ନୂଆଦିଲ୍ଲୀ ୨୪।୧୦: ପ୍ରତ୍ୟେକ ମହିଳାଙ୍କ ପାଇଁ ନିଜର ଓ୍ବେଡିଂ ଡ୍ରେସ୍ ସ୍ୱତନ୍ତ୍ର ହୋଇଥାଏ । କିନ୍ତୁ ଯଦି ଆମେ ଆପଣଙ୍କୁ କହିବୁ ଯେ ଏକ ବିବାହ ପୋଷାକର ଦାମ୍ ୨୫୮ କୋଟି ଟଙ୍କା, ତେବେ ଆପଣ କ‘ଣ ବିଶ୍ୱାସ କରିବେ ? ଏହା କୌଣସି ଫିଲ୍ମ କାହାଣୀ ନୁହେଁ, ବରଂ ସତ ଘଟଣା।
୨୦୧୫ରେ ହୋଇଥିଲା ଚୀନ୍ର ପ୍ରସିଦ୍ଧ ଅଭିନେତ୍ରୀ ଏବଂ ମଡେଲ୍ ଆଞ୍ଜେଲାବେବିଙ୍କ ବିବାହ । ଏହା କୌଣସି ରାଜକୀୟ କାର୍ଯ୍ୟକ୍ରମଠାରୁ କମ୍ ନଥିଲା। କିନ୍ତୁ ଚର୍ଚ୍ଚାର ପ୍ରକୃତ ବିଷୟ ଥିଲା ତାଙ୍କ ଓ୍ବେଡିଂ ଡ୍ରେସ୍ । ଯାହା ବିଶେଷ ଭାବରେ ପ୍ରସିଦ୍ଧ ଡିଜାଇନର୍ କ୍ରିଶ୍ଚିଆନ୍ ଡାୟୋର୍ଙ୍କ ଦ୍ୱାରା କରାଯାଇଥିଲା ଡିଜାଇନ୍ ।
ଏହି ଗାଉନର ଦାମ୍ ପ୍ରାୟ ୩୧ ନିୟୁତ ଡଲାର ଅର୍ଥାତ୍ ପ୍ରାୟ ୨୫୮ କୋଟି ଟଙ୍କା ବୋଲି କୁହାଯାଉଛି। ଏହି ପୋଷାକଟି ୭ଟି ସ୍ତରର ଟୁଲ୍ କପଡ଼ାରେ ତିଆରି ହୋଇଥିଲା । ଯେଉଁଥିରେ ୧୦୦ଟି ହାତ ତିଆରି ଲେସ୍ ଗୋଲାପ ଏବଂ ୧୦ ଫୁଟ ଲମ୍ବା ଟ୍ରେଲ୍ ଥିଲା। ଏଥିରେ ଲାଗିଥିବା ପ୍ରତ୍ୟେକ ସୂତା ଏବଂ ମୋତି ଜଟିଳ ଭାବରେ ସଜ୍ଜିତ ହୋଇଥିଲା । ଯାହା ଏହାକୁ ବିଶ୍ୱର ସବୁଠାରୁ ସ୍ୱତନ୍ତ୍ର ବିବାହ ପୋଷାକ ମଧ୍ୟରୁ ଗୋଟିଏ କରିଥିଲା।
ବିଶ୍ୱର ଦ୍ୱିତୀୟ ସବୁଠାରୁ ମହଙ୍ଗା ବିବାହ ପୋଷାକଟି ୧୫୦ କ୍ୟାରେଟ୍ ପ୍ରକୃତ ହୀରା ସହିତ ଜଡିତ। ଏହି ଗାଉନର ମୂଲ୍ୟ ପ୍ରାୟ ୧୨ ନିୟୁତ ଡଲାର ଅର୍ଥାତ୍ ପ୍ରାୟ ୧୦୦ କୋଟି। ଏହା ବିଶ୍ୱର ସର୍ବୋତ୍ତମ ରେଶମ ଏବଂ ହାତ ତିଆରି କପଡ଼ାରୁ ତିଆରି କରାଯାଇଥିଲା । ଏହି ପୋଷାକ କେବଳ ଏକ ପୋଷାକ ନୁହେଁ ବରଂ ଏକ ଅଳଙ୍କାର ମାଷ୍ଟରପିସ୍ । ଯାହା ବିଳାସ ଏବଂ ରାଜକୀୟତାର ପରିଭାଷା ବଦଳାଇ ଦେଇଥିଲା ।
ଦୁବାଇର ଏକ ପ୍ରସିଦ୍ଧ ଫ୍ୟାଶନ୍ କମ୍ପାନୀ ସମ୍ପୂର୍ଣ୍ଣ ସୁନାରେ ତିଆରି କରିଥିଲେ ଏକ ଓ୍ବେଡିଂ ଗାଉନ୍ । ଏଥିରେ ପ୍ରାୟ ୧୦ କିଲୋଗ୍ରାମ ଶୁଦ୍ଧ ସୁନା ବ୍ୟବହାର କରାଯାଇଥିଲା ଏବଂ ଏହାର ମୂଲ୍ୟ ପ୍ରାୟ ୧.୦୮ ନିୟୁତ ଡଲାର ପ୍ରାୟ ୧୧ କୋଟି ଟଙ୍କା ଆକଳନ କରାଯାଇଥିଲା ।
ଏହି ପୋଷାକ ପାରମ୍ପରିକ ଏମିରାତି ଐତିହ୍ୟ ଦ୍ୱାରା ଅନୁପ୍ରାଣିତ । ଏହି ପୋଷାକ ଦର୍ଶାଏ ଯେ ଆରବ ଦେଶଗୁଡ଼ିକରେ ବିବାହ କେବଳ ଏକ ଉତ୍ସବ ନୁହେଁ ବରଂ ଷ୍ଟାଟସ୍ ମଧ୍ୟ ପ୍ରଦର୍ଶିତ କରିଥାଏ ।




