ଶ୍ରୀନଗର ୨୪।୧୦: ଜମ୍ମୁ-କାଶ୍ମୀର ରାଜ୍ୟସଭା ନିର୍ବାଚନରେ ଶାସକ ଜମ୍ମୁ-କାଶ୍ମୀର ନ୍ୟାସନାଲ କନଫରେନ୍ସ (ଜେକେଏନସି)କୁ ବିଧାନସଭା ସଂଖ୍ୟାମତ ଅନୁସାରେ ୩ଟି ଆସନ ମିଳିଛି। ରମଜାନ, ସମ୍ମୀ ଓ ସଜ୍ଜାଦ ବିଜୟୀ ହୋଇଛନ୍ତି। ତେବେ ଗୋଟିଏ ସିଟ୍ ବିଜେପି ହାତକୁ ଯାଇଛି। ହେଲେ ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ମିଳିଥିବା ୪ ଅତିରିକ୍ତ ଭୋଟକୁ ନେଇ ଏବେ ପ୍ରଶ୍ନ ଉଠିଛି। ଜେକେଏନସି ନେତା ତଥା ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଏହି ପ୍ରଶ୍ନ ଉଠାଇଛନ୍ତି।
ଉମର ଅବଦୁଲ୍ଲା ଏ ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିବା ବେଳେ ଆମର କୌଣସି ବିଧାୟକ କ୍ରସ ଭୋଟିଂ କରି ନାହାନ୍ତି ବୋଲି ଉଲ୍ଲେଖ କରିଛନ୍ତି। ହେଲେ ବିଜେପି ପ୍ରାର୍ଥୀଙ୍କୁ ୪ ଅତିରିକ୍ତ ଭୋଟ କିପରି ମିଳିଲା ସେ ନେଇ ପ୍ରଶ୍ନ କରିଛନ୍ତି। ଉମର ଅବଦୁଲ୍ଲା ଲେଖିଛନ୍ତି ଯେ ଜେକେଏନସିର ସବୁ ଭୋଟ ରାଜ୍ୟସଭା ନିର୍ବାଚନ କୁ ମିସାଇ ଏପର୍ଯ୍ୟନ୍ତ ଅନୁଷ୍ଠିତ ୪ଟି ନିର୍ବାଚନରେ ସମାନ ରହିଛି। ଆମର କୌଣସି ବିଧାୟକ କ୍ରସ ଭୋଟିଂ କରି ନାହାନ୍ତି। ଏଣୁ ପ୍ରଶ୍ନ ଉଠୁଛି ବିଜେପିକୁ ୪ ଅତିରିକ୍ତ ଭୋଟ କୁଆଡୁ ମିଳିଲା? ଏହି ବିଧାୟକମାନେ କିଏ ଯେଉଁମାନେ ଭୋଟ ଦେବା ସମୟରେ ଭୁଲ ସଂଖ୍ୟା ଲେଖି ଜାଣିଶୁଣି ନିଜ ଭୋଟ ଅମାନ୍ୟ କରିଛନ୍ତି? ସେମାନେ ଆମକୁ ଭୋଟ ଦେବାକୁ ପ୍ରତିଶ୍ରୁତି ଦେଇ ପରେ ବିଜେପିକୁ ସହଯୋଗ କରିଥିବାର ସ୍ୱୀକାର କରିବେକି ?
All of @JKNC_ votes remained intact across the four elections, as witnessed by our election agent who saw each polling slip. There was no cross voting from any of our MLAs so the questions arise – where did the 4 extra votes of the BJP come from? Who were the MLAs who…
— Omar Abdullah (@OmarAbdullah) October 24, 2025
ଉମର ଅବଦୁଲ୍ଲା ପ୍ରଶ୍ନ କରିଛନ୍ତି ଯେ କେଉଁ ଚାପ ଓ ପ୍ରଲୋଭନରେ ସେମାନେ ଏହି ନିର୍ବାଚନରେ ବିଜେପିକୁ ସହାୟତା କଲେ? ତେବେ ଦେଖା ଯାଉ ବିଜେପିର ଗୁପ୍ତ ଟିମ୍ ରୁ କେହି ନିଜ ଆତ୍ମା ବିକ୍ରି କରିଥିବା କଥା ସ୍ୱୀକାର କରୁଛନ୍ତି କି ନା! ଉଲ୍ଲେଖଯୋଗ୍ୟ ଯେ ଶୁକ୍ରବାର ଜମ୍ମୁ-କାଶ୍ମୀର ରାଜ୍ୟସଭା ଆସନ ନିମନ୍ତେ ଭୋଟ ଗ୍ରହଣ ହୋଇଛି। ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିଥିବା ମତଦାନ ପରେ ୫ଟା ବେଳେ ଭୋଟ ଗଣତି ହୋଇଛି। ଏହି ମତଦାନରେ ଜମ୍ମୁ-କାଶ୍ମୀର ବିଧାନସଭାର ୮୬ ଜଣ ବିଧାୟକ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି।
ରାଜ୍ୟର ୪ ରାଜ୍ୟସଭା ସିଟ୍ ମଧ୍ୟରୁ ୩ ଆସନରେ ଜେକେଏନସି ବିଜୟୀ ହୋଇଛି। ଜେକେଏନସି ପ୍ରାର୍ଥୀ ଚୌଧୁରୀ ମହମ୍ମଦ ରମଜାନ, ଶମ୍ମି ଓବରାୟ ଓ ସଜାଦ କିଚଲୁ ବିଜୟୀ ହୋଇଛନ୍ତି। ସେପଟେ ଗୋଟିଏ ଆସନରେ ବିଜେପିର ସତ ଶର୍ମା ନିର୍ବାଚିତ ହୋଇଛନ୍ତି। ବିଧାନସଭାରେ କମ ବିଧାୟକ ସତ୍ତ୍ୱେ ବିଜେପି ଏହି ଆସନଟି ହାତେଇ ନେଇଛି। ବିଜେପିର ସତ ଶର୍ମାଙ୍କୁ ୩୨ଟି ଭୋଟ ମିଳିଛି। ରାଜ୍ୟସଭାର ପ୍ରଥମ ସିଟ୍ ରେ ଚୌଧୁରୀ ମହମ୍ମଦ ରମଜାନ ବିଜେପିର ଅଲି ମହମ୍ମଦ ମୀରଙ୍କୁ ହରାଇଛନ୍ତି। ରମଜାନଙ୍କୁ ୫୮ଟି ଭୋଟ ମିଳିଛି ଓ ଗୋଟିଏ ଭୋଟ ନାକଚ ହୋଇଛି।
ସେହିପରି ଦ୍ୱିତୀୟ ଆସନରେ ସଜାଦ କିଚଲୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି।ବିଧାନସଭାରେ ଜେକେଏନସିର ୫୨ଟି ଆସନ ରହିଛି। କଂଗ୍ରେସର ୬ଟି ଆସନ ଥିବା ବେଳେ ପିଡିପିର ୩ ଓ ସ୍ୱାଧୀନ ବିଧାୟକଙ୍କ ୭ଟି ଆସନ ରହିଛି। ମୋଟ ୬୮ଟି ଭୋଟ ଶାସକ ମେଣ୍ଟ ନିକଟରେ ଥିବା ବେଳେ ଏଥିରୁ ଦୁଇଟି ଆସନ ମିଳିବା ନିଶ୍ଚିତ ଥିଲା। ପ୍ୟୁପିଲସ କନଫରେନ୍ସର ସଜାଦ ଲୋନ ଭୋଟଦାନରୁ ବିରତ ଥିବା ବେଳେ ମୋଟ ୮୭ଟି ଭୋଟ ପଡିଥିଲା।




