ୱାସିଂଟନ ୨୪।୧୦: କାରବିୟାନ ସାଗରରେ ଆମେରିକା ଆଉ ଏକ ଡ୍ରଗସ୍ ବୋଝେଇ ଜାହାଜକୁ ଧ୍ୱଂସ କରିଛି। ମିଜାଇଲ ଆକ୍ରମଣରେ ଜାହାଜ ଧ୍ୱଂସ ହୋଇଥିବା ବେଳେ ଡ୍ରଗସ ନେଇ ଯାଉଥିବା ୬ ଜଣ ତସ୍କର ପ୍ରାଣ ହରାଇଛନ୍ତି। ଆମେରିକା ପ୍ରତିରକ୍ଷାମନ୍ତ୍ରୀ ପିଟ୍ ହେଗସେଥ ଶୁକ୍ରବାର ଡ୍ରଗସ୍ ବୋଝେଇ ଜାହାଜ ଉପରେ ମିଜାଇଲ ଆକ୍ରମଣର ଭିଡିଓ ସେୟାର କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ଏପରି ସନ୍ଦିଗ୍ଧ ଜାହାଜ ଉପରେ ଆମେରିକା ସେନାର ଏହା ୧୦ମ ଆକ୍ରମଣ।
ଦେଶରେ ଡ୍ରଗ କାର୍ଟଲଙ୍କ ବିରୋଧରେ ଆମେରିକା କାର୍ଯ୍ୟାନୁଷ୍ଠାନରେ ଏ ପର୍ଯ୍ୟନ୍ତ ମୋଟ ୪୬ ଜଣ ତସ୍କରଙ୍କ ମୃତ୍ୟୁ ହେଲାଣି। ସୋସିଆଲ ମିଡିଆ ପୋଷ୍ଟରେ ହେଗସେଥ ଉଲ୍ଲେଖ କରିଛନ୍ତି ଯେ ଏହି ଡ୍ରଗସ୍ ବୋଝେଇ ଜାହାଜ ଟ୍ରେନ ଡେ ଅରାଗୁଆ ଗ୍ୟାଙ୍ଗ ଦ୍ୱାରା ସଞ୍ଚାଳିତ ହେଉଥିଲା। ଯୁକ୍ତରାଷ୍ଟ୍ର ଆମେରିକା ଏବେ ଡ୍ରଗସ୍ ତସ୍କର ଓ ପରିବହନ ଉପରେ କଡ଼ା ନଜର ରଖୁଛି। ଗତ ସେପ୍ଟେମ୍ବରରେ ତସ୍କରଙ୍କ ବିରୋଧରେ ଆମେରିକା ଦ୍ରୁତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା। ସେତେବେଳେ କିଛି ସପ୍ତାହରେ ଏପରି ଗୋଟିଏ ଆକ୍ରମଣ ହେଉଥିଲା। ହେଲେ ଏବେ ସପ୍ତାହକୁ ଏପରି ୩ଟି ଘଟଣା ଘଟୁଛି।
Overnight, at the direction of President Trump, the Department of War carried out a lethal kinetic strike on a vessel operated by Tren de Aragua (TdA), a Designated Terrorist Organization (DTO), trafficking narcotics in the Caribbean Sea.
The vessel was known by our… pic.twitter.com/lVlw0FLBv4
— Secretary of War Pete Hegseth (@SecWar) October 24, 2025
ଚଳିତ ସପ୍ତାହରେ ପୂର୍ବ ପ୍ରଶାନ୍ତ ମହାସାଗରରେ ଏଇଭଳି ୨ଟି ଆକ୍ରମଣ ହୋଇଥିବା ବେଳେ କାରବିୟାନ ସାଗରରେ ଗୋଟିଏ ଆକ୍ରମଣ ହୋଇଛି। ହେଗସେଥ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ରାଷ୍ଟ୍ରପତି ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଯୁଦ୍ଧ ବିଭାଗ ରାତାରାତ ଏହି କାର୍ଯ୍ୟାନୁଷ୍ଠାନ କରିଛି। ଏଥିରେ ଟ୍ରେନ ଡେ ଅରାଗୁଆ (ଟିଡିଏ) ସଞ୍ଚାଳିତ ଏକ ଜାହାଜ ଉପରେ ଘାତକ ଆକ୍ରମଣ କରାଯାଇଛି। ଏହା ଏକ ନିର୍ଦ୍ଧାରିତ ଆତଙ୍କବାଦ ସଙ୍ଗଠନ (ଡିଟିଓ) ହୋଇଥିବା ବେଳେ କାରବିଆନ ସାଗରରେ ନିଶା ସାମଗ୍ରୀ ତସ୍କରୀ କରୁଥିଲା।
ଗୁଇନ୍ଦା ସୂଚନା ଅନୁସାରେ ଏହି ଜାହାଜ ଅବୈଧ ନିଶା ସାମଗ୍ରୀ ତସ୍କରୀରେ ସାମିଲ ଥିଲା ଓ ଜ୍ଞାତ ନାର୍କୋ ତସ୍କରୀ ମାର୍ଗରେ ଚାଲୁଥିଲା। ଆକ୍ରମଣ ସମୟରେ ଜାହାଜରେ ୬ ଜଣ ପୁରୁଷ ନାର୍କୋ ଆତଙ୍କବାଦୀ ଥିଲେ। ଏହି ଆକ୍ରମଣ ଅନ୍ତର୍ଜାତୀୟ ଜଳକ୍ଷେତ୍ରରେ ହୋଇଛି ଓ ରାତିର ଏହା ପ୍ରଥମ ଆକ୍ରମଣ ଥିଲା। ସମସ୍ତ ୬ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରେ ଆମେରିକା ନୌସେନାର କୌଣସି ଧନଜୀବନ ହାନୀ ହୋଇ ନାହିଁ। ହେଗସେଥ୍ ଡ୍ରଗ କାର୍ଟଲଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ଯଦି ତୁମେ ଆମ ଗୋଲାର୍ଦ୍ଧରେ ନିଶା ସାମଗ୍ରୀ ତସ୍କରୀ କରୁଥିବା ଆତଙ୍କବାଦୀ ତେବେ ଅମେ ତୁମକୁ ଅଲ-କାଏଦା ଭଳି ବ୍ୟବହାର କରିବୁ। ଆମେ ତୁମ ନେଟୱାର୍କକୁ ଠାବ କରିବୁ, ତୁମ ଲୋକଙ୍କ ଉପରେ ନଜର ରଖିବୁ, ତୁମର ପିଛା କରିବୁ ଓ ତୁମକୁ ନିଶେଷ କରିଦେବୁ।




