ନୂଆଦିଲ୍ଲୀ ୯।୮: ଭୋଟର ଲିଷ୍ଟରେ ତ୍ରୁଟି ଥିବା ନେଇ ଲୋକସଭାରେ ବିରୋଧୀ ଦଳ ନେତା (ଏଲଓପି) ରାହୁଲ ଗାନ୍ଧି ଏକ ପ୍ରେଜେଣ୍ଟେସନ ଦେଇ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏଥିରେ ସେ ଭୋଟର ଲିଷ୍ଟରେ କଥିତ ରୂପେ ହୋଇଥିବା ଗଡ଼ବଡ଼କୁ ପ୍ରମାଣ ସହିତ ଉଜାଗର କରିଛନ୍ତି। ରାହୁଲ ଗାନ୍ଧିଙ୍କ ଏହି ପ୍ରେଜେଣ୍ଟେସନ ପରେ ଦେଶରେ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି। ଏହା ଉପରେ ଏବେ ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନଙ୍କ ପ୍ରତିକ୍ରିୟା ଆସିଛି।
ଭାରତର ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନ ଓମ ପ୍ରକାଶ ରାବତଙ୍କ କହିବା କଥା ହେଉଛି ‘ବେଙ୍ଗାଲୁରୁରେ ନକଲୀ ଭୋଟରଙ୍କ ସମ୍ପର୍କରେ ନିର୍ବାଚନ କମିଶନ ମାମଲାରେ ରାହୁଲ ଗାନ୍ଧିଙ୍କ ଔପଚାରିକ ଅଭିଯୋଗକୁ ଅପେକ୍ଷା ନକରି ଯାଞ୍ଚ ଆରମ୍ଭ କରିଦେବା ଦରକାର’। ଓ.ପି. ରାବତ ୨୦୧୫ରୁ ୨୦୧୮ ପର୍ଯ୍ୟନ୍ତ ଭାରତାର ମୁଖ୍ୟ ନିର୍ବାଚନ କମିଶନ (ଇସିଆଇ) ଭାବେ ସେବା ଦେଇଛନ୍ତି। ଏହି ବିବାଦ ସମ୍ପର୍କରେ ଇଂରାଜୀ ଦୈନିକକୁ ଦେଇଥିବା ସାକ୍ଷାତକାରରେ ରାବତ କହିଛନ୍ତି ଯେ ‘ଯେତେବେଳେ ମୁଁ ପଦବୀରେ ଥିଲି ଆମର ନୀତି ଏହା ଥିଲା ଯେ ଯଦି କୌଣସି ପାର୍ଟି, ବରିଷ୍ଠ ପଦାଧିକାରୀ କୌଣସି ଅଭିଯୋଗ କରୁଥିଲେ ଆମେ ସ୍ୱତଃ ସଂଜ୍ଞାନ ନେଇ ଯାଞ୍ଚ କରୁଥିଲୁ ଓ ସାଧାରଣ ଜନତାଙ୍କ ଆଗରେ ତଥ୍ୟ ଉପସ୍ଥାପାନ କରୁଥିଲୁ। ଯାହା ଦ୍ୱାରା ବ୍ୟବସ୍ଥା ଉପରେ ଲୋକଙ୍କ ଆସ୍ଥା ରହିବ’। ଏଥି ପାଇଁ ଆମେ ପାର୍ଟିଙ୍କୁ ଆଗ ଅଭିଯୋଗ କରନ୍ତୁ ବୋଲି କହୁନଥିଲୁ।
ରାହୁଲ ଗାନ୍ଧି ଗତ ଗୁରୁବାର ଅଭିଯୋଗ କରିଥିଲେ ଯେ ଗତବର୍ଷ ହୋଇଥିବା ଲୋକସଭା ନିର୍ବାଚନରେ ବେଙ୍ଗାଲୁର ସେଣ୍ଟ୍ରାଲ ସାଂସଦୀୟ ଆସନର ମହାଦେବପୁରା ବିଧାନସଭା କ୍ଷେତ୍ରରେ ୧ ଲକ୍ଷରୁ ଅଧିକ ନକଲୀ ଭୋଟର ଥିଲେ। ରାହୁଲ କହିଥିଲେ ଏପରି ଅନୁନ୍ୟ ଜଣେ ଭୋଟର ଥିଲେ ଯିଏ ଦୁଇଟି ମତଦାନ କେନ୍ଦ୍ରରେ ପଞ୍ଜିକୃତ ଥିଲେ ଓ ସେ ଦୁଇଟି ସ୍ଥାନରେ ଭୋଟ ଦେଇଥିଲେ। କଂଗ୍ରେସ ନେତା ଭୋଟର ଲିଷ୍ଟର କିଛି ଅଂଶର ସ୍ଲାଇଡ ଦେଖାଇ କଥିତ ରୂପେ ପ୍ରମାଣିତ କରିଥିଲେ ଯେ ଭୋଟରର ଅନେକ ବାର ପଞ୍ଜିକରଣ ହୋଇଛି। ଠିକଣା ଭୁଲ, ଗୋଟିଏ ବଖରାର ଘରେ ୮୦ ଜଣ ଭୋଟରଙ୍କ ନାମ ପଞ୍ଜିକୃତ ରହିଛି ଓ ମହାଦେବପୁରାର ଭୋଟରଙ୍କ ଅନ୍ୟ ରାଜ୍ୟରେ ମଧ୍ୟ ପଞ୍ଜିକରଣ ରହିଛି।
ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ଶୁକ୍ରବାର ବେଙ୍ଗାଲୁରୁରେ ଜୋରଦାର ପ୍ରଦର୍ଶନ କରିଥିଲା। ଇଣ୍ଟରନେଟ୍ ରେ ମଧ୍ୟ କଥିତ ନକଲୀ ଭୋଟରଙ୍କ ସମ୍ପର୍କରେ ଜୋରଦାର ଆରୋପ ପ୍ରତ୍ୟାରୋପ ହୋଇଥିଲା। ଏଥିରେ କର୍ଣ୍ଣାଟକ ମୁଖ୍ୟ ନିର୍ବାଚନ ଅଧିକାରୀ କଂଗ୍ରେସ ଦ୍ୱାରା ଶୁକ୍ରବାର ପ୍ରଦାନ କରାଯାଇଥିବା ଜ୍ଞାପନ ପ୍ରସଙ୍ଗରେ କାଗଜପତ୍ର ଜମା କରିବାକୁ କହିଥିଲେ। କେତେକ ଲୋକ ଶୁକ୍ରବାର ସକାଳେ କିଛି ସମୟ ଲାଗି ଇଣ୍ଟରନେଟରେ ଭୋଟର ସୂଚୀ ଡାଉନଲୋଡ କରିବା ପାଇଁ ଲିଂକ ପର୍ଯ୍ୟନ୍ତ ପହଞ୍ଚିବାକୁ ଅସମର୍ଥ ହୋଇଥିଲେ ବୋଲି ଅଭିଯୋଗ କରିଥିଲେ। ଏଣୁ ଅଭିଯୋଗ କରାଯାଇଥିଲା ଯେ ରାହୁଲଙ୍କ ଦାବି ପରେ ନିର୍ବାଚନ ଆୟୋଗ (ଇସି) ଭୋଟର ଲିଷ୍ଟରେ ଟାମ୍ପରିଂ କରୁଛନ୍ତି। ତେବେ ଇସିଙ୍କ ସୂତ୍ର ଏହାକୁ ଅସ୍ୱୀକାର କରିଛି।
ଆୟୋଗଙ୍କ ସୂତ୍ର ସାମ୍ବାଦିକଙ୍କ ସହିତ ଅନୌପଚାରିକ ରୂପେ ଏକ ପରିବାର ସଦସ୍ୟଙ୍କ ଫଟୋ ସେୟାର କରିଛନ୍ତି। ଫଟୋରେ ସେମାନେ ଭୋଟର ପରିଚୟପତ୍ର ଧରିଥିଲେ। ଏହି ପରିବାରକୁ ରାହୁଲଙ୍କ ନକଲୀ ଭୋଟର ସୂଚୀରେ ଏଥି ପାଇଁ ସାମିଲ କରାଯାଇଥିଲା କାରଣ ତାଙ୍କ ପାର୍ଟିକୁ ଦିଆଯାଇଥିବା ଭୋଟର ସୂଚୀ କପିରେ ଏହି ସଦସ୍ୟଙ୍କ ଫଟୋ ଦେଖାଯାଉନଥିଲା। ତେବେ ପ୍ରସଙ୍ଗରେ ରାହୁଲ ଗାନ୍ଧିଙ୍କୁ ଶିବସେନା (ୟୁବିଟି) ନେତା ଆଦିତ୍ୟ ଠାକରେ, ସିପିଆଇ ସାଂସଦ ପି.ସନ୍ତୋଷ କୁମାର, ରାଜ୍ୟସଭା ସାଂସଦ କପିଲ ଶିବଲ, ସିପିଆଇ(ଏମଏଲ) ନେତା ଦୀପଙ୍କର ଭଟ୍ଟାଚାର୍ଯ୍ୟଙ୍କ ସହିତ ଅନ୍ୟ କେତେକ ବିରୋଧୀ ଦଳ ନେତା ମଧ୍ୟ ସମର୍ଥନ କରୁଛନ୍ତି।




