ଅଣ୍ଡରପାସ୍‌ ନିର୍ମାଣ ଦାବିରେ ଜାତୀୟ ରାଜପଥ ଅବରୋଧ

ଅଣ୍ଡରପାସ୍‌-ନିର୍ମାଣ-ଦାବିରେ-ଜାତୀୟ-ରାଜପଥ-ଅବରୋଧ

ଚଣ୍ଡିଖୋଲ: ଜାତୀୟ ରାଜପଥ ସମ୍ପ୍ରସାରଣ ସହ ଏକ ଛୋଟ ପୋଲ ଏବଂ ଅଣ୍ଡରପାସ୍‌ ଦାବିରେ ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକେ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଚଣ୍ଡିଖୋଲ ଗାନ୍ଧୀ ଛକ ନିକଟରେ।

ସୂଚନା ଅନୁସାରେ, ଚଣ୍ଡିଖୋଲ ଗାନ୍ଧୀ ଛକ ନିକଟରେ ଜାତୀୟ ରାଜପଥ ୫୩ ଚଣ୍ଡିଖୋଲ- ପାରାଦୀପ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲୁରହିଛି। ଏମିତିରେ ସମ୍ପ୍ରସାରଣ ଅଧୀନରେ ଗାନ୍ଧୀ ଛକ ନିକଟରେ ଏକ ଗଳି ପୋଲ ବା ଅଣ୍ଡରପାସ୍‌ ନିର୍ମାଣ କରାଯାଉଛି। ହେଲେ ଏହାର ଉଚ୍ଚତା କମ୍ ରହିଥିବାରୁ ଏଥରେ ବଡ଼ ଗାଡ଼ି ଯାତାୟତ କରିପାରିବନି । ଫଳରେ ଏହା ଯୋଗୁ ୧୦ରୁ ଉର୍ଦ୍ଧ୍ବ ପଞ୍ଚାୟତର ଲୋକେ ସମସ୍ୟାରେ ପଡ଼ିବେ ବୋଲି ଅଭିଯୋଗ କରିଛନ୍ତି ଲୋକେ।

​​​​​​​

ଅଭିଯୋଗକାରୀ ଆହୁରି କହିଛନ୍ତି ସ୍ଥାନୀୟ ଅଞ୍ଚଳର ଚାଷୀମାନେ ମଧ୍ୟ ଏହା ଯୋଗୁ ପ୍ରଭାବିତ ହେବେ। ଗାଁକୁ ଅଗ୍ନିଶମ ଗାଡ଼ି ମଧ୍ୟ ଯାଇପାରିବନାହିଁ। ଚଣ୍ଡିଖୋଲ ନିକଟରେ ଏହି ଗଳି ପୋଲ ହେଉଥିବାରୁ ଏହା ଗୁରୁତ୍ଵ ବହନ କରୁଛି। ତେଣୁ ଏଠାରେ ଏକ ବଡ଼ ଗଳିପୋଲ ନିର୍ମାଣ ପାଇଁ ବିଭିନ୍ନ ପଞ୍ଚାୟତର ଲୋକେ ଦାବି କରି ଜାତୀୟ ରାଜପଥ ଅବରୋଧ କରିଛନ୍ତି ଲୋକେ।

ଏହି ଆନ୍ଦୋଳନ ଯୋଗୁ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏ ଦିଗରେ ପଦକ୍ଷେପ ନ ନେବା ପର୍ଯ୍ୟନ୍ତ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସ୍ଥାନୀୟ ଅଞ୍ଚଳ ବାସୀ ଚେତାବନୀ ଦେଇଛନ୍ତି। ତେବେ ଘଟଣାସ୍ଥଳରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ରୋକ୍ ହଟିଥିଲା।

Scroll to Top