ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ୪ ରାଜ୍ୟସଭା ଆସନ ଉପରେ ହୋଇଥିବା ନିର୍ବାଚନର ଫଳାଫଳ ସାମନାକୁ ଆସିଛି । ରାଜ୍ୟସଭା ନିର୍ବାଚନରେ ତିନି ଆସନରେ ନ୍ୟାସନାଲ୍ କନଫରେନ୍ସ ବିଜୟୀ ହୋଇଛି । ଅନ୍ୟପଟେ ଗୋଟିଏ ଆସନରେ ବିଜେପି ବିଜୟୀ ହୋଇଛି । ନ୍ୟାସନାଲ୍ କନଫରେନ୍ସର ପ୍ରାର୍ଥୀ ଚୌଧୁରୀ ମହମ୍ମଦ ରମଜାନ, ସଜ୍ଜାଇ ଅହମଦ କିଚଲୁ ଓ ସମି ଓବେରୟ ବିଜୟୀ ହୋଇଛନ୍ତି । ଅନ୍ୟପଟେ ଚତୁର୍ଥ ଆସନରେ ବିଜେପିର ସତ ଶର୍ମାଙ୍କ ବିଜୟ ହୋଇଛି । ଚାରି ଆସନରେ ଶୁକ୍ରବାର ନିର୍ବାଚନ ହୋଇଥିଲା ଓ ସଂଧ୍ୟାରେ ପରିଣାମ ଘୋଷଣା ହୋଇଛି ।
ଜମ୍ମୁ କାଶ୍ମୀରରେ ଚାରି ଆସନ ଉପରେ ହେବାକୁ ଥିବା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ତିନି ଭିନ୍ନ ଭିନ୍ନ ଅଧିସୂଚନା ଜାରି କରିଥିଲେ । ଏଥିରେ ଗୋଟିଏ ଗୋଟିଏ ଆସନ ପାଇଁ ପ୍ରଥମେ ଦୁଇଟି ଅଧିସୂଚନା ଜାରି କରାଯାଇଥିଲା । ଏହାପରେ ବଳକା ଦୁଇ ଆସନ ପାଇଁ ତୃତୀୟ ଅଧିସୂଚନା ଜାରି କରାଯାଇଥିଲା । ପ୍ରଥମେ ଯେଉଁ ଦୁଇ ଅଧିସୂଚନା ଜାରି କରାଯାଇଥିଲା, ସେଥିରେ ଏନସିର ବିଜୟ ସୁନିଶ୍ଚିତ ଥିଲା । ଶେଷ ଦୁଇ ସିଟରେ ନିର୍ବାଚନ ହେବାର ଥିଲା ଓ ବିଜେପି ଏବଂ ଏନସି ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଥିଲା ।
Rajya Sabha elections | JKNC senior leader Choudhary Mohammad Ramzan elected to the Rajya Sabha from Jammu and Kashmir, after winning by 58 votes. Party leaders Sajad Kichloo and Shammi Oberoi also won two respective seats, says the National Conference.
— ANI (@ANI) October 24, 2025
ଉଲ୍ଲେଖଯୋଗ୍ୟ ଯେ ଜମ୍ମୁ କାଶ୍ମୀରରେ ନ୍ୟାସନାଲ କନଫରେନ୍ସ ନେତୃତ୍ୱାଧୀନ ମେଣ୍ଟକୁ ୫୩ ଜଣ ବିଧାୟକଙ୍କ ସମର୍ଥନ ମିଳିଛି । ବିଧାନସଭାରେ ନ୍ୟାସନାଲ କନଫରେନ୍ସର ୪୧ ଜଣ, କଂଗ୍ରେସର ୬ ଜଣ ଏବଂ ସିପିଆଇର ଜଣେ ବିଧାୟକ ଅଛନ୍ତି । ଜମ୍ମୁ କାଶ୍ମୀରରେ ସାତ ଜଣ ସ୍ୱାଧୀନ ବିଧାୟକ ମଧ୍ୟ ଅଛନ୍ତି, ଯେଉଁମାନଙ୍କ ମଧ୍ୟରୁ ପାଞ୍ଚ ଜଣ ନ୍ୟାସନାଲ କନଫରେନ୍ସ ସରକାରଙ୍କୁ ସମର୍ଥନ କରିଛନ୍ତି । ଶୁକ୍ରବାର ସକାଳେ, ପିଡିପି ମୁଖ୍ୟ ମେହବୁବା ମୁଫତି ମଧ୍ୟ ନ୍ୟାସନାଲ କନଫରେନ୍ସ ପ୍ରାର୍ଥୀଙ୍କୁ ତାଙ୍କର ତିନି ଜଣ ବିଧାୟକଙ୍କ ସମର୍ଥନ ପ୍ରତିଶ୍ରୁତି ଦେଇଥିଲେ ।
ଅନ୍ୟପଟେ ବିଧାନସଭାରେ ବିଜେପିର ୨୮ ଜଣ ବିଧାୟକ ଅଛନ୍ତି । ପିପୁଲ୍ସ କନଫରେନ୍ସ ବିଧାୟକ ସଜ୍ଜାଦ ଲୋନ୍ ଭୋଟ ଦେବାରୁ ବିରତ ରହିଥିଲେ । ଇଞ୍ଜିନିୟର ରସିଦଙ୍କ ଭାଇ ଅବଦୁଲ ରସିଦ ମଧ୍ୟ ଭୋଟ ଦେବାରୁ ବିରତ ରହିଥିଲେ । ଏହିପରି, ବିଜେପିର ସତ ଶର୍ମାଙ୍କ ବିଜୟ ନିଶ୍ଚିତ ହୋଇଥିଲା ।




