ସୁବର୍ଣ୍ଣପୁର: ମନରେ ଗୋଟିଏ ସଫଳ କ୍ରୀଡ଼ାବିତ ହେବା ପାଇଁ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇ ଜଣେ ଛାତ୍ରର ଭାଙ୍ଗିଲା ହାତ l ପୁଅର ଚିକିତ୍ସା ପାଇଁ ସରକାରଙ୍କ ପାଖରୁ ପାଇଥିବା ରାସନ କାର୍ଡକୁ ବନ୍ଧା ପକାଇ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ପରିବାର ଲୋକେ l ଏହି ଘଟଣା ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିନ୍ଦୁରପୁର ହାଇସ୍କୁଲର। ଅଷ୍ଟମ ଶ୍ରେଣୀର ଛାତ୍ର କ୍ରିଷ୍ଣା ନାଇକ।
କ୍ରିଷ୍ଣା ଡୁଙ୍ଗୁରିପାଲି ଶୁଖା ଠାରେ ହେଉଥିବା ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଉଚ୍ଚଡିଆଁରେ ଭାଗ ନେଇ ବିଦ୍ୟାଳୟରୁ ଖେଳିବାକୁ ଯାଇଥିଲେ କ୍ରିଷ୍ଣା l ଶୁଖା ଠାରେ ହେଉଥିବା କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇ ଉଚ୍ଚଡିଆରେ ତାଙ୍କ ପ୍ରତିଭା ଦେଖେଇବା ପାଇଁ ଲାଗି ପଡ଼ିଥିଲେ। କିନ୍ତୁ ଭାଗ୍ୟର ବିଡମ୍ବନା ଡିଆଁ ମାରିବା ବେଳେ ଖସି ପଡ଼ି ହାତ ଭାଙ୍ଗି ଯାଇଛି। ଡିଆଁ ମରାଯାଉଥିବା ସ୍ଥାନରେ ବାଲି ପଡିନଥିବାରୁ ତଳେପଡ଼ି ତାଙ୍କ ହାତ ଭାଙ୍ଗି ଯାଇଥିବା ଅଭିଯୋଗ କହିଛନ୍ତି ପରିବାର ଲୋକେ l
ହାତ ଭାଙ୍ଗି ଯିବା ପରେ ଛାତ୍ରକୁ ଶିକ୍ଷକ ମାନେ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତି କରି ପରିବାର ଲୋକଙ୍କୁ ଖବର ଦେଇଥିଲେ l ଡୁଙ୍ଗୁରିପାଲି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା l ପୁଅର ଚିକିତ୍ସା ପାଇଁ ପାଖରେ ଅର୍ଥ ନଥିବାରୁ ଶେଷରେ ବାଧ୍ୟ ହୋଇ ସରକାରଙ୍କ ପାଖରୁ ପାଇଥିବା ରାସନକାର୍ଡ ବନ୍ଧକ ପକାଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଭର୍ତ୍ତି କରିଛନ୍ତି ପରିବାର ଲୋକ l
ଏହି ଖବର ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼.ନୃପରାଜ ସାହୁ ଜାଣିବା ପରେ ତୁରନ୍ତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପହଁଞ୍ଚି ଛାତ୍ରର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏହା ସହ କିପରି ଉନ୍ନତ ମାନର ଚିକିତ୍ସା କରାଯାଇ ଭାଙ୍ଗିଥିବା ହାତକୁ ଭଲ କରାଯିବ ସେନେଇ ଜିଲ୍ଲା ପ୍ରଶାସନ ତତ୍ପର ରହିଥିବା କହିଛନ୍ତି l ଅନ୍ୟପଟେ ସୁବର୍ଣ୍ଣପୁର ସିଡିଏମଓ ମଧ୍ୟ ଛାତ୍ରର ଅତିଶୀଘ୍ର କିପରି ଅସ୍ଥିଶଲ୍ୟ ବିଭାଗର ଡାକ୍ତରଙ୍କ ସହ ଆଲୋଚନା କରି ଅସ୍ତ୍ରୋପ୍ରଚାର କରାଯିବ ସେନେଇ ଲାଗି ପଡିଛନ୍ତି l




