ଗଜପତି ୨୮।୧୦: ଗଜପତି ଜିଲ୍ଲାରେ ବାତ୍ୟା ‘ମୋନ୍ଥା’ର ପ୍ରଭାବ ଦେଖିବାକୁ ମିଳିଛି ଜିଲ୍ଲାରେ ଗତକାଲି ଠାରୁ ତୁହାକୁ ତୁହା ବର୍ଷା ଲାଗି ରହିଛି । ବାତ୍ୟା ‘ମୋନ୍ଥା’କୁ ନେଇ ପ୍ରଶାସନ ପକ୍ଷରୁ ସଜାଗ । ବାତ୍ୟା ‘ମୋନ୍ଥା’କୁ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳ ଏବଂ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳରେ ମୋଟ୍ ୨୦୩ ଜଣ ଗର୍ଭବତୀ ମହିଳା ଚିହ୍ନଟ ହୋଇଥିବା ବେଳେ ୧୬୦ ଜଣଙ୍କୁ ମା’ଗୃହ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି । ସେହିପରି ବିଭିନ୍ନ ଅଶ୍ରୟସ୍ଥଳୀରେ ସୋମବାର ଠାରୁ ବର୍ତ୍ତମାନ ସୁଦ୍ଧା ୫୪୭୦ ଜଣକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ମଧ୍ୟରୁ ପୁରୁଷ ୨୦୬୦, ମହିଳା ୨୨୦୮, ଛୋଟ ପିଲା ୯୩୧ ଏବଂ ୪୩୧ ଜଣ ବୃଦ୍ଧା ରହିଥିବା ବେଳେ ୪୪ଜଣ ଭିନ୍ନକ୍ଷମ ରହିଛନ୍ତି । ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ହୋଇଥିବା ଲୋକଙ୍କ ପାଇଁ ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ଦିଆଯାଉଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ମଧୁମିତା । ବିଭିନ୍ନ ଗ୍ରାମାଞ୍ଚଳ ସ୍ତରରେ ମାଇକିଂ ଜରିଆରେ ଲୋକଙ୍କୁ ସଚେତନ କରାଯାଉଛି । ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ଲୋକ ପ୍ରତିନିଧି ମାନଙ୍କୁ ନେଇ ଲୋକଙ୍କୁ ସଚେତନ କରାଯାଉଛି । ଜିଲ୍ଲାରେ ଗୋଟିଏ ଏନଡିଆରଏଫ ଆର.ଉଦୟଗିରି ଠାରେ ମୁତୟନ କରାଯାଇଛି । ତିନୋଟି ଓଡିଆରଏଫ ଟିମ୍ କାଶୀନଗର ଓ ରାୟଗଡ ବ୍ଲକ୍ ଠାରେ ସଜାଗ ରହିଥିବା ସହ ୮ଟି ଅଗ୍ନିଶମ ବାହିନୀ ଟିମ୍ ବାତ୍ୟା ମୁକାବିଲା ପାଇଁ ନିୟୋଜନ କରାଯାଇଛି ।
ବାତ୍ୟା ‘ମୋନ୍ଥା’ର ପ୍ରଭାବରେ ମଙ୍ଗଳବାର ସକାଳୁ କୋହଲିଆ ପାଗ ସହ ରହିରହି ବର୍ଷା ହେଉଛି । ଆକାଶ ସମ୍ପୂର୍ଣ୍ଣ ମେଘାଚ୍ଛନ୍ନ ରହିଥିବା ବେଳେ ରାତିରେ ମଧ୍ୟ ସାମାନ୍ୟ ବିକ୍ଷିପ୍ତ ଭାବରେ ଝିପିଝିପି ବର୍ଷା ହୋଇଥିଲା । ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ସହ ସାଧାରଣ ଲୋକେ ବର୍ଷା ସମୟରେ ଘରୁ ବାହାରକୁ ନବାହାରିବା ପାଇଁ ଅନୁରୋଧ କରିଛି ପ୍ରଶାସନ । ମଙ୍ଗଳବାର ସନ୍ଧ୍ୟା ଠାରୁ ତିନି ଦିନ ଧରି ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ତେବେ ଆଗକୁ ପାଗରେ ଅଧିକ ପରିବର୍ତ୍ତନ ହେବା ସହ ବର୍ଷାର ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଜିଲ୍ଲାର ସମସ୍ତ ଅଞ୍ଚଳରେ ବିକ୍ଷିପ୍ତ ଭାବେ ବର୍ଷା ଜାରି ରହିଛି । ତେଣୁ ପାଗକୁ ଦେଖି ପାହାଡିଆ ଅଞ୍ଚଳବାସୀଙ୍କ ମନରେ ଛନକା ପସିଛି । ହେଲେ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମୁତାବକ ମଙ୍ଗଳବାର ସନ୍ଧ୍ୟା ଠାରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଆଗକୁ ବର୍ଷା ଜନିତ ଭୂସ୍ଖଳନ କିମ୍ବା ରାସ୍ତାଘାଟ ଧୋଇଯିବା ଭଳି କୌଣସି ଘଟଣା ଘଟେ ତେବେ ଆଗକୁ ସମସ୍ତ ପ୍ରକାର ମୁକାବିଲା କରିବା ପାଇଁ ପ୍ରଶାସନ ପ୍ରସ୍ତୁତ ଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ସେପଟେ ଜିଲ୍ଲାର ମୋହନା ଅଞ୍ଚଳରେ ବାତ୍ୟା ‘ମୋନ୍ଥା’ର ପ୍ରଭାବ ଦେଖିବାକୁ ମିଳିଛି l ସୋମବାର ଠାରୁ ତୁହାକୁ ତୁହା ବର୍ଷା ଲାଗି ରହିଥିବା ବେଳେ ପବନର ବେଗ ବୃଦ୍ଧି ପାଇଛି l ବର୍ଷା ଓ ପବନ ଯୋଗୁଁ ରା.ଉଦୟଗିରି ବ୍ଲକ ଲୁବୁରୁସିଂ ନିକଟରେ ଏକ ବିରାଟ ଗଛ ରାସ୍ତା ଉପରେ ପଡି ରହିଛି l ଫଳରେ ମୋହନାରୁ ପାରଳାଖେମୁଣ୍ଡି ଯାତାୟତ ବାଧାପ୍ରାପ୍ତ ହୋଇଛି l ରା.ଉଦୟଗିରି ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ରାସ୍ତାରୁ ଗଛ ହଟାଇବାକୁ ଚେଷ୍ଟା କରୁଛନ୍ତି l ସେହିପରି ବିଭିନ୍ନ ସ୍ଥାନରେ ଘର ଭାଙ୍ଗିବା ଚିତ୍ର ମଧ୍ୟ ନଜରକୁ ଆସିଛି l ବାତ୍ୟା ପ୍ରଭାବରେ ମୋହନା ବ୍ଲକ ଅକିଲି ଗାଁର ଜଣେ ବ୍ୟକ୍ତିଙ୍କ ଘର ଭାଙ୍ଗିଥିବା ଜଣାପଡିଛି l
ବର୍ଷା ଓ ପବନ ଯୋଗୁଁ ବିଭିନ୍ନ ସ୍ଥାନରେ ଘର ଭାଙ୍ଗିଥିବା ବେଳେ ବାତ୍ୟା ଆଶ୍ରୟସ୍ଥଳକୁ ଚାଲି ଯାଇଛନ୍ତି ଲୋକେ l ମୋହନା ବ୍ଲକ ଚାନ୍ଦିପୁଟ ପଞ୍ଚାୟତ ଆକିଲି ଗାଁରେ ଜଣେ ବ୍ୟକ୍ତିଙ୍କ ଘର ଭାଙ୍ଗିବା ସହ ଟିଣ ଛପର ଉଡିଯାଇଛି l ଘର ଭାଙ୍ଗିଥିବା ପରିବାର ଲୋକଙ୍କୁ ପ୍ରଶାସନ ପକ୍ଷରୁ ରିଲିଫ ବ୍ୟବସ୍ଥା କରାଯାଇଛି l ବର୍ଷାକୁ ଦୃଷ୍ଟିରେ ରଖି ଅଡବା ହରଭଙ୍ଗୀ ଡ୍ୟାମରେ ୨ଟି ଗେଟ୍ ଖୋଲା ଯାଇଥିବା ଜଣାପଡିଛି l
ବାତ୍ୟା ‘ମୋନ୍ଥା’ର ପ୍ରଭାବ ଧୀରେ ଧୀରେ ବଢ଼ି ଚାଲିଛି l ପ୍ରବଳ ବର୍ଷା ସହ ପବନ ଯୋଗୁଁ ପୋଲ ଉପରେ ୨ ଫୁଟ ବନ୍ୟା ଜଳ ପ୍ରବାହିତ ହେଉଛି l ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ମାଛଘରl ପୋଲରେ l ଏହି ପୋଲ ଉପରେ ବନ୍ୟାଜଳ ପ୍ରବାହିତ ଯୋଗୁଁ ମହେନ୍ଦ୍ରଗଡ଼ରୁ ପାତ୍ରପୁରକୁ ଯାତାୟତ ବାଧାପ୍ରାପ୍ତ ହୋଇଛି l ଏହି ପୋଲ ଆରପଟେ ଶିଆଳିଲଟି ଓ ପୁରୁଣାପାଣି ଆଦି ୨ଟି ପଞ୍ଚାୟତର ପ୍ରାୟ ୪୦ରୁ ଅଧିକ ଗାଁ ରହିଛି l ସେ ସବୁ ଗାଁ ଗୁଡିକରେ କିଭଳି ପହଞ୍ଚିବେ ସେଥିପାଇଁ ଚିନ୍ତାରେ ରହିଛି ପ୍ରଶାସନ l ଅନ୍ୟ ପକ୍ଷରେ ଲକ୍ଷ୍ମୀପୁର ଗାଁରେ କିଛି ଲୋକଙ୍କ ଘର ଭାଙ୍ଗିଥିବା ସୂଚନା ମିଳିଛି l
ଏପଟେ କାଶୀନାଗର ବ୍ଲକ୍ ପାଡ଼ତଡା ପଞ୍ଚାୟତର ଲିଙ୍ଗା ଠାରୁ ବାରଭା ଗ୍ରାମକୁ ଯାଉଥିବା କଚା ରାସ୍ତାରେ ପାହାଡ଼ ଧସି ହୋଇ ବଡ଼ବଡ଼ ପଥର ଖସି ରାସ୍ତା ଅବରୋଧ ହୋଇଥିଲା । ଯାହାକୁ ପୂର୍ତ୍ତ ବିଭାଗ ତରଫରୁ ଜେସିବି ଲଗାଇ ଅବରୋଧ ହଟାଇବା ସହ ସ୍ୱାଭାବିକ କରିଛି ପ୍ରଶାସନ । ଦିନ ତମାମ ଝିପିଝିପି ବର୍ଷା ଲାଗିରହିବା ସହ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିଛି ଗଜପତି ଜିଲ୍ଲାରେ । ତେବେ ବାତ୍ୟା ସନ୍ଧ୍ୟା ପରେ ଲ୍ୟାଣ୍ଡଫଲ କରିବା ପରେ ବର୍ଷାର ପରିମାଣ ବଢିବ ବୋଲି ପାଣିପାଗ ବିଭାଗ ସୂଚନା ରଖିଛି ତେବେ ଆଗକୁ ସ୍ଥିତି କିଭଳି ରହିବ ତାହାରି ଉପରେ ନଜର ରଖିଛି ପ୍ରଶାସନ ।




