ମେହୁଲ ଚୋକସିଙ୍କୁ ଝଟକା: ଭାରତ ପ୍ରତ୍ୟର୍ପଣକୁ ମଞ୍ଜୁର ଦେଲେ ବେଲଜିୟମ କୋର୍ଟ

ମେହୁଲ-ଚୋକସିଙ୍କୁ-ଝଟକା:-ଭାରତ-ପ୍ରତ୍ୟର୍ପଣକୁ-ମଞ୍ଜୁର-ଦେଲେ-ବେଲଜିୟମ-କୋର୍ଟ

ନୂଆଦିଲ୍ଲୀ: ପଳାତକ ବ୍ୟବସାୟୀ ମେହୁଲ ଚୋକସିଙ୍କୁ ଭାରତକୁ ପ୍ରତ୍ୟର୍ପଣ ସମ୍ପର୍କରେ ବେଲଜିୟମର ଆଣ୍ଟୱର୍ପ କୋର୍ଟ ରାୟ ଶୁଣାଇଛନ୍ତି। ଚୋକସିଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବାକୁ କୋର୍ଟ ମଞ୍ଜୁରୀ ଦେଇଛନ୍ତି। ତେବେ ଭାରତର ଅନୁରୋଧ ଆଧାରରେ ବେଲଜିୟମ ପୋଲିସ ଦ୍ୱାରା ମେହୁଲଙ୍କ ଗିରଫଦାରୀ ବୈଧ ଥିଲା ବୋଲି କୋର୍ଟ କହିଛନ୍ତି।  

ହେଲେ ଏବେ ବି ଚୋକସିଙ୍କ ପାଖରେ ଆଣ୍ଟୱର୍ପ କୋର୍ଟର ନିଷ୍ପତ୍ତି ବିରୁଦ୍ଧରେ ଉଚ୍ଚ ଅଦାଲତରେ ଆବେଦନ କରିବାର ସୁଯୋଗ ରହିଛି। ତେଣୁ, ତାଙ୍କର ଶୀଘ୍ର ଭାରତ ପ୍ରତ୍ୟର୍ପଣ ପ୍ରକ୍ରିୟା ସମ୍ଭବ ହୋଇ ନପାରେ। ତେବେ କୋର୍ଟଙ୍କ ଏହି ନିଷ୍ପତ୍ତିକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।

କୋର୍ଟ ପ୍ରଥମେ ଉଭୟ ପକ୍ଷ ବେଲଜିୟମରେ ଭାରତ ପକ୍ଷରୁ ମାମଲା ଲଢ଼ୁଥିବା ଓକିଲ ଓ ଚୋକସିଙ୍କ ଓକିଲଙ୍କ ଯୁକ୍ତି ଶୁଣିଥିଲେ। ଏହାପରେ ଭାରତକୁ ପ୍ରତ୍ୟର୍ପଣ ସପକ୍ଷରେ ରାୟ ପ୍ରଦାନ କରିଥିଲେ। ଚୋକସିଙ୍କୁ ୧୧ ଏପ୍ରିଲ ୨୦୨୫ରେ ଆଣ୍ଟୱର୍ପ ପୋଲିସ ଗିରଫ କରିଥିଲା ​​ଏବଂ ଗତ ୪ ମାସ ଧରି ସେ ଜେଲରେ ଅଛନ୍ତି। ବେଲଜିୟମର ବିଭିନ୍ନ କୋର୍ଟ ଦ୍ୱାରା ତାଙ୍କ ଜାମିନ ଆବେଦନ ଅନେକ ଥର ଖାରଜ କରାଯାଇଛି।

ସୂଚନା ଥାଉକି, ଚୋକସିଙ୍କ ବିରୁଦ୍ଧରେ ଭାରତରେ ଠକେଇ, ଷଡ଼ଯନ୍ତ୍ର କରିବା, ପ୍ରମାଣ ନଷ୍ଟ ଏବଂ ଦୁର୍ନୀତି ସମେତ ଅନେକ ଗମ୍ଭୀର ଅଭିଯୋଗର ରହିଛି। ତାଙ୍କ ବିରୁଦ୍ଧରେ IPC ଧାରା ୧୨୦ବି, ୨୦୧, -୪୦୯, ୪୨୦, ଏବଂ ୪୭୭ଏ, ​​ଏବଂ ଦୁର୍ନୀତି ନିବାରଣ ଆଇନର ଧାରା ୭ ଏବଂ ୧୩ ଅନୁଯାୟୀ ଅଭିଯୋଗ ରହିଛି। ଏହି ଅପରାଧଗୁଡ଼ିକ ବେଲଜିୟମ ଆଇନ ଅନୁଯାୟୀ ମଧ୍ୟ ଦଣ୍ଡନୀୟ।

ତେବେ ପଞ୍ଜାବ ନ୍ୟାସ୍‌ନାଲ ବ୍ୟାଙ୍କ(ପିଏନବି) ଠକେଇ ମାମଲାରେ ମେହୁଲ ଚୋକ୍‌ସି ଚର୍ଚ୍ଚାର ପରିସରକୁ ଆସିଥିଲେ। ମେହୁଲ ଚୋକସିଙ୍କ ବିରୋଧରେ ପିଏନ୍‌ବିରୁ ୧୩ ହଜାର ୮୫୦ କୋଟି ଠକେଇ କରିବାର ଅଭିଯୋଗ ରହିଛି। କେବଳ ସେତିକି ନୁହେଁ, ସେ ନକଲି ହୀରାକୁ ଅସଲି ଭାବରେ ବିକ୍ରି କରିବାର ସେ ଏକ ରାକେଟ ବି ଚଳାଇଥିଲେ। ତାଙ୍କ ବିରୁଦ୍ଧରେ ମନି ଲଣ୍ଡରିଂ ଏବଂ ଠକେଇ କାରବାରର ଅଭିଯୋଗ ରହିଛି। ଏଥିସହିତ ତାଙ୍କ ବିରୁଦ୍ଧରେ ଏକାଧିକ ଠକେଇ ମାମଲା ରହିଛି।

Scroll to Top