ଭୁବନେଶ୍ୱର: ଗତ ୩ ବର୍ଷ ମଧ୍ୟରେ ପାରାଦୀପ ବନ୍ଦରର ପଣ୍ୟ ପରିବହନ ୯% ହାରରେ ବଢ଼ୁଛି । ପରିବହନ ଅଭିବୃଦ୍ଧିରେ ଏହା ଦେଶର ପ୍ରମୁଖ ବନ୍ଦର ଗୁଡ଼ିକୁ ପଛରେ ପକାଇ ଦେଇଛି । ବନ୍ଦରର ବର୍ଥ କାର୍ଯ୍ୟକ୍ଷମତା ସର୍ବୋଚ୍ଚ ସ୍ତର ଛୁଇଁଛି । ରେକ୍ ପରିଚାଳନାରେ ବନ୍ଦର ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ପ୍ରମୁଖ ବନ୍ଦର ଗୁଡ଼ିକ ମଧ୍ୟରେ ପ୍ରାୟ ଏକ ତୃତୀୟାଂଶ ଉପକୂଳ ପଣ୍ୟ ପରିହବନ କରିବାର କ୍ଷମତା ହାସଲ କରିଛି ଏହି ବନ୍ଦର ।
୧୫୦ ନିୟୁତ ମେଟ୍ରିକ ଟନ୍ କ୍ଷମତା କ୍ଲବରେ ପ୍ରବେଶ କରିବା ସହ ଏହା ଶ୍ରେଷ୍ଠ ସ୍ଥାନ ଅଧିକାର କରିବା ଦକ୍ଷତାକୁ ପ୍ରତିପାଦିତ କରିବାକୁ ସକ୍ଷମ ହୋଇଛି । ଚଳିତ ଆର୍ଥିକ ବର୍ଷରେ ୧୬୦ ନିୟୁତ ଟନ୍ ମାଲ୍ ପରିବହନ ଲକ୍ଷ୍ୟ ରହିଥିବା ପାରାଦୀପ ବନ୍ଦର ପକ୍ଷରୁ ସୂଚନା ମିଳିଛି ।
ଏହି ମହତ୍ୱାକାଂକ୍ଷୀ ଲକ୍ଷ୍ୟ ହାସଲ ଲାଗି ବନ୍ଦର ୨୦୨୬ ପର୍ଯ୍ୟନ୍ତ ମାଲ୍ ପରିବହନ ଶୁଳ୍କ ନ ବଢ଼ାଇବା ଲାଗି ବନ୍ଦର କର୍ତ୍ତୃପକ୍ଷ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସେହିଭଳି ଏକ ନିର୍ଦ୍ଧିଷ୍ଟ ପରିମାଣରୁ ଅଧିକ ଉତ୍ପାଦନ ପାଇଁ ନିର୍ଦ୍ଧାରିତ ସ୍ତର ଅନୁଯାୟୀ ପ୍ରୋତ୍ସାହନ ପ୍ରଦାନ କରାଯାଉଛି । ଏହାବାଦ ବର୍ଥ କାର୍ଯ୍ୟରେ ନିୟୋଜିତ ସିପର୍ସ ଏବଂ ହ୍ୟାଣ୍ଡଲିଂ ଏଜେଣ୍ଟଙ୍କୁ ପୁରସ୍କୃତ କରାଯାଇଛି ।
ବନ୍ଦର ଡିଜିଟାଇଜେସନ ଧାରାକୁ ତ୍ୱରାନ୍ୱିତ କରିବା ସହ ଏଥିରେ ସଫଳ ହୋଇଛି । ପାରାଦୀପ ବନ୍ଦରର ଅଧ୍ୟକ୍ଷ ପିଏଲ୍ ହରନାଦ କହିଛନ୍ତି, ବନ୍ଦର ଶିଳ୍ପ ବିକାଶରେ ପାରାଦୀପ ବନ୍ଦରର ଭୂମିକା ଅନନ୍ୟ । ନୀଳ ଅର୍ଥନୀତିକୁ ଦୃଢ଼ କରିବାରେ ଏବେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି । ଭାରତୀୟ ସାମୁଦ୍ରିକ ସପ୍ତାହ ଉପଲକ୍ଷେ ଶ୍ରୀ ହରନାଦ କହିଛନ୍ତି, ୨, ୦୦,୦୦୦ ନିୟୁତ କ୍ଷମତା ବିଶିଷ୍ଟ ଏକ ନୂତନ କଣ୍ଟେନର ବର୍ଥ ପିପିପି ମାଧ୍ୟମରେ ନିର୍ମାଣ କରାଯିବ । ଏହି ଯୋଜନା ଏବେ ଟେଣ୍ଡର ପର୍ଯ୍ୟାୟରେ ରହିଛି ।
ସେହିଭଳି ମୌଳିକ ଢ଼ାଞ୍ଚାର ପରିବର୍ତ୍ତନ ଅଧିନରେ ବୃହତ୍ତାକାର ପ୍ରକଳ୍ପ, ଯାନ୍ତ୍ରୀକରଣ ଏବଂ ବହୁଳ ପରିବହନ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରାଯାଇଛି । ଜାତୀୟ ଗ୍ରୀନ ହାଇଡ୍ରୋଜେନ ମିଶନ ଅଧିନରେ ପାରାଦୀପକୁ ଗ୍ରୀନ ହାଇଡ୍ରୋଜେନ ହବ୍ ଭାବେ ବିକଶିତ କରିବା ଉଦ୍ୟମ ହେଉଛି । ଏହାବାଦ ପ୍ରଦୂଷଣ ମୁକ୍ତ ଯୋଜନା ସହ ୨୧,୫୦୦ କୋଟିରେ ବାହୁଦା ବନ୍ଦର ଏବଂ ୨୪,୭୦୦ କୋଟିରେ ସି ବିଲ୍ଡିଂ ଏବଂ ମରାମତି କମ୍ପେ୍ଲକ୍ସ ବିକଶିତ ହେଉଥିବା ଶ୍ରୀ ହରନାଦ ଉଲ୍ଲେଖ କରିଛନ୍ତି ।




