ଭୁବନେଶ୍ବର ୧୫।୧୦: ନୂଆପଡ଼ା ଉପନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁମ୍ରିମୋ ନବୀନ ପଟ୍ଟନାୟକ । ନୂଆପଡାରେ ଦୁଇ ଦିନ ରହି ଦଳୀୟ ପ୍ରାର୍ଥୀଙ୍କ ପାଇଁ ନବୀନ ପ୍ରଚାର କରିବେ । ନବୀନ ନିବାସରେ ନବୀନଙ୍କୁ ଭେଟିବା ପରେ ନୂଆପଡ଼ା ଏନଏସି ଅଧ୍ୟକ୍ଷ ମହମ୍ମଦ ଆଦମ୍ ଏ ନେଇ ସୂଚନା ଦେଇଛନ୍ତି । ସମସ୍ତେ ଗୋଟିଏ ଟିମ୍ ହୋଇ କାମ କରିବାକୁ ନବୀନ ନେତାଙ୍କୁ ପରାମର୍ଶ ଦେଇଛନ୍ତି ।
ସେପଟେ ବୁଧବାର ସନ୍ଧ୍ୟାରେ ଟିକେଟ୍ ଘୋଷଣା କରିବେ ନବୀନ ପଟ୍ଟନାୟକ । ନୂଆପଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ଓ ବିଜେପି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେଡି ଏଯାଏଁ ପ୍ରାର୍ଥୀ ନାଁ ଘୋଷଣା କରିନାହିଁ । ତେବେ ବିଜେଡି କାହାକୁ ନୂଆପଡା ମୈଦାନକୁ ଓହ୍ଲାଉଛି ତାହା ଉପରେ ନଜର ରହିଛି ।
ତେବେ ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡିରୁ ୩ ଆଶାୟୀ ହେଉଛନ୍ତି ଅବନୀ ଯୋଶୀ, ମନୋଜ ମିଶ୍ର ଓ ଭାନୁପ୍ରତାପ ସିଂ ମାଝୀ । ଅବନୀ ଯୋଶୀ ଦୀର୍ଘ ୨୫ ବର୍ଷ ହେବ ବିଜେଡିରେ ରହି ସଂଗଠନକୁ ମଜଭୁତ କରିବାରେ ଅନେକ ସହାୟକ ହୋଇଛନ୍ତି । ଏଥିସହ ସେ ଦୁଇ ଥର ଜିଲ୍ଲା ପରିଷଦ ସଭ୍ୟ ଭାବରେ ବିଜେଡିରୁ ବିଜୟୀ ହୋଇଛନ୍ତି । ବର୍ତ୍ତମାନ ସେ ବିଜେଡି ଜିଲ୍ଲା ସଭାପତି ଅଛନ୍ତି ।
ସେହିଭଳି ପୂର୍ବରୁ କୋମନା ବ୍ଲକ୍ ଅଧ୍ୟକ୍ଷ ରହିଛନ୍ତି ମନୋଜ ମିଶ୍ର । ସେ ବିଜେଡି ଜିଲ୍ଲା ସଭାପତି ମଧ୍ୟ ଥିଲେ । ବିଜୁ ପଟ୍ଟନାୟକଙ୍କ ସମୟରୁ ସେ ଦଳ ପାଇଁ କାମ କରି ଆସୁଛନ୍ତି । ବିଜୁ ପଟ୍ଟନାୟକଙ୍କ ସମୟରୁ ସେ ଦଳ ପାଇଁ କାମ କରି ଆସୁଛନ୍ତି । ୨୦୨୪ ନିର୍ବାଚନରେ ଜିଲ୍ଲା ସଭାପତି ରହି କୋମନା ବ୍ଲକ୍ରୁ ବିଜେଡି ଭଲ ଭୋଟ୍ ପାଇଥିବା ବେଳେ ତାଙ୍କ ସମୟରେ ନୂଆପଡ଼ା NAC ଅଧ୍ୟକ୍ଷ ପଦ ପାଇଥିଲେ ।
ସେହିଭଳି ଭାନୁପ୍ରତାପ ସିଂ ମାଝୀ ତିନି ଥର ଜିଲ୍ଲା ପରିଷଦ ସଭ୍ୟ ରହିଥିବା ବେଳେ ଦୁଇ ଥର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ରହିଥିଲେ । ଏଥିସହ ଆଦିବାସୀ କଲ୍ୟାଣ ସଙ୍ଘର ସଭାପତି ମଧ୍ୟ ଅଛନ୍ତି । ଯେହେତୁ ନିର୍ବାଚନ ମଣ୍ଡଳୀରେ ୪୨ ପ୍ରତିଶତ ଆଦିବାସୀ ଭୋଟର ଅଛନ୍ତି ତେଣୁ ଭାନୁପ୍ରତାପ ସିଂ ମାଝୀଙ୍କୁ ଚାନ୍ସ ଦେଇପାରେ ବିଜେଡି ।




