତ୍ପାଦନ ୟୁନିଟ ରହିବ। ଏହା ଶିଳ୍ପାଞ୍ଚଳକୁ ପ୍ରୋତ୍ସାହିତ କରିବ ଓ ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ବିହାର ଭୋଟରଙ୍କୁ ନିଜ ଆଡ଼କୁ ଆଣିବା ପାଇଁ ଗରିବ ପରିବାରର ପିଲାଙ୍କ ପାଇଁ କେଜି ଠାରୁ ପିଜି ଯାଏ ମାଗଣାରେ ଭଲ ଶିକ୍ଷା ସୁବିଧା ଯୋଗାଇ ଦିଆଯିବ ବୋଲି ମେଣ୍ଟ ପକ୍ଷରୁ କୁହାଯାଇଛି। ସ୍କୁଲଗୁଡ଼ିକରେ ଅତ୍ୟାଧୁନିକ ଦକ୍ଷ ଲ୍ୟାବ ରହିବ ଓ ପିଲାମାନଙ୍କୁ ପୃଷ୍ଟିକର ବ୍ରେକଫାଷ୍ଟ ଏବଂ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯିବ। ବିହାରର ଶୈକ୍ଷିକ ଗୁଣବତ୍ତାକୁ ବୃଦ୍ଧି କରାଯିବ ବୋଲି ଏନଡିଏ କହିଛି।

ବିହାରର ଗରିବ ଲୋକଙ୍କ ପାଇଁ ଏନଡିଏ ତା’ର ପଞ୍ଚାମୃତ ଗ୍ୟାରେଣ୍ଟୀରେ ୫ ବଡ଼ କଲ୍ୟାଣ ମୂଳକ ଯୋଜନାର ପ୍ରତିଶ୍ରୁତି ଦେଇଛି। ଗରିବ ଲୋକଙ୍କୁ ମାଗଣା ରାସନ, ୧୨୫ ୟୁନିଟ ଯାଏ ମାଗଣା ବିଜୁଳି, ୫ ଲକ୍ଷ ଯାଏ ମାଗଣା ସ୍ୱାସ୍ଥ୍ୟ ସେବା, ୫୦ ଲକ୍ଷ ପକ୍କା ଘର ନିର୍ମାଣ ଓ ଯୋଗ୍ୟ ପରିବାରକୁ ସାମାଜିକ ସୁରକ୍ଷା ପେନସନ ଯୋଜନା ଯୋଗାଇ ଦିଆଯିବ। 

Scroll to Top