ନୂଆଦିଲ୍ଲୀ: ଭାରତକୁ ପୁଣି ଥରେ ରାଜ୍ୟଗୋଷ୍ଠୀ କ୍ରୀଡା ଆୟୋଜନ କରିବାର ଅଧିକାର ମିଳିଛି । ଭାରତ ଶେଷ ଥର ପାଇଁ ୨୦୧୦ରେ ନୂଆଦିଲ୍ଲୀରେ ରାଜ୍ୟଗୋଷ୍ଠୀ କ୍ରୀଡା ଆୟୋଜନ କରିଥିଲା । ଏବେ ୨୦୩୦ରେ ଗୁଜରାଟର ଅହମ୍ମଦାବାଦକୁ ଆୟୋଜନ ଅଧିକାର ଦିଆଯାଇଛି । ଏହାର ଅର୍ଥ ହେଉଛି ୨୦ ବର୍ଷ ପରେ ଭାରତୀୟ କ୍ରୀଡା ପ୍ରେମୀମାନେ ପୁଣି ଥରେ ଭାରତରେ ବିଭିନ୍ନ ଖେଳ ପ୍ରତିଯୋଗିତାକୁ ଉପଭୋଗ କରିବାର ସୁଯୋଗ ପାଇବେ ।
୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଭାରତର ଅହମ୍ମଦାବାଦକୁ ଆୟୋଜକ ଭାବରେ ମନୋନୀତ କରାଯାଇଛି ବୋଲି ବୁଧବାର କମନୱେଲ୍ଥ ଏକ୍ସିକ୍ୟୁଟିଭ୍ ବୋର୍ଡ ସ୍ପଷ୍ଟ କରିଛି । ବୋର୍ଡ ଏବେ ଗ୍ଲାସଗୋରେ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡା ସାଧାରଣ ପରିଷଦରେ ଫୁଲ୍ ମେମ୍ୱର କମନୱେଲଥ୍ ସ୍ପୋର୍ଟ୍ସ ମେମ୍ୱରଶିପ୍ ସାମନାରେ ନିଜ ସୁପାରିଶ ଉପସ୍ଥାପନ କରିବ ।
ଅହମ୍ମଦାବାଦ ନାଁରେ ଏହି ଉପଲବ୍ଧି ପରେ ଗୃହମନ୍ତ୍ରୀ ଅମିତ ଶାହ ଏକ୍ସରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି । ଏହା ଭାରତ ପାଇଁ ଗର୍ବର ମୁହୂର୍ତ୍ତ ବୋଲି ସେ କହିଛନ୍ତି । ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ଏହାକୁ ଭାରତ ଏବଂ ଗୁଜରାଟ ଉଭୟ ପାଇଁ ଏକ ଗର୍ବର ମୁହୂର୍ତ୍ତ ବୋଲି କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି ।
ଗୃହମନ୍ତ୍ରୀ ଅମିତ ଶାହ ଏକ୍ସରେ ଲେଖିଛନ୍ତି, “ଭାରତ ପାଇଁ ଏକ ଅତ୍ୟନ୍ତ ଆନନ୍ଦ ଏବଂ ଗର୍ବର ଦିନ । ଅହମ୍ମଦାବାଦରେ ୨୦୩୦ରେ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡା ଆୟୋଜନ କରିବା ପାଇଁ ଭାରତର ଦାବିକୁ ରାଜ୍ୟଗୋଷ୍ଠୀ ସଂଘ ଅନୁମୋଦନ କରିଥିବାରୁ ଭାରତର ପ୍ରତ୍ୟେକ ନାଗରିକଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ଭାରତକୁ ସ୍ଥାନିତ କରିବା ପାଇଁ ନିରନ୍ତର ପ୍ରୟାସ ଫଳ ।”
A day of immense joy and pride for India.
Heartiest congratulations to every citizen of India on Commonwealth Association’s approval of India’s bid to host the Commonwealth Games 2030 in Ahmedabad. It is a grand endorsement of PM Shri @narendramodi Ji’s relentless efforts to…
— Amit Shah (@AmitShah) October 15, 2025
୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ପାଇଁ ଭାରତ ନାଇଜେରିଆ ସହ ପ୍ରତିଯୋଗିତା କରୁଥିଲା । କିନ୍ତୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭବିଷ୍ୟତ କ୍ରୀଡ଼ା ପାଇଁ ଆଫ୍ରିକୀୟ ଦେଶର ଆୟୋଜକ ମହତ୍ତ୍ୱାକାଂକ୍ଷାକୁ “ସମର୍ଥନ ଏବଂ ତ୍ୱରାନ୍ୱିତ କରିବା ପାଇଁ ଏକ ରଣନୀତି ବିକଶିତ” କରିବାକୁ ନିଷ୍ପତ୍ତି ନେଇଛି । ୨୦୩୪ କ୍ରୀଡ଼ା ଆୟୋଜନ କରିବା ବିଷୟରେ ବିଚାର କରାଯାଉଛି ।




