ଭୁବନେଶ୍ବର ୧୫।୧୦: ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ କଂଗ୍ରେସରେ ମିଶିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ଭକ୍ତ କହିଛନ୍ତି, ତୁଳସୀ ଗଣନାଟ୍ୟ କି କ’ଣ ମୁଁ ଜାଣିନାହିଁ । ଦଳରେ ସାମିଲ ହେବାକୁ କହିଥିଲେ, ମୁଁ ହଁ କରିଥିଲି । ହେଲେ ତାପରେ ଉପ ନିର୍ବାଚନ ଘୋଷଣା ହୋଇଛି । ଗଣନାଟ୍ୟ ଲୋକ ଜଏନ କରିବେ ବୋଲି କ’ଣ ମୁଁ ଏଠି ତିନୋଟି ଜଏନିଂ କାର୍ଯ୍ୟକ୍ରମ ଛାଡି ଯାଇଥାନ୍ତି । ମୋର ୨୦ରୁ ୩୦ ହଜାର ଭୋଟରଙ୍କୁ ଛାଡିକି ମୁଁ କାହିଁକି ତାଙ୍କୁ ଜଏନ କରାଇବାକୁ ଯାଇଥାନ୍ତି । ରାଜନୈତିକ ଦୃଷ୍ଟିକୋଣରୁ ଯଦି ନିର୍ବାଚନ ପ୍ରଚାର ଠୁ ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇଥାନ୍ତା ମୁଁ ନିଶ୍ଚିତ ହୋଇଥାନ୍ତି । ମୁଁ ବ୍ୟସ୍ତ ଅଛି । ସେ ଆହୁରି କହିଛନ୍ତି, ମୁଁ କ’ଣ ଶୁଣିଲି ସେ ଗୋଟିଏ ବଡ଼ ତୋପ । ତୋପ ମାନଙ୍କୁ ସମ୍ଭାଳିବା ମୋର ଦମ୍ ନାହିଁ । ମୁଁ ନିରୀହ ପ୍ରାଣୀ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ।
ସୂଚନାଯୋଗ୍ୟ ଯେ, କଂଗ୍ରେସ ଭବନ ବାହାରେ ହାଇଡ୍ରାମା ଦେଖିବାକୁ ମିଳିଥିଲା । ଯେମିତି ଯାତ୍ରା ଚାଲିଥିଲା । ଥାଟ ପାଟୁଆର ସହ ବେକରେ ଫୁଲମାଳ ପକାଇ କଂଗ୍ରେସ ଭବନ ଆଗରେ ପହଞ୍ଚିଥିଲେ ଯାତ୍ରା ପାର୍ଟି ମାଲିକ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ । ବିରାଟ ପ୍ରସେସନରେ ରାମମନ୍ଦିର ଛକରୁ ସମର୍ଥକଙ୍କ ଗହଣରେ ଆସି ପହଞ୍ଚିଥିଲେ କଂଗ୍ରେସ ଭବନ ନିକଟରେ । ଉଦ୍ଦେଶ୍ୟ, କଂଗ୍ରେସରେ ମିଶି ରାଜନୀତି କରିବେ । ଏପଟେ କଂଗ୍ରେସ ଭବନରେ କିନ୍ତୁ ନାଣ୍ଡୁଙ୍କୁ ନୋ ଏଣ୍ଟ୍ରି । ନାଣ୍ଡୁଙ୍କୁ ପୁରାଇ ନଦେବାକୁ କଂଗ୍ରେସ ଅଫିସ୍ରେ ତାଲା ଠୁଙ୍କି ଦେଇଥିଲେ କର୍ମୀ । ଯାହାକୁ ନେଇ ବେଶ୍ କିଛି ସମୟ ଧରି ଚାଲିଥିଲା ହାଇଡ୍ରାମା । ପୋଲିସ ଏବଂ ନାଣ୍ଡୁଙ୍କ ସମର୍ଥକଙ୍କ ମଧ୍ୟରେ ଚାଲିଥିଲା ଧସ୍ତାଧସ୍ତି । ନାଣ୍ଡୁଙ୍କ ସମର୍ଥକଙ୍କୁ ଘଉଡ଼ାଇଥିଲା ପୋଲିସ । ପିସିସି ସଭାପତି କି ଅନ୍ୟ କୌଣସି ବରିଷ୍ଠ ନେତା ନଥିବାରୁ ମିଶ୍ରଣ ପାଇଁ ନାଣ୍ଡୁଙ୍କୁ କିଏ ଅନୁମତି ଦେଲା ବୋଲି କର୍ମଚାରୀ ପଚାରିଥିଲେ । ଫଳରେ ଯେଉଁ ବାଟେ ବାଟେ ଆସିଥିଲେ ସେହି ବାଟରେ ଶିଶୁପାଳ ହୋଇ ଫେରିଥିଲେ ନାଣ୍ଡୁ ବାବୁ ।




