ଧରାପଡ଼ିଲା ଦୁର୍ଦ୍ଦାନ୍ତ ଅପରାଧୀ ଚିଆଁ; ନାଁରେ ରହିଛି ହତ୍ୟା, ଡକାୟତି ଭଳି ଜଘନ୍ୟ ମାମଲା

ଧରାପଡ଼ିଲା-ଦୁର୍ଦ୍ଦାନ୍ତ-ଅପରାଧୀ-ଚିଆଁ;-ନାଁରେ-ରହିଛି-ହତ୍ୟା,-ଡକାୟତି-ଭଳି-ଜଘନ୍ୟ-ମାମଲା

ବରଗଡ଼: ଧରାପଡ଼ିଲା ଦୁର୍ଦ୍ଦାନ୍ତ ଅପରାଧୀ  ଚିଆଁ ଓରଫ୍‌ ବୁଦ୍ଧଦେବ ବିଶ୍ବାଳ। ତା’ ସହ ୨ ଆନ୍ତଃରାଜ୍ୟ ନିଶା ବେପାରୀକୁ ମଧ୍ୟ ଗିରଫ କରିଛି ​‌ବିଜେପୁର ପୋଲିସ। ସେମାନଙ୍କ ଠାରୁ ଦେଶୀ ପିସ୍ତଲ ସହ ମାଗାଜିନ, ଜୀବନ୍ତ ଗୁଳି, ଗଞ୍ଜେଇ, ମୋଟର ସାଇକେଲ, ମୋବାଇଲ ଆଦି ଜବତ ହୋଇଛି। ଏହା ସହ ବିଜେପୁର ଥାନା ପୋଲିସ ଆର୍ମସ ଆକ୍ଟ ଏବଂ ଏନଡିପିଏସ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ କରୁଛି।

ସୂଚନା ଅନୁସାରେ, ବିଜେପୁର ଗୁଡ଼ାପାଲିରେ ଯାଞ୍ଚ ସମୟରେ ତିନି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା ପୋଲିସ। ମୁଖ୍ୟ ଅଭିଯୁକ୍ତ ଚିଆଁର ଘର ଝାରସୁଗୁଡ଼ା ଜିଲ୍ଲା ଧୁଲୁଣ୍ଡାରେ, ସେହିଭଳି ଅନ୍ୟ ଦୁଇ ଅଭିଯୁକ୍ତ ହେଉଛନ୍ତି ଛତିଶଗଡ଼ ଚାମ୍ପା-ଜାଞ୍ଜଗିର୍‌ ଜିଲ୍ଲା ରଙ୍ଗନୀର ପାରସରାମ ଭାନୁ ଏବଂ ବୌଦ୍ଧ ଜିଲ୍ଲା ମାଲିବିରାଇର ତାରାକାନ୍ତ ଭୋଇ। ସୋମନଙ୍କ ଠାରୁ ଗୋଟିଏ ଦେଶୀ ପିସ୍ତଲ, ୨ଟି ମାଗାଜିନ, ୧୨ଟି ଜୀବନ୍ତ ଗୁଳି, ୨୯ କେଜି ଗଞ୍ଜେଇ, ଗୋଟିଏ ମୋଟର ସାଇକେଲ, ଗୋଟିଏ ସ୍କୁଟି, ୫ଟି ମୋବାଇଲ ଜବତ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବରଗଡ଼ ଏସପି ପ୍ରହ୍ଲାଦ ସହାୟ ମୀନା।

ମୁଖ୍ୟ ଅଭିଯୁକ୍ତ ଚିଆଁ ଓରଫ ବୁଦ୍ଧଦେବ ବିଶ୍ୱାଲ ନାଁରେ  ପୂର୍ବରୁ ହତ୍ୟା, ଡକାୟତି ଭଳି ୧୬ଟି ମାମଲା ଛତିଶଗଡ଼ ସହ ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଆଦି ଜିଲ୍ଲାର ବିଭିନ୍ନ ଥାନାରେ ରହିଛି। ସେହିପରି ପାରସରାମ ଭାନୁ ନାମରେ ପୂର୍ବରୁ ବଲାଙ୍ଗୀର ଏବଂ ଅମ୍ବାଭୋନା ଥାନାରେ ତିନୋଟି ମାମଲା ରହିଛି। ଏନେଇ ବିଜେପୁର ଥାନା କେସ୍‌ ନମ୍ବର ୨୬୦ ଆର୍ମସ ଆକ୍ଟ ଏବଂ ଏନଡିପିଏସ ଆକ୍ଟରେ ମାମଲା ରୁଜୁ କରିଥିବା ନେଇ ସୂଚନା ଦେଇଛନ୍ତି ବରଗଡ଼ ଏସପି ।

Scroll to Top