ବଲାଙ୍ଗୀର ୨୦।୧୦ : ବଲାଙ୍ଗିର ଆଗଲପୁରରସ୍ଥିତ ଗାଈଖାଇ ଡ୍ୟାମରେ ଭାସୁଛି ଶହ ଶହ ମଲା କୁକୁଡା । ଇକୋ ଟୁରିଜିମର ମାନ୍ୟତା ପାଇଥିବା ଏହି ଡ୍ୟାମରେ ଏଭଳି ଅସ୍ବାସ୍ଥ୍ୟକର ପରିବେଶକୁ ନେଇ ପର୍ଯ୍ୟଟକମାନେ ନାକ ଟେକୁଛନ୍ତି । ତେବେ ଏତେ ପରିମାଣର ମଲା କୁକୁଡ଼ା କେଉଁଠୁ ଓ କେମିତି ଭାସି ଆସିଲେ ସେନେଇ ପ୍ରଶ୍ନ ଉଠିଛି । ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି।
ଡ୍ୟାମରେ ଭାସୁଛି ଶହ ଶହ ମଲା ବ୍ରଏଲର କୁକୁଡା। କୁକୁର ମଧ୍ୟ ମରି ଭାସୁଥିବା ଦେଖିବାକୁ ମିଳିଛି । ବଲାଙ୍ଗିର ଆଗଲପୁରରେ ଥିବା ଗାଇ ଖାଇ ଡ୍ୟାମରେ ଭାସୁଛନ୍ତି ଶହ ଶହ କୁକୁଡ଼ା । ବହୁ ସଂଖ୍ୟାରେ ମଲା କୁକୁଡ଼ା ଭାସୁଥିବାରୁ ଡ୍ୟାମ ପାଣି ଅପରିଷ୍କାର ହୋଇଥିବା ବେଳେ ଦୁର୍ଗନ୍ଧରେ ନାକ ଫାଟିଯାଉଛି । ସ୍ଥାନୀୟ କିଛି ଲୋକ ମଲା କୁକୁଡାଙ୍କୁ ପାଣିରୁ ବାହାର କରିଛନ୍ତି । ହେଲେ ଏତେ ପରିମାଣର ମଲା କୁକୁଡ଼ା କେଉଁଠୁ ଓ କେମିତି ଭାସି ଆସିଲେ ସେନେଇ ପ୍ରଶ୍ନ ଉଠିଛି । ଉପରମୁଣ୍ଡରେ ଥିବା ମୁଖ୍ୟ କେନାଲରେ ମଲା କୁକୁଡା ଭାସିଆସିଥିବା ଅନୁମାନ କରାଯାଉଛି। କୌଣସି କୁକୁଡ଼ା ଫାର୍ମରେ ମରିଯାଇଯାଇଥିବା ବେଳେ ସେଗୁଡିକୁ ଭସାଇ ଦେଇଥିବା ଅଭିଯୋଗ ହୋଇଛି।
ପଶ୍ଚିମ ଓଡିଶାର ଏହି ଡ୍ୟାମ୍ ଇକୋ ଟୁରିଜିମର ମାନ୍ୟତା ପାଇଛି । ହେଲେ ଏଭଳି ଚିତ୍ର ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କୁ ବ୍ୟଥିତ କରିଛି। କାରଣ ଏହି ଡ୍ୟାମ ପାଣିକୁ ପର୍ଯ୍ୟଟକମାନେ ବଣଭୋଜିରେ ବ୍ୟବହାର କରୁଛନ୍ତି। ଏମିତିକି ଡ୍ୟାମରୁ ବାହାରିଥିବା କେନାଲ ପାଣି ଉପରେ ଆଖପାଖ ଗାଁ ଲୋକେ ନିର୍ଭର କରନ୍ତି । ଚାଷ କାମ ସମେତ ବିଭିନ୍ନ କାମରେ ପାଣି ବ୍ୟବହାର କରୁଛନ୍ତି । କିନ୍ତୁ ଏଭଳି ଦୂଷିତ ପାଣି ଲୋକଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇବ। ତେଣୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି। ସେପଟେ ଏନେଇ ସ୍ଥାନୀୟ ଜଳସେଚନ ବିଭାଗ ସହ ଯୋଗାଯୋଗ କରିବାରୁ କୌଣସି ଉତ୍ତର ମିଳିନଥିଲା । ସେପଟେ ଏନେଇ ବନବିଭାଗ ତଦନ୍ତ କରୁଥିବା କହିଛନ୍ତି ଡିଏଫଓ। ଆଗକୁ ପର୍ଯ୍ୟଟନ ଋତୁ । ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଏହି ପର୍ଯ୍ୟଟନସ୍ଥଳୀଙ୍କୁ ପର୍ଯ୍ୟଟକଙ୍କ ସୂଅ ଛୁଟିବ। କିନ୍ତୁ ଏଭଳି ଅସ୍ବାସ୍ଥ୍ୟକର ପରିସ୍ଥିତି ହେଲେ ପର୍ଯ୍ୟଟକଙ୍କ ସଂଖ୍ୟା କମିବା ନିଶ୍ଚିତ।




