ଭୁବନେଶ୍ବର ୧୨।୧୦: ପଶ୍ଚିମବଙ୍ଗ ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ପଶ୍ଚିମବଙ୍ଗ ସରକାରକୁ ଭର୍ସନା କଲେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ । ତିନି ଜଣଙ୍କୁ ଗିରଫ କରିଥିବା କହୁଛନ୍ତି କିନ୍ତୁ ମୁଖ୍ୟ ଅଭିଯୁକ୍ତକୁ କେବେ ଗିରଫ କରିବେ ? ଆଜି ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହିତ ଏ ବିଷୟରେ ଆଲୋଚନା କରିବି । ସ୍ଥାନୀୟ ଏସପିଙ୍କ ସହିତ ମଧ୍ୟ ଆଲୋଚନା କରିବି । ପଶ୍ଚିମବଙ୍ଗ ଗସ୍ତରେ ଯାଇ ପୀଡ଼ିତାଙ୍କୁ ଭେଟିବି ବୋଲି ବାଲେଶ୍ୱର ସାଂସଦ କହିଛନ୍ତି ।
ପଶ୍ଚିମବଙ୍ଗ ଅସାମାଜିକ ଓ ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳୀ ହୋଇଯାଇଛି । କେବଳ ମହିଳାଙ୍କ ପାଇଁ ନୁହେଁ ସମସ୍ତଙ୍କ ପାଇଁ ପଶ୍ଚିମବଙ୍ଗ ଏବେ ଅସୁରକ୍ଷିତ ବୋଲି ବାଲେଶ୍ୱର ସାଂସଦ କହିଛନ୍ତି । ଅନୁପ୍ରବେଶକାରୀ ଆଡ୍ଡାରେ ପରିଣତ ହୋଇଛି ଏବଂ ପଶ୍ଚିମବଙ୍ଗ ସରକାର ସହଯୋଗୀ ଅଛନ୍ତି । ନୀରିହ ଛାତ୍ରୀ କେତେ ବଳି ପଡ଼ିବେ ବୋଲି ବାଲେଶ୍ୱର ସାଂସଦ ପ୍ରଶ୍ନ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଗତ ୧୦ ତାରିଖ ରାତି ସାଢ଼େ ୮ ସମୟରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ପୁରୁଷବନ୍ଧୁ ତାଙ୍କୁ କଲେଜ ଫାଟକ ନିକଟରେ ଥିବା ଷ୍ଟଲ୍କୁ ଗୁପ୍ ଚୁପ୍ ଖାଇବାକୁ ଡାକିଥିଲେ । ଏହାପରେ, ପୁରୁଷବନ୍ଧୁ ଜଣକ ତାଙ୍କୁ ଆଗକୁ ଆଉ କିଛି ବାଟ ଯିବା ପାଇଁ କହିଥିଲେ । ଉଭୟ କଲେଜକୁ ସଂଯୋଗ କରୁଥିବା ଜଙ୍ଗଲ ରାସ୍ତାରେ ୩ଶହ ମିଟର ଚାଲିଚାଲି ଯାଇଥିଲେ । ଏହି ସମୟରେ କିଛି ଯୁବକ ସେମାନଙ୍କ ପିଛା କରୁଥିଲେ । ହଠାତ୍ ପୁରୁଷବନ୍ଧୁ ଜଣକ ଜଙ୍ଗଲ ଭିତରକୁ ଦୌଡ଼ି ପଳାଇଥିଲେ । ଏହି ସମୟରେ ପିଛା କରୁଥିବା ଯୁବକମାନେ ପୀଡ଼ିତାଙ୍କୁ ଘଞ୍ଚ ଜଙ୍ଗଲ ଭିତରକୁ ଟେକିନେଇ ଦୁଷ୍କର୍ମ କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ପୀଡ଼ିତାଙ୍କୁ ମେଡିକାଲ କଲେଜ ଆଇସିୟୁରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଦୁର୍ଗାପୁର ପୋଲିସ ପହଞ୍ଚି ତଦନ୍ତ କରୁଛି । ପୋଲିସ ଘଟଣାସ୍ଥଳରୁ ବିଭିନ୍ନ ନମୁନା ସଂଗ୍ରହ କରିବା ସହ ସେହି ଅଞ୍ଚଳର ଭିଡିଓଗ୍ରାଫି କରିଛି । ପୋଲିସ ମେଡିକାଲ କଲେଜର କର୍ମଚାରୀ ଏବଂ ପୀଡ଼ିତାଙ୍କ ପୁରୁଷବନ୍ଧୁ ସମେତ ଅନ୍ୟ ବ୍ୟକ୍ତିଙ୍କୁ ପଚରାଉଚରା କରିଛି । ଆଉ ଏବେ ପୋଲିସ ଘଟଣାରେ ତିନି ଜଣଙ୍କୁ ଗିରଫ କରିଛି । ପୀଡ଼ିତା ମାନସିକ ଓ ଶାରୀରିକ ଭାବେ ଆଘାତ ପାଇଥିବାରୁ ସେ ସାମାନ୍ୟ ସୁସ୍ଥ ଅନୁଭବ କଲାପରେ ବୟାନ ରେକର୍ଡ କରାଯିବ ବୋଲି ପଶ୍ଚିମବଙ୍ଗ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ପଶ୍ଚିମବଙ୍ଗ ସରକାର ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଏକ ୯ ଜଣିଆ ସ୍ପେଶାଲ ଇନଭେଷ୍ଟିଗେସନ୍ ଟିମ୍ ଗଠନ କରିଛନ୍ତି ।




