ରାଜଧାନୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ! ମେଡିକାଲ ଆଇସିୟୁରେ ଚାଲିଛି ଚିକିତ୍ସା
Published By: Kirti – Prameya-News7 Bureau | October 18, 2025 09:29 AM
NEWS7
ଭୁବନେଶ୍ୱର ୧୮।୧୦ : ରାଜଧାନୀରେ ନାବାଳିକାଙ୍କ ଗଣଦୁଷ୍କର୍ମ ଅଭିଯୋଗ । କ୍ୟାପିଟାଲ ଥାନା ଅଧିନ ଅଶୋକ ନଗର ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିବାର ଅଭିଯୋଗ ଆସିଛି । ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲର ଆଇସିୟୁରେ ଚିକିତ୍ସିତ ହେଉଛି । କ୍ୟାପିଟାଲ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଅଶୋକ ନଗର ରାସ୍ତା କଡ଼ରୁ ଜଣେ ନାବାଳିକାଙ୍କୁ ମୁର୍ମୃର୍ଷ ଅବସ୍ଥାରେ ପଡିଥିଲେ । କିଛି ଲୋକ ମାନସିକ ବିକୃତ ଭାବି ଅଣଦେଖା କରିଥିଲେ । ରାତି ଯେତେବେଳେ ବଢିଥିଲା ନାବାଳିକା ଯନ୍ତ୍ରଣାରେ ଅଧିକ ଛଟପଟ ହେଉଥିଲେ। କିଛି ଅଟୋ ଚାଳକ ଘଟଣାସ୍ଥଳକୁ ଯାଇ ନାବାଳିକାଙ୍କ ଅବସ୍ଥା ଦେଖି ପୋଲିସକୁ ଖବର ଦେଇଥିଲେ। ନାବାଳିକାଙ୍କ ଦେହରେ ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ଦେଖିବାକୁ ମିଳିଥିଲା। ଏପିରିକି ସେ ପିନ୍ଧିଥିବା ପୋଷାକ ମଧ୍ୟ ଚିରି ଯାଇଥିଲା । ଘଟଣା ସଂପର୍କରେ ଖବର ପାଇ କ୍ୟାପିଟାଲ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା । ନାବାଳିକାଙ୍କ ଅବସ୍ଥା ଗୁରୁତର ଥିବାରୁ କ୍ୟାପିଟାଲ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି । ତେବେ ଚିକିତ୍ସା ସମୟରେ ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଥିବା ଡାକ୍ତର ଜାଣିବାକୁ ପାଇଛନ୍ତି । ନାବାଳିକା ଜଣଙ୍କ କିଛି କହି ପାରୁନଥିଲେ । ପରବର୍ତ୍ତୀ ସମୟରେ ଚିକିତ୍ସା ପରେ ନାବାଳିକା ଜଣଙ୍କ ତାଙ୍କ ଘର ବିହାର ବୋଲି କହିଥିଲେ ।
ସେପଟେ କ୍ୟାପିଟାଲ ଥାନା ପୋଲିସ ଗଣଦୁଷ୍କର୍ମ ଓ ପୋକ୍ସୋ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହାସହିତ ନାବାଳିକାଙ୍କ ପରିବାର ସହିତ ଯୋଗାଯୋଗ କରିଛି ପୋଲିସ । ବାକି ଅଶୋକ ନଗରରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଯାଞ୍ଚ କରୁଛି ପୋଲିସ । ହେଲେ ବର୍ତ୍ତମାନ ଯାଏଁ କୌଣସି ଅଭିଯୁକ୍ତ ସଂପର୍କରେ କୌଣସି ବି ଟେର୍ ପାଇନାହିଁ ।




