ନୂଆଦିଲ୍ଲୀ ୩୧।୧୦; କାନାଡାରେ ଜଣେ ଭାରତୀୟ ବଂଶୋଦ୍ଭବ ବ୍ୟବସାୟୀ ଆରବି ସିଂ ସଗ୍ଓ(୫୫)ଙ୍କୁ ପିଟିପିଟି ହତ୍ୟା କରାଯାଇଛି । ପୋଲିସ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ୫ ଦିନ ଧରି ଚିକିତ୍ସିତ ହେବା ପରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି।
ରିପୋର୍ଟ ଅନୁଯାୟୀ ସଗ୍ଓ ତାଙ୍କ ପ୍ରେମିକାଙ୍କ ସହ ରାତିରେ ଖାଇବା ସାରି ନିଜ ଗାଡ଼ି ପାଖକୁ ଫେରୁଥିଲେ । ସେହି ସମୟରେ ଜଣେ ବ୍ୟକ୍ତି ତାଙ୍କ କାର୍ ଉପରେ ପରିସ୍ରା କରୁଥିବାର ଦେଖିଥିଲେ । ସଗ୍ଓ ତାଙ୍କୁ ଅଟକାଇବାରୁ ବ୍ୟକ୍ତି ଜଣକ ତାଙ୍କ ଉପରେ ଛୁରୀରେ ଆକ୍ରମଣ କରିଥିଲେ । ଗଭୀର ଆଘାତ ଲାଗିବା ପରେ ସଗ୍ଓ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ତାଙ୍କୁ ତାଙ୍କ ପ୍ରେମିକ ତୁରନ୍ତ ଡାକ୍ତରଖାନରେ ଭର୍ତ୍ତି କରାଇଥିଲେ ।
ଆକ୍ରମଣ ବିଷୟରେ ସୂଚନା ପାଇବା ମାତ୍ରେ ଏଡମୋଣ୍ଟନ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସଗ୍ଓଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଥିଲା। ଡାକ୍ତରଙ୍କ ସର୍ବୋତ୍ତମ ପ୍ରୟାସ ସତ୍ତ୍ୱେ, ପାଞ୍ଚ ଦିନ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ୪୦ ବର୍ଷୀୟ ଅଭିଯୁକ୍ତ କାଇଲ ପାପିନଙ୍କୁ ଗିରଫ କରାଯାଇଛି।




