ରାସ୍ତାରେ ଲାଗିବ କ୍ୟୁଆର୍ କୋଡ୍ ସ୍କାନର, ଠିକାଦାରଙ୍କ ସୂଚନା ସହ ମିଳିବ ରାସ୍ତାର ସବିଶେଷ ବିବରଣୀ
Published By: Ruby – Prameya-News7 Bureau | October 31, 2025 01:58 PM
NEWS7
ଭୁବନେଶ୍ବର ୩୧।୧୦: ଆଗକୁ ଓଡ଼ିଶା ରାସ୍ତାରେ ବି ଲାଗିବ ସ୍କାନର । ଠିକାଦାରଙ୍କ ସୂଚନା ସହ ରାସ୍ତାର ସବିଶେଷ ବିବରଣୀ QR କୋଡ୍ରେ ରହିବ । କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀଙ୍କ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ପାଇଁ ଅଣ୍ଟା ଭିଡ଼ିଲା ପୂର୍ତ୍ତ ବିଭାଗ । ଏ ନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ଜାତୀୟ ରାଜପଥ ଭଳି ରାଜ୍ୟ ରାଜପଥରେ ବି ରହିବ ସ୍କାନର ବ୍ୟବସ୍ଥା । ଯେଉଁ ସ୍କାନର ଜରିଆରେ ଲୋକେ ରାସ୍ତାର ସମ୍ପୂର୍ଣ୍ଣ ତଥ୍ୟ ଜାଣି ପାରିବେ । ଠିକାଦାର ମାନଙ୍କ ସମସ୍ତ ତଥ୍ୟ ସେଥିରେ ପବ୍ଲିକ କରାଯିବ । କେଉଁ ଠିକାଦାର ସଂସ୍ଥା କେତେ ଦିନ ଭିତରେ ରାସ୍ତା କାମ କରିଛନ୍ତି ତାହାର ବ୍ୟୟ ବରାଦ କେତେ ଥିଲା ସବୁ ତଥ୍ୟ ସେହି ସ୍କାନର ଜରିଆରେ ମିଳିବ । କିଛି ଦିନ ତଳେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ଜାତୀୟ ରାଜପଥରେ ସ୍କାନର ବ୍ୟବସ୍ଥା କରାଯିବା ନେଇ ପ୍ରସ୍ତାବ ରଖିଥିଲେ ।
ଏହାସହ ରାସ୍ତା ନିର୍ମାଣ ସମୟରେ ନିର୍ମାଣ ଖର୍ଚ୍ଚର ଅତିରିକ୍ତ ୧% ଅର୍ଥରାଶିରେ ଗଛ ଲଗାଇବ ପୂର୍ତ୍ତ ବିଭାଗ। ଏହି ଅର୍ଥକୁ ବୃକ୍ଷରୋପଣ ସହ ରକ୍ଷଣାବେକ୍ଷଣ ବାବଦରେ ଖର୍ଚ୍ଚ କରାଯିବ । ଗ୍ରୀନ୍ କରିଡର ବିକାଶ ଓ ପରିଚାଳନା ଲକ୍ଷ୍ୟ ନେଇ ସବୁ ରାସ୍ତାକଡ଼ରେ ବୃକ୍ଷରୋପଣ କରାଯିବ । ପୂର୍ତ୍ତ ବିଭାଗ ଅଧୀନରେ ନୂଆ କରି ହେବାକୁ ଥିବା ରାଜପଥ, ଜିଲ୍ଲା ମୁଖ୍ୟ ସଡ଼କ, ଅନ୍ୟ ସମସ୍ତ ସଡ଼କ ନିର୍ମାଣ ସମୟରେ ବୃକ୍ଷରୋପଣକୁ କରାଯିବ । ପ୍ରତି ନୂଆ ରାସ୍ତା ପାଖରେ ଗଛ ଲଗାଇବେ ବୋଲି ପୂର୍ତ୍ତ ମନ୍ତ୍ରୀ କହିଛନ୍ତି ।




