ଶ୍ରୀମନ୍ଦିରରେ ପୁଣି ନକଲି ଯାତ୍ରୀ ଗୁମାସ୍ତାଙ୍କ ପ୍ରାଦୁର୍ଭାବ, ମହାପ୍ରଭୁଙ୍କ ଦର୍ଶନ କରାଇଦେବାକୁ କହି ଶ୍ରଦ୍ଧାଳୁଙ୍କୁ ଠକୁଛନ୍ତି

ଶ୍ରୀମନ୍ଦିରରେ-ପୁଣି-ନକଲି-ଯାତ୍ରୀ-ଗୁମାସ୍ତାଙ୍କ-ପ୍ରାଦୁର୍ଭାବ,-ମହାପ୍ରଭୁଙ୍କ-ଦର୍ଶନ-କରାଇଦେବାକୁ-କହି-ଶ୍ରଦ୍ଧାଳୁଙ୍କୁ-ଠକୁଛନ୍ତି

ଶ୍ରୀମନ୍ଦିରରେ ପୁଣି ନକଲି ଯାତ୍ରୀ ଗୁମାସ୍ତାଙ୍କ ପ୍ରାଦୁର୍ଭାବ, ମହାପ୍ରଭୁଙ୍କ ଦର୍ଶନ କରାଇଦେବାକୁ କହି ଶ୍ରଦ୍ଧାଳୁଙ୍କୁ ଠକୁଛନ୍ତି

Published By: Ruby – Prameya-News7 Bureau | October 26, 2025 03:46 PM

NEWS7

Puri News

ପୁରୀ ୧୦: ଶ୍ରୀମନ୍ଦିରରେ ପୁଣି ନକଲି ଯାତ୍ରୀ ଗୁମାସ୍ତାଙ୍କ ପ୍ରାଦୁର୍ଭାବ ଦେଖା ଗଲାଣି । ରାଜ୍ୟ ବାହାରୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କୁ ସହଜରେ ମହାପ୍ରଭୁଙ୍କ ଦର୍ଶନ କରାଇଦେବାକୁ କହି ଶ୍ରଦ୍ଧାଳୁଙ୍କୁ ଠକୁଛନ୍ତି ନକଲି ଯାତ୍ରୀ ଗୁମାସ୍ତା । ରାଜ୍ୟ ବାହାରୁ ଆସୁଥିବା ନିଜ ଯଜମାନ ମାନଙ୍କୁ ସହଜରେ ମହାପ୍ରଭୁଙ୍କ ଦର୍ଶନ କରାଇଦେବା ସମେତ ମହାପ୍ରଭୁଙ୍କ ମହାପ୍ରସାଦ କିଣିବାରେ ସାହାଯ୍ୟ କରିବା ପାଇଁ ଶ୍ରୀମନ୍ଦିରରେ ସେବା କରୁଥିବା ସେବାୟତଙ୍କ ଦ୍ବାରା ରହିଛନ୍ତି ଯାତ୍ରୀ ଗୁମାସ୍ତା। ହେଲେ ଏହି ଯାତ୍ରୀ ଗୁମାସ୍ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପରିଚୟପତ୍ର ଦିଆଯାଇନଥିବା ଯୋଗୁଁ ଏହାର ଫାଇଦା ଉଠାଇ କେତେକ ଅସାଧୁ ବ୍ୟକ୍ତି ନିଜକୁ ଯାତ୍ରୀ ଗୁମାସ୍ତା ପରିଚୟ ଦେଇ ରାଜ୍ୟ ବାହାରୁ ଆସୁଥିବା ଭକ୍ତଙ୍କୁ ସହଜରେ ଦର୍ଶନ କରାଇଦେବାକୁ କହି ଟଙ୍କା ଆଦାୟ କରୁଛନ୍ତି । ଶ୍ରଦ୍ଧାଳୁଙ୍କ ଠାରୁ ଜୋରଜବରଦସ୍ତ ଟଙ୍କା ଆଦାୟ କରିବା ସହିତ ଅନେକ ସମୟରେ ଶ୍ରଦ୍ଧାଳୁଙ୍କୁ ଦୁର୍ବ୍ୟବହାର କରିବା ଏବଂ ଟଙ୍କା ନେଇ ପଳେଇ ଯିବାର ଅଭିଯୋଗ ହୋଇ ଆସୁଛି । ଫଳରେ ବାହାରୁ ଆସୁଥିବା ଶ୍ରଦ୍ଧାଳୁମାନେ ଏକ ଖରାପ ଅନୁଭୂତି ନେଇ ଫେରୁଛନ୍ତି । ଏଭଳି ଘଟଣା ଦ୍ବାରା ଉଭୟ ଶ୍ରୀମନ୍ଦିର ପ୍ରଶାସନ ଏବଂ ସେବାୟତ ବଦନାମ ହେଉଛନ୍ତି । ତେଣୁ ଶ୍ରୀମନ୍ଦିରରେ କାର୍ଯ୍ୟ କରୁଥିବା ଯାତ୍ରୀ ଗୁମାସ୍ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତୁରନ୍ତ ପରିଚୟପତ୍ର ପ୍ରଦାନ ସହିତ ନକଲି ଯାତ୍ରୀ ଗୁମାସ୍ତାଙ୍କ ବିରୋଧରେ ପୋଲିସ କଡ଼ା ଆକ୍ସନ ନେବାକୁ ସେବାୟତ ଓ ଭକ୍ତ ଦାବି କରିଛନ୍ତି।

ଶ୍ରୀମନ୍ଦିରରେ ନକଲି ଯାତ୍ରୀ ଗୁମାସ୍ତାଙ୍କ ପ୍ରାଦୁର୍ଭାବ ବୃଦ୍ଧିକୁ ନେଇ ବାରମ୍ବାର ଅଭିଯୋଗ ହେବା ପରେ ପୁରୀ ପୋଲିସ ପକ୍ଷରୁ ଗତ କିଛି ଦିନ ତଳେ ଚଢ଼ାଉ କରାଯାଇ ୧୨ ଜଣ ନକଲି ଯାତ୍ରୀ ଗୁମାସ୍ତାଙ୍କୁ ଗିରଫ କରାଯାଇଥିଲା। ଏଭଳି ବେଆଇନ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁରୀ ଏସ୍‌ପି ଚେତାବନୀ ଦେଇଥିଲେ । ହେଲେ ମାତ୍ର କେଇଟା ଦିନ ନ ପୁରୁଣୁ ପୋଲିସର ଢିଲା ମନୋଭାବର ଫାଇଦା ଉଠାଇ ପୁଣି କିଛି ଅସାଧୁ ବ୍ୟକ୍ତି ନିଜର ବ୍ୟବସାୟ ଆରମ୍ଭ କରିଦେଇଛନ୍ତି । ନିଜକୁ ଯାତ୍ରୀ ଗୁମାସ୍ତା ପରିଚୟ ଦେଇ ରାଜ୍ୟ ବାହାରୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କ ଠାରୁ ଦର୍ଶନ କରାଇଦେବା ଆଳରେ ଟଙ୍କା ଆଦାୟ କରୁଥିବା ସାଂଘାତିକ ଅଭିଯୋଗ ହୋଇଛି । ସେପଟେ ପୁରୀ ଏସପି ପ୍ରତୀକ ସିଂ କହିଛନ୍ତି ନକଲି ଯାତ୍ରୀ ଗୁମାସ୍ତାଙ୍କ ବିରୋଧରେ ପୂର୍ବରୁ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ପୁଣି ଏଭଳି ବେଆଇନ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ମଧ୍ୟ ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

Scroll to Top