ନୂଆପଡ଼ା ୨୫।୧୦: ନୂଆପଡ଼ା ସ୍ଥିତ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ‘ସୁଭଦ୍ରା ଶକ୍ତି ସମାବେଶ’ରେ ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ସପକ୍ଷରେ ମତଦାନ କରିବାକୁ ମହିଳାଙ୍କୁ କଲେ ନିବେଦନ । ପ୍ରଭାତୀ କହିଛନ୍ତି, ନିର୍ବାଚନରେ ଜୟର ବିଜୟ ସୁନିଶ୍ଚିତ । ‘ସୁଭଦ୍ରା ଶକ୍ତି ସମାବେଶ’ରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଦୃଢ଼ୋକ୍ତି । ସମାବେଶରେ ବିଜେଡି ପ୍ରାର୍ଥୀଙ୍କୁ ଟାର୍ଗେଟ୍ କଲେ ଉପମୁଖ୍ୟମନ୍ତ୍ରୀ । କହିଲେ- ବାହାଘର ପରେ ବାପଘର ବହୁ ଦୂର, ମାମୁଁ ଘର ସାତ ପର ।
ସୁଭଦ୍ରା ଶକ୍ତି ସମାବେଶରେ ଅଭିଭାଷଣ ରଖି ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ ହେଉଛି ଜଣେ ସାଧାରଣ ମହିଳା । ଯାହାକୁ ବିଜେପି ଜଣେ ଉପମୁଖ୍ୟମନ୍ତ୍ରୀ କରିଛି । ପୂର୍ବରୁ ଅନେକ ସରକାର ହୋଇଛି । ହେଲେ ମହିଳାଙ୍କୁ ଦାୟିତ୍ୱ ଦେଇ ନଥିଲେ । ଲକ୍ଷ୍ମୀ ଏବେ ପଦ୍ମଫୁଲ ଧରି ଆପଣଙ୍କ ଘର ଖଟଖଟ କରୁଛନ୍ତି । ଆମେ ସରକାରରେ ଆସିବା ପରେ ସୁଭଦ୍ରା ଯୋଜନାରେ କୋଟିଏ ମହିଳାଙ୍କୁ ଗୋଟିଏ କ୍ଲିକ୍ରେ ମୁଖ୍ୟମନ୍ତ୍ରୀ ଟଙ୍କା ପଠାଇ ଦେଉଛନ୍ତି । ଆଜି ମହିଳାଙ୍କ ସ୍ଥିତି ବଦଳିଛି । ଲକ୍ଷପତି ଦିଦିରେ ମଧ୍ୟ ଆମେ ଏକ ନମ୍ବର ହୋଇଛୁ । ବ୍ୟାଙ୍କରେ ମଙ୍ଗଳବାର ମହିଳାଙ୍କ ଦିନ ଭାବରେ ଘୋଷଣା କରିଛନ୍ତି ମୋଦୀ । ୧୭ ଲକ୍ଷ ଲକ୍ଷପତି ଦିଦି ଆଜି ରାଜ୍ୟରେ ଅଛନ୍ତି । ନୂଆପଡ଼ାରେ ସବୁଠାରୁ ଅଧିକ ସୁଭଦ୍ରା ଓ ଲକ୍ଷପତି ଦିଦି ଅଛନ୍ତି । ନୂଆପଡ଼ାର ବିକାଶର ନକ୍ସା ମୁଖ୍ୟମନ୍ତ୍ରୀ ଆଙ୍କିଛନ୍ତି । ନୂଆପଡ଼ା ସବୁ ଘରେ ଆମେ ବିକାଶ ପହଞ୍ଚାଇବୁ । ମୁଁ ଆପଣଙ୍କ ଜଣେ ଭଉଣୀ । କଳ୍ପନା ଭଉଣୀ (ଜୟଙ୍କ ମା’) ଜଣେ ବାପା ଛେଉଣ୍ଡ ପୁଅକୁ ଆପଣଙ୍କ ପଣକାନିରେ ଦେଇଛନ୍ତି । ତାଙ୍କୁ ଆଶୀର୍ବାଦ କରନ୍ତୁ ।
ବିଜେଡିକୁ ଟାର୍ଗେଟ୍ କରି ପ୍ରଭାତୀ କହିଛନ୍ତି, ବିଜେଡିକୁ ନୂଆପଡ଼ାରୁ ପ୍ରାର୍ଥୀ ମିଳିଲେ ନାହିଁ । ତେଣୁ ବାହାରୁ ପ୍ରାର୍ଥୀ ଆଣିଛନ୍ତି । ନିର୍ବାଚନ ପରେ ସେମାନେ ନଥିବେ । କେବଳ ଜୟ ଢୋଲକିଆ ଆପଣଙ୍କ ପାଖରେ ଥିବେ । ବିଜେଡି ପ୍ରାର୍ଥୀ କହିଛନ୍ତି ଏଠି କ’ଣ ତାଙ୍କର ମାମୁଁ ଘର । ବାହାଘର ପରେ ବାପଘର ବହୁ ଦୂର । ମାମୁଁ ଘର ସାତ ପର । ସେ ଏଠି ଶାସନ କରିବାକୁ କ’ଣ ଆସିବେ । ଆମର ଡବଲ ଇଞ୍ଜିନ । ଯେଉଁ ମାନଙ୍କ ପାଖରେ ଇଞ୍ଜିନ ନାହିଁ ସେ କ’ଣ ବିକାଶ କରିବେ । ଏ ନିର୍ବାଚନରେ ଜୟର ବିଜୟ ସୁନିଶ୍ଚିତ ।




