ନୂଆଦିଲ୍ଲୀ ୧୮/୧୦: ଦ୍ରୁତ ବୋଲର ତଥା ବେଙ୍ଗଲ ଏକ୍ସପ୍ରେସ । କେବଳ ନାମ ହିଁ ଯଥେଷ୍ଟ । ଏତିକି କହିଦେଲେ ଗୋଟିଏ ନା ଆସେ ମନକୁ, ମହମ୍ମଦ ଶାମି । ଦୀର୍ଘ ଦିନ ଧରି କ୍ରିକେଟ ମୈଦାନରୁ ସେ ଦୂରରେ । ନିକଟରେ ହୋଇଥିବା ସିଲେକ୍ସନରେ ବି ମିଳିନି ଚାନ୍ସ । ଯାହାକୁ ନେଇ ଉଠିଛି ଅନେକ ପ୍ରଶ୍ନ । କେହି କେହି କହୁଛନ୍ତି ସିଲେକ୍ଟର ଓ ବୋଲରଙ୍କ ସମ୍ପର୍କରେ ଫଟା । କାରଣ ଚିଫ୍ ସିଲେକ୍ଟରଙ୍କ ଭିନ୍ନ ଭିନ୍ନ ମନ୍ତବ୍ୟ ବୟାନ କରୁଛି ଅନେକ କିଛି ।
ଅଷ୍ଟ୍ରେଲିଆ ଟୁର୍ ପାଇଁ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ମିଳିନି ଚାନ୍ସ । ଦଳରେ ନିଆ ନଯିବାର କାରଣ ସମ୍ପର୍କରେ ପୁଣି ଥରେ ମୁହଁ ଖୋଲିଛନ୍ତି ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର । କେବଳ ଫିଟ୍ନେସ୍ କାରଣରୁ ତାଙ୍କୁ ଇଂଲଣ୍ଡ ଗସ୍ତ ପାଇଁ ଦଳରେ ନିଆଯାଇ ନଥିଲା ବୋଲି ଅଗରକର ସ୍ପଷ୍ଟ କରିଥିଲେ ମଧ୍ୟ ଅଷ୍ଟ୍ରେଲିଆ ଗସ୍ତରେ ସୁଯୋଗ ନପାଇବା ଉପରେ କିଛି ନିର୍ଦ୍ଦିଷ୍ଟ ଉତ୍ତର ରଖି ନଥିଲେ । ସାମି ଶେଷ ଥର ପାଇଁ ମାର୍ଚ୍ଚ ମାସରେ ଭାରତୀୟ ଦଳରୁ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ମ୍ୟାଚ୍ ଖେଳିଥିଲେ ।
ଏହା ପରେ ସେ ଆଇପିଏଲ୍ ୨୦୨୫ରେ ୯ ମ୍ୟାଚ୍ ଖେଳିବା ସହ ଆହତ କାରଣରୁ ଓହରି ଯାଇଥିଲେ । ୩ ମାସର ବିଶ୍ରାମ ଓ ଥଇଥାନ ପରେ ଦଲିପ ଟ୍ରଫିରେ ଉତ୍ତରାଞ୍ଚଳ ବିପକ୍ଷରେ ପୂର୍ବାଞ୍ଚଳର ପ୍ରତିନିଧିତ୍ୱ କରିଥିଲେ । ତେବେ ୩୪ ଓଭର ବୋଲିଂ କରି ମାତ୍ର ଗୋଟିଏ ୱିକେଟ୍ ନେଇଥିଲେ । ଅଷ୍ଟ୍ରେଲିଆ ଗସ୍ତ ପାଇଁ ଦିନିକିଆ ଦଳରେ ସୁଯୋଗ ନପାଇବା ପରେ ସାମି କହିଥିଲେ ‘‘ଚୟନ ମୋ ହାତରେ ନାହିଁ ।
ଯଦି ଫିଟ୍ନେସ୍ ପ୍ରସଙ୍ଗ ଥିଲା, ତେବେ ମୁଁ ବେଙ୍ଗଲ୍ ପାଇଁ ଖେଳୁ ନଥାନ୍ତି । ଫିଟନେସ୍ କଥା ମୋଠାରୁ କେହି ବୁଝିନାହାନ୍ତି । ଏ ସମ୍ପର୍କରେ ଅଧିକ କିଛି କହି ମୁଁ ବିବାଦର ସୂତ୍ରପାତ କରିବାକୁ ଚାହେନାହିଁ । ମୁଁ ଯଦି ୪ ଦିନିଆ ରଣଜୀ ଟ୍ରଫି ଖେଳିପାରୁଛି ତେବେ ୫୦ ଓଭରିଆ ଦିନିକିଆ ମ୍ୟାଚ୍ ବି ଖେଳିପାରିବି’’ ।
ସାମିଙ୍କ ଏହି ଉତ୍ତର ପରେ ଅଗରକର ପ୍ରକାଶ କରିଛନ୍ତି ‘‘ସେ ମୋତେ କହିଥାନ୍ତେ ମୁଁ ତାଙ୍କ ଉତ୍ତର ରଖିଥାନ୍ତି ।
ସେ କ’ଣ କହିଛନ୍ତି ପଢ଼ିବା ପରେ କଲ୍ କରିବି । ବିଗତ କିଛି ମାସରେ ମୁଁ ତାଙ୍କ ସହ ଏକାଧିକ ଥର କଥା ହୋଇଛି । ସେ ସ୍ପଷ୍ଟ କରିଥିଲେ ମୁଁ ବି ତାଙ୍କ ସହ ରହିଥାନ୍ତି । ସେ ଫିଟ୍ ଥିଲେ ନିଶ୍ଚିତ ଇଂଲଣ୍ଡ ଗସ୍ତରେ ଯାଇଥାନ୍ତେ । ତାଙ୍କୁ ପାଇବାକୁ ଆମେ ବ୍ୟଗ୍ର ଥିଲୁ । ସେ କିନ୍ତୁ ୨ ମାସ ପାଇଁ ଫିଟ୍ ନଥିଲେ । ଦିନିକିଆ ଦଳ ଚୟନ ସମ୍ପର୍କରେ ଅଗରକର କହିଥିଲେ, ତାଙ୍କ ଫିଟନେସ୍ ଖବର ଆମ ପାଖରେ ନାହିଁ’ ।
ଏହା ପରେ ସାମି କହିଥିଲେ ‘ମୋତେ କେହି ଫିଟ୍ନେସ୍ ଖବର ମାଗି ନଥିଲେ, କି ମୋ ଆଡ଼ୁ ଏହା ପ୍ରଦାନ କରିବାର ଦାୟିତ୍ୱ ନଥିଲା । ଏନ୍ସିଏ ଯାଇ ଫିଟ୍ନେସ୍ ଠିକ୍ କରିବା, ପ୍ରସ୍ତୁତ ହେବା ଓ ମ୍ୟାଚ୍ ଖେଳିବା ମୋ କାମ’ । ସୂଚନାଯୋଗ୍ୟ, ସାମି ଏବେ ଇଡେନ୍ ଗାର୍ଡେନ୍ସରେ ଉତ୍ତରାଖଣ୍ଡ ବିପକ୍ଷରେ ବେଙ୍ଗଲ୍ ପାଇଁ ରଣଜୀ ଟ୍ରଫି ମ୍ୟାଚ୍ରେ ଖେଳୁଛନ୍ତି ଏବଂ ଉଭୟ ପାଳିରେ ୩୦ ଓଭର ବୋଲିଂ କରି ୩ ୱିକେଟ୍ ନେଇଛନ୍ତି ।




