ସୁଭାଷ ଚନ୍ଦ୍ର ବୋଷଙ୍କ ମୃତ୍ୟୁକୁ ନେଇ ଉପରାଷ୍ଟ୍ରପତି ରାଧାକୃଷ୍ଣନଙ୍କ ବଡ଼ ଦାବି, ଜାଣନ୍ତୁ କହିଲେ କ’ଣ?

ସୁଭାଷ-ଚନ୍ଦ୍ର-ବୋଷଙ୍କ-ମୃତ୍ୟୁକୁ-ନେଇ-ଉପରାଷ୍ଟ୍ରପତି-ରାଧାକୃଷ୍ଣନଙ୍କ-ବଡ଼-ଦାବି,-ଜାଣନ୍ତୁ-କହିଲେ-କ’ଣ?

ନୂଆଦିଲ୍ଲୀ ୩୦।୧୦: ଭାରତର ଉପରାଷ୍ଟ୍ରପତି ସି.ପି.ରାଧାକୃଷ୍ଣନ ଗୁରୁବାର ବଡ଼ ଦାବି କରିଛନ୍ତି। ରାଧାକୃଷ୍ଣନ କହିଛନ୍ତି ସୁଭାଷ ଚନ୍ଦ୍ର ବୋଷଙ୍କ ମୃତ୍ୟୁ ବିମାନ ଦୁର୍ଘଟଣାରେ ହୋଇନଥିଲା। ପାସୁମପୋନରେ ଥେବରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପିତ କରିବା ପରେ ଉପରାଷ୍ଟ୍ରପତି ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ‘ଯଦିଓ ମୋ ପାଖରେ କୌଣସି ପ୍ରମାଣ ନାହିଁ, କିନ୍ତୁ ମୁଁ ଭାବୁଛି ସୁଭାଷଚନ୍ଦ୍ର ବୋଷଙ୍କର ମୃତ୍ୟୁ ସେହି ବିମାନ ଦୁର୍ଘଟଣାରେ ହୋଇ ନଥିଲା। କାରଣ ନେତାଜୀଙ୍କ ଅନୁଗାମୀ ତଥା ସ୍ୱାଧୀନତା ସଂଗ୍ରାମୀ ପାସୁମୋପନ ମୁଥୁ ରାମଲିଙ୍ଗା ଥେବର ନିଜେ ଏହି କଥା କହିଥିଲେ’।

ଦେଶର ଉପରାଷ୍ଟ୍ରପତି ହେବା ପରେ ରାଧାକୃଷ୍ଣନ ପ୍ରଥମ ଥର ତାମିଲନାଡୁ ଗସ୍ତରେ ପହଞ୍ଚିଛନ୍ତି। ଉପରାଷ୍ଟ୍ରପତି କହିଛନ୍ତି ପାସୁମୋପନ କହିଥିଲେ ‘ନେତାଜୀଙ୍କ ମୃତ୍ୟୁ ସେହି ବିମାନ ଦୁର୍ଘଟଣାରେ ହୋଇନଥିଲା ଓ ମୁଁ ତାଙ୍କୁ ଭେଟିଥିଲି’। ଉପରାଷ୍ଟ୍ରପତି କହିଛନ୍ତି ଯେ ଥେବରଙ୍କ କଥାରେ ମୋର ପୁରା ବିଶ୍ୱାସ କାରଣ ସେ ତାଙ୍କ ଜୀବନରେ କେବେ ମିଛ କହନ୍ତି ନାହିଁ।  ରାଧାକୃଷ୍ଣନ କହିଛନ୍ତି ଯେ ସେ ତାଙ୍କ ରାଜନୈତିକ ଯାତ୍ରାରେ ମଧ୍ୟ ଆଧ୍ୟାତ୍ମର ମାର୍ଗ ଆପଣେଇଥିଲେ, ଏହା ତାଙ୍କର ମହାନତା ଥିଲା।

ଉଲ୍ଲେଖଯୋଗ୍ୟ ଯେ ଗୁରୁବାର ଥେବରଙ୍କ ୧୧୮ତମ ଜୟନ୍ତୀ ପାଳିତ ହୋଇଛି। ଏହି ଅବସରରେ ରାଧାକୃଷ୍ଣନ କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଜାବାହାରଲାଲ ନେହେରୁ ଥେବରଙ୍କୁ ସ୍ୱାଧୀନତା ଆନ୍ଦୋଳନରେ ତାଙ୍କ ଭୂମିକା ଲାଗି ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଥିଲେ। ହେଲେ ଥେବର ରାଜି ହୋଇ ନଥିଲେ। ତେବେ ସେ ନେହେରୁଙ୍କୁ କହିଥିଲେ ନେତାଜୀଙ୍କ ପ୍ରତି ନ୍ୟାୟ ହେଉ।

ଅଧିକାରୀକ ଭାବେ ନେତାଜୀଙ୍କ ମୃତ୍ୟୁ ୧୮ ଅଗଷ୍ଟ ୧୯୪୫ରେ ତାଇୱାନରେ ଏକ ବିମାନ ଦୁର୍ଘଟଣାରେ ହୋଇଥିଲା। ତେବେ ଏହି ଘଟଣାକୁ ନେଇ ଅନେକ ସିଦ୍ଧାନ୍ତ ଓ ବିବାଦ ରହିଛି। ଅନେକ ଭାବନ୍ତି ତାଙ୍କର ମୃତ୍ୟୁ ସେହି ବିମାନ ଦୁର୍ଘଟଣାରେ ହୋଇ ନଥିଲା। ନେତାଜୀ ଯେଉଁ ବିମାନରେ ଯାତ୍ରା କରୁଥିଲେ ତାହା ତାଇହୋକୁ ବିମାନ ବନ୍ଦରରୁ ଉଡାଣ କରିବାର ଠିକ୍ ପରେ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସୂଚନା ଅନୁସାରେ ବିମାନ ଦୁର୍ଘଟଣା ଯୋଗୁ ନେତାଜୀ ଗୁରୁତର ଭାବେ ପୋଡି ଯାଇଥିଲେ ଓ ସେହି ରାତିରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା।

ନେତାଜୀଙ୍କ ଜଣେ ସହଯୋଗୀ କର୍ଣ୍ଣେଲ ହବିବୁର ରହମାନ ମଧ୍ୟ ଶାହନବାଜ କମିଟିକୁ ତାଙ୍କ ବୟାନରେ କହିଥିଲେ ନେତାଜୀଙ୍କ ମୃତ୍ୟୁ ବିମାନ ଦୁର୍ଘଟଣାରେ ହୋଇଥିଲା।   

Scroll to Top