ନୂଆପଡ଼ା ୧୮।୧୦: ନୂଆପଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ପିସିସି ସଭାପତି ଭକ୍ତ ଦାସ ଏବଂ କଂଗ୍ରେସର ଅନେକ ତୁଙ୍ଗ ନେତାଙ୍କ ସହ ତେଲିପଡ଼ା ରାମନଗର ସ୍ଥିତ ନିଜ ବାସଭବନରୁ ବିଶାଳ ରାଲିରେ ନାମାଙ୍କନ ଭଳିବାକୁ ବାହାରିଥିଲେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ । ଘାସିରାମଙ୍କ ରାଲିରେ ସାମିଲ ହୋଇଥିଲେ ହଜାର ହଜାର କଂଗ୍ରେସ କର୍ମୀ ଓ ସମର୍ଥକ । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ଦାଖଲ କରିବା ପରେ ଘାସିରାମ ମାଝୀ କହିଛନ୍ତି ଯେ, ନୂଆପଡ଼ାବାସୀ ବାହାର ଲୋକଙ୍କୁ ନୁହେଁ ମାଟିର ପୁଅକୁ ସମର୍ଥନ କରିବେ । ଏହି ଉପନିର୍ବାଚନରେ କଂଗ୍ରେସ ନିଶ୍ଚିତ ଜିତିବ ବୋଲି ଦମ୍ଭୋକ୍ତି କରିଥିଲେ ଘାସିରାମ ମାଝୀ ।
ସେପଟେ ବଡ଼ ରାଲିରେ ଆସି ନାମାଙ୍କନ ଦାଖଲ କଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଏବଂ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ । ଯେତେବେଳେ ନାମାଙ୍କନ ଦାଖଲ କରିବାକୁ ଘରୁ ବାହାରିଥିଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଘର ଠାକୁରଙ୍କୁ ପୂଜାର୍ଚ୍ଚନା କରିବା ପରେ ମାଆ ଏବଂ ଅନ୍ୟ ପରିବାର ସଦସ୍ୟଙ୍କ ଆଶୀର୍ବାଦ ନେଇଥିଲେ । ଏଥି ସହ ଶୁଭ କାର୍ଯ୍ୟରେ ପୁଅ ବାହାରୁ ଥିବାରୁ ଜୟଙ୍କୁ ମିଠା ଦହି ଓ ମିଠା ଖୁଆଇଥିଲେ ପରିବାର ସଦସ୍ୟ । ଖରିଆର ରୋଡ୍ ଠାରୁ ନୂଆପଡ଼ା ପର୍ଯ୍ୟନ୍ତ ହଜାର ହଜାର ସମର୍ଥକଙ୍କ ବାଇକ୍ ରାଲିରେ ଆସିଥିଲେ ଜୟ ଢୋଲକିଆ । ଘରୁ ବାହାରିବା ଠାରୁ ଆରମ୍ଭ କରି ଉପଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିବା ପର୍ଯ୍ୟନ୍ତ ଜୟ ଢୋଲକିଆଙ୍କ ପାଖେ ପାଖେ ଉଭୟ ବସନ୍ତ ପଣ୍ଡା ଓ ତାଙ୍କ ପୁଅ ଅଭିନନ୍ଦନ ପଣ୍ଡାଙ୍କୁ ଦେଖିବାକୁ ମିଳିଥିଲା । କେତେବେଳେ ଜୟଙ୍କୁ ଅଭିନନ୍ଦନ ବାଟ କଡ଼ାଇ ନେଉଥିଲେ ତ ଆଉ କେତେବେଳେ ଆଗକୁ ଆସୁଥିଲେ ବସନ୍ତ ପଣ୍ଡା । ରାଜ୍ୟ ବିଜେପି ସଭାପତି, ପୂର୍ବତନ ସାଂସଦ ବସନ୍ତପଣ୍ଡା, ମନ୍ତ୍ରୀ ରବି ନାରାୟଣ ନାୟକ, ମୁକେଶ ମହାଲିଙ୍ଗ, ଗଣେଶ ରାମସିଂ ଖୁଣ୍ଟିଆଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କରିଥିଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ଜୟଙ୍କ ପାଇଁ ପ୍ରସ୍ତାବକ ସାଜିଥିଲେ ପୂର୍ବତନ ବିଜେପି ସଭାପତି ବସନ୍ତ ପଣ୍ଡା ଏବଂ କୋମନା ବ୍ଲକର ବିଜେପି ନେତା ସୋମନାଥ ଖମାରୀ । ନାମାଙ୍କନ ଦାଖଲ ପରେ କେନ୍ଦ୍ର ଓ ରାଜ୍ୟ ନେତୃତ୍ବଙ୍କୁ ଧନ୍ୟବାଦ ଜଣାଇଥିଲେ ଜୟ ଢୋଲକିଆ । କହିଥିଲେ, ନୂଆପଡ଼ାରେ ବିକାଶର ଧାରାକୁ ଆଗକୁ ବଢ଼ାଇବାକୁ ବିଜେପି ସଂକଳ୍ପ ନେଇଛି । ତେଣୁ ଏହି ଉପନିର୍ବାଚନରେ ଦଳ ନିଶ୍ଚିତ ଜିତିବ ।




