କରଞ୍ଜିଆ ୧୮/୧୦: ଆଜି ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଜାତୀୟ ଉଦ୍ୟାନ ଶିମିଳିପାଳ । ଶିମିଳିପାଳକୁ ପ୍ରବେଶ ପାଇଁ ଚଳିତ ବର୍ଷ ଦିନବେଳା ପର୍ଯ୍ୟଟକମାନଙ୍କ ପାଇଁ ofline ପ୍ରବେଶ ପତ୍ର ବନ୍ଦ ରହିଛି । କେବଳ www.shimilipal.org ୱେବସାଇଟ ମାଧ୍ୟମରେ ବୁକିଂ କରି ନିଜର ପ୍ରବେଶ ପତ୍ର ପାଇ ପାରିବେ ।
ପ୍ରତ୍ୟେକ ଦିନ ପର୍ଯ୍ୟଟକଙ୍କ ୬୦ ଟି ଗାଡିକୁ ପ୍ରବେଶ ପାଇଁ ଅନୁମତି ରହିଛି । ସକାଳ ୫ ଟାରୁ ୯ ଟା ପର୍ଯ୍ୟନ୍ତ ଯଶିପୁର ପଟୁ ତୁଳସୀବଣୀ ତନଖି ଫାଟକ ଦେଇ ୩୫ ଟି ଓ ସକାଳ ୮ ଟାରୁ ୯ ଟା ମଧ୍ୟରେ ବାରିପଦା ପଟୁ ପୀଠାବଟା ତନଖି ଫାଟକ ଦେଇ ୨୫ ଟି ପର୍ଯ୍ୟଟକଙ୍କ ଗାଡିକୁ ପ୍ରବେଶ ପାଇଁ ଅନୁମତି ମିଳିପାରିବ । ରାତ୍ରୀ ରହଣି ପାଇଁ ପର୍ଯ୍ୟଟକ ମାନେ ପୂର୍ବରୁ www.ecotourodisha.com ୱେବସାଇଟରେ ବୁକିଂ କରି ପାରିବେ ।
ବ୍ୟାଘ୍ର ପ୍ରକଳ୍ପ ଭିତରକୁ ପ୍ରବେଶ ସମୟରେ ପ୍ରତ୍ୟେକ ଯାନ ସହିତ ଜଣେ ଗାଇଡ୍ ନେବା ବାଧ୍ୟତାମୂଳକ କରାଯାଇଛି । ନିୟମାବଳୀ ଉଲ୍ଲଂଘନ କଲେ ଆଇନ୍ ଅନୁଯାୟୀ ଦଣ୍ଡିତ ହେବେ ବୋଲି ନିର୍ଦ୍ଦେଶାବଳୀ ଜାରି ହୋଇଛି । ଏଥିସହ ସ୍ଥାନୀୟ ଇକୋ ଡେଭଲପ୍ମେଣ୍ଟ କମିଟି ଦ୍ୱାରା ପରିଚାଳିତ ଖୋଲା ଜିପ୍ ୱାଇଲ୍ଡ ଲାଇଫ୍ ସଫାରୀ ଗାଡି ବ୍ୟବହାର ନିମନ୍ତେ ପର୍ୟ୍ୟଟକଙ୍କୁ ୱେବସାଇଟ୍ ମାଧ୍ୟମରେ ଆଗୁଆ ସଂରକ୍ଷଣ କରିବାକୁ ପଡ଼ିବ ।
ପ୍ରଥମ ୱାଇଲ୍ଡ ଲାଇଫ୍ ସଫାରି ସକାଳ ସାଢେ ୫ରୁ ଆରମ୍ଭ ହୋଇ ପାଞ୍ଚ ଘଣ୍ଟା ମଧ୍ୟରେ ଶେଷ ହେବ । ସେହିପରି ଦ୍ୱିତୀୟ ୱାଇଲ୍ଡ ଲାଇଫ୍ ସଫାରି ଅପରାହ୍ନ ୨ଟାରୁ ଆରମ୍ଭ ହୋଇ ଚାରି ଘଣ୍ଟା ମଧ୍ୟରେ ଶେଷ ହେବ ବୋଲି ନିଷ୍ପତ୍ତି ହୋଇଛି । ଯାତ୍ରୀନିବାସ ରାତ୍ରିଯାପନ ନିମନ୍ତେ ପର୍ୟ୍ୟଟକଙ୍କୁ ଅଗ୍ରୀମ ଆରକ୍ଷଣ କରିବାକୁ ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।




