ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଓବିସି କମିଶନ, ସମସ୍ତ ସମସ୍ୟାର କରିବେ ଶୁଣାଣି
Published By: Kirti – Prameya-News7 Bureau | October 26, 2025 02:22 PM
NEWS7
ଭୁବନେଶ୍ୱର ୨୬।୧୦ : ଆସନ୍ତା ୨୯ ତାରିଖରେ ହେବ ଜାତୀୟ ଓବିସି ଆପତ୍ତି ଅଭିଯୋଗ ଶୁଣାଣି । କେଉଁ ଜାତି ଗୁଡ଼ିକୁ ନୂଆ କରି ଜାତୀୟ ପଛୁଆ ବର୍ଗରେ ସାମିଲ କରିବା ଦରକାର ସେ ନେଇ ସମୀକ୍ଷା ହେବ। ଓଡ଼ିଶାରେ ଶୁଣାଣି କରିବାକୁ ଆସୁଛନ୍ତି ଜାତୀୟ ଓବିସି କମିଶନ। ଏନେଇ ସୂଚନା ଦେବା ସହ ରାଜ୍ୟର ଓବିସି ବର୍ଗଙ୍କୁ ଅଂଶଗ୍ରହଣ କରିବାକୁ ଅପିଲ କରିଛନ୍ତି ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ଵାଳ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି। ଓବିସି କମିଶନ ରାଜ୍ୟକୁ ଦୁଇଦିନିଆ ଗସ୍ତରେ ଆସୁଛନ୍ତି । ୨୯ ଓ ୩୦ ତାରିଖରେ ତାଙ୍କର ମତାମତ ସଂଗ୍ରହର ରହିଛି ଯୋଜନା । ୨୯ ତାରିଖରେ ରାଜ୍ୟ ଅତିଥି ଭବନରେ ଜନ ଶୁଣାଣି କରିବେ ଜାତୀୟ ଓବିସି କମିଶନ। ଓବିସି ବର୍ଗର ଲୋକେ ଆସି ତାଙ୍କ ସମସ୍ୟା ବାବଦରେ ସେହି ଦିନ କମିଶନଙ୍କୁ ତାଙ୍କର ଅଭିଯୋଗ ଜଣାଇ ପାରିବେ । ଏଥିପାଇଁ ରାଜ୍ୟ ରାଜଧାନୀ ସହ ଅନ୍ୟ ଜିଲ୍ଲାରେ ବି କ୍ୟାମ୍ପ ଲଗାଇବେ କମିଶନ ।




