କେନ୍ଦ୍ର ମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଉପମୁଖ୍ୟମନ୍ତ୍ରୀ, ବଳକା ଚାଉଳର ଉଠାଣ ଏବଂ ଯୋଗାଣ ଅବଧି ବୃଦ୍ଧି ସମ୍ପର୍କରେ ଲୋଡ଼ିଲେ ହସ୍ତକ୍ଷେପ
Published By: Chikun – Prameya-News7 Bureau | October 13, 2025 08:47 PM
NEWS7
ଭୁବନେଶ୍ବର: ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନୂଆଦିଲ୍ଲୀ ଗସ୍ତ ସମୟରେ କେନ୍ଦ୍ର ଖାଦ୍ୟ ଏବଂ ସାଧାରଣ ବଣ୍ଟନ ଏବଂ ଶକ୍ତିମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଖରିଫ ମାର୍କେଟିଂ ଋତୁରେ କଷ୍ଟମ୍ ମିଲ୍ଡ ଚାଉଳର କ୍ରୟ ଲକ୍ଷ୍ୟ ବୃଦ୍ଧି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ପତ୍ର ପ୍ରଦାନ କରିଥିଲେ। ଉପମୁଖ୍ୟମନ୍ତ୍ରୀ ପୁନର୍ବାର ଏହି ପ୍ରସଙ୍ଗରେ ମାନ୍ୟବର କେନ୍ଦ୍ର ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।
ଭାରତ ସରକାରଙ୍କ ଦ୍ୱାରା ସ୍ଥିର କରାଯାଇଥିବା ଧାନ ସଂଗ୍ରହ ଧାର୍ଯ୍ୟ ଲକ୍ଷ୍ୟ ୫୦ ଲକ୍ଷ ମେଟ୍ରିକ ଟନ ରହିଥିବାବେଳେ, ରାଜ୍ୟରେ କିନ୍ତୁ ପ୍ରକୃତରେ ୬୨.୫୪ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଛି। ପ୍ରକୃତ କ୍ରୟ ସହିତ ସମନ୍ୱୟ ରଖି ଅନୁମୋଦିତ ଲକ୍ଷ୍ୟକୁ ତୁରନ୍ତ ବୃଦ୍ଧି କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଏଥିସହିତ, କଷ୍ଟମ୍ ମିଲ୍ଡ୍ ଚାଉଳର ବିତରଣ ସମୟସୀମା ୩୧ ଅକ୍ଟୋବର ୨୦୨୫ ରୁ ୩୧ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି । ବର୍ଦ୍ଧିତ ସମୟସୀମା ମଧ୍ୟରେ ବାକି ଧାନ ଖାଲି କରିବା ପାଇଁ ଏଫସିଆଇକୁ ଆବଶ୍ୟକୀୟ ନିର୍ଦ୍ଦେଶ ଜାରି କରିବାକୁ କହିଛନ୍ତି। ଏହା ଓଡ଼ିଶାର ସଂରକ୍ଷଣ ଏବଂ ଆବଣ୍ଟନ ପରିଚାଳନାକୁ ସୁଗମ କରିବ। ବୈଠକରେ ଓଡ଼ିଶା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂହ, ଶକ୍ତି ବିଭାଗ ସଚିବ ବିଶାଳ କୁମାର ଦେବ ଉପସ୍ଥିତ ଥିଲେ।




