O

o

ସେଇ ଅକ୍ଟୋବର, ସେଇ ବଙ୍ଗୋପସାଗର ଆଉ ସେଇ ଭୟ…ଆମେରିକୀୟ ପାଣିପାଗ ସଂସ୍ଥା GFS ମଡେଲର ପୂର୍ବାନୁମାନ ପରେ ଏବେ ଏମିତି କିଛି ଆଶଙ୍କା। ଏଇ ମାସ ଶେଷ ସପ୍ତାହ ଅର୍ଥାତ୍ ୨୪ରୁ ୨୫ ତାରିଖ ଭିତରେ ବଙ୍ଗୋପସାଗରରେ ଦୁଇଟି ବାତ୍ୟାର ଅନୁମାନ କରାଯାଉଛି।

author-image

CYCLONE-FEAR

CYCLONE-FEAR Photograph: (OTV)

ସେଇ ଅକ୍ଟୋବର, ସେଇ ବଙ୍ଗୋପସାଗର ଆଉ ସେଇ ଭୟ…ଆମେରିକୀୟ ପାଣିପାଗ ସଂସ୍ଥା GFS ମଡେଲର ପୂର୍ବାନୁମାନ ପରେ ଏବେ ଏମିତି କିଛି ଆଶଙ୍କା। ଏଇ ମାସ ଶେଷ ସପ୍ତାହ ଅର୍ଥାତ୍ ୨୪ରୁ ୨୫ ତାରିଖ ଭିତରେ ବଙ୍ଗୋପସାଗରରେ ଦୁଇଟି ବାତ୍ୟାର ଅନୁମାନ କରାଯାଉଛି। ସମୁଦ୍ର ମଝିରେ ଗୋଟିଏ ନୁହେଁ, ସୃଷ୍ଟି ହୋଇପାରେ ଦୁଇ ଦୁଇଟି ବାତ୍ୟା। ହେଲେ ନା ଏହାର ଗତିପଥ ନା ରୂପରେଖ, ସେ ନେଇ କୌଣସି ସ୍ପଷ୍ଟ ସୂଚନା ଆମେରିକୀୟ ପାଣିପାଗ ମଡେଲ GFS ପକ୍ଷରୁ ଦିଆଯାଇନି। ଯେହେତୁ ଅକ୍ଟୋବର ଓ ବଙ୍ଗୋପସାଗରକୁ ନେଇ ପୂର୍ବାନୁମାନ ହୋଇଛି ତେଣୁ ଛନକା ପଶିଛି ଓଡ଼ିଶାବାସୀଙ୍କ ମନରେ।

ତେବେ ଆଶ୍ବସ୍ତିର କଥା-ଏଯାଏଁ ଏନେଇ କୌଣସି ସୂଚନା ଜାରି କରିନି IMD। ଓଟିଭିକୁ ସୂଚନା ଦେଇ ଗତକାଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଥିଲେ- ଏବେ ସୁଦ୍ଧା କେବଳ ଲଘୁଚାପ ଓ ଅବପାତ ଆକଳନ କରାଯାଇଛି। ତେବେ ୨୧ ପୂର୍ବରୁ ମତ୍ସ୍ୟଜୀବୀ କୂଳକୁ ଫେରିଆସିବାକୁ ସେ ପରାମର୍ଶ ଦେଇଛନ୍ତି।

ତେବେ ଅକଟୋବରରେ ବାତ୍ୟା ଆଶଙ୍କାକୁ ଆଦୌ ଏଡ଼ାଇ ହେବନି। ୨୧ ସୁଦ୍ଧା ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେଲେ ତାହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ୨୩ ତାରିଖ ବେଳକୁ ଏହା ଡିପ୍ରେସନରେ ପରିଣତ ହେବ। ଯାହା ପ୍ରଭାବରେ ଆଜିଠୁ ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ବି ଆରମ୍ଭ ହୋଇ ଯାଇଛି।…

ଅକ୍ଟୋବରରେ ଲଘୁଚାପରୁ ଅବପାତ ସମ୍ଭାବନା ବାତ୍ୟା ଆଶଙ୍କାକୁ ବେଶି ବଳ ଯୋଗାଏ। ପାଣିପାଗ ବିଜ୍ଞାନୀଙ୍କ ମତରେ, ଅକ୍ଟୋବରରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଫେରିଯାଏ। ତେଣୁ ସମୁଦ୍ର ଉପରି ଭାଗରେ ତାପମାତ୍ରା ଅଧିକ ଓ ଭିତରେ ପବନର ବେଗ କମ୍-ବେଶି ଥାଏ। ଯାହାକି ଝଡ଼ ସୃଷ୍ଟି କରି ସମୁଦ୍ରକୁ ଅଶାନ୍ତ କରେ। ପୂର୍ବରୁ ୩୧ ଅକ୍ଟୋବର ୧୯୭୧ରେ ବାତ୍ୟା, ୨୯ ଅକ୍ଟୋବର ୧୯୯୯ ମହାବାତ୍ୟା, ୧୨ ଅକ୍ଟୋବର ୨୦୧୩ରେ ଫାଇଲିନ୍, ସେଇ ୧୨ ଅକ୍ଟୋବର ୨୦୧୪ରେ ହୁଡୁହୁଡ୍, ୧୦ ଅକ୍ଟୋବର ୨୦୧୮ରେ ତିତଲି ଏବଂ ୨୩ ଅକ୍ଟୋବର ୨୦୨୪ରେ ଦାନା ଭଳି ସାଇକ୍ଲୋନକୁ ଲୋକେ ଅତି ପାଖରୁ ଦେଖିଛନ୍ତି।

Scroll to Top