ଭୁବନେଶ୍ୱର: ଏଥର ଓଡ଼ିଶା ପର୍ଯ୍ୟଟନର ବିକାଶ ହେବ। ରାଜଧାନୀରୁ ଆରମ୍ଭ କରି ଓଡ଼ିଶାରେ ଯେଉଁସବୁ ଜିଲ୍ଲାଗୁଡ଼ିକରେ ପର୍ଯ୍ୟାଟନର ସମ୍ଭାବନା ରହିଛି ସେଗୁଡ଼ିକର କାୟାକଳ୍ପ ବଦଳିବ। ଗୋଆ, ତାମିଲନାଡୁ, କେରଳ ଭଳି ଓଡ଼ିଶା ବି ଦେଶର ପର୍ଯ୍ୟଟନ ବିକାଶ ଦିଗରେ ଆଗ୍ରଣୀ ଭୂମିକା ନେବ। ରାଜଧାନୀ ଭୁବନେଶ୍ୱର ଓ କଟକରେ ନୂଆ ବଜାର ନିର୍ମାଣ କରାଯିବ। ଆଜିର ବିଜନେଶ ବିଶେଷରେ ପଢନ୍ତୁ ରିପୋର୍ଟ- ଫୋକସର ପର୍ଯ୍ୟଟନ
ଭାରତରେ ଗୋଆ, ତାମିଲନାଡୁ, ଉତ୍ତର ପ୍ରଦେଶ, ଓ ଆନ୍ଧ୍ର ପ୍ରଦେଶ ଭଳି ଓଡ଼ିଶାରେ ବି ପର୍ଯ୍ୟଟନର ଅପାର ସମ୍ଭାବନା ରହିଛି। ଆମ ରାଜ୍ୟରେ ପାଖାପାଖି ୫୭୫ କିଲୋମିଟରର ଲମ୍ବା ବିସ୍ତୀର୍ଣ୍ଣ ବେଳାଭୂମି ରହିଛି। ଯାହା କୂଳେ କୂଳେ ପର୍ଯ୍ୟଟନ ବିକାଶର ଏକ ବଡ଼ ସମ୍ଭାବନା ରହିଛି। କେବଳ ଉପକୂଳବର୍ତ୍ତି ଅଞ୍ଚଳ କାହିଁକି ରାଜ୍ୟରେ, ପାହାଡ଼, ଝରଣା, ଜାତୀୟ ଉଦ୍ୟାନ, ଅଭୟାରଣ୍ୟ ଓ ପୁରୀ କୋଣାର୍କ ପରି ବିଶ୍ୱ ପ୍ରସିଦ୍ଧ ମନ୍ଦିର ରହିଛି। ଯଦି ଏଗୁଡ଼ିକର ସଠିକ ବିକାଶ କରାଯାଏ ତେବେ ଓଡ଼ିଶା ବି ପର୍ଯ୍ୟାଟନରେ ସମସ୍ତଙ୍କୁ ପଛରେ ପକାଇ ଦେବ। ବର୍ତ୍ତମାନ ରାଜ୍ୟ ସରକାର ଏ ଦିଗରେ କାମ ଆରମ୍ଭ କରିଛନ୍ତି। ଖୁବ୍ଶୀଘ୍ର ନୂଆ ଇକୋ ଟୁରିଜିମ ବା ପରିବେଶ ପର୍ଯ୍ୟଟନ ନୀତି ପ୍ରଣୟନ ହୋଇପାରେ।
ଓଡ଼ିଶା ଇକୋ ଟୁରିଜିମ୍ ନୀତି-୨୦୨୫ ଡ୍ରାଫ୍ଟ ସଂରକ୍ଷିତ ଅଞ୍ଚଳରେ ପର୍ଯ୍ୟଟନ ଭିତ୍ତିଭୂମି ଯୋଜନା ଏବଂ ତା’ର କାର୍ଯ୍ୟକାରିତ ଦିଗରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଛି। ଏହାଦ୍ୱାରା ସଂରକ୍ଷିତ ଅଞ୍ଚଳରେ କୌଣସି ନୂଆ ସ୍ଥାୟୀ ବାସସ୍ଥାନ ବିକଶିତ ହେବ ନାହିଁ। କେବଳ ପର୍ଯ୍ୟଟନ ସୁବିଧାକୁ ଅନୁମତି ମିଳିବ। ପ୍ରାକୃତିକ, ସାଂସ୍କୃତିକ ଐତିହ୍ୟ, ସଂରକ୍ଷଣ ସହ ସ୍ଥାନୀୟ ଲୋକଙ୍କ ଜୀବିକା ନିର୍ବାହ ବିକଳ୍ପକୁ ଗୁରୁତ୍ୱ ଦେବ। ଜଙ୍ଗଲ ଏବଂ ବନ୍ୟପ୍ରାଣୀ ସଂରକ୍ଷିତ ଅଞ୍ଚଳ ବ୍ୟତୀତ ନୂଆ ଗନ୍ତବ୍ୟସ୍ଥଳ ଖୋଲିବା ନେଇ ଅନ୍ୟ ବିଭାଗ ଦ୍ୱାରା ପଦକ୍ଷେପ ନିଆଯିବ।
ପର୍ଯ୍ୟଟନ ବିକାଶ ସହ ବନ୍ୟପ୍ରାଣୀ ସୁରକ୍ଷା, ଜୈବ ବିବିଧତା ସଂରକ୍ଷଣ ଏବଂ ସଂରକ୍ଷିତ ଅଞ୍ଚଳ ପରିଚାଳନାକୁ ପ୍ରାଧ୍ୟାନ୍ୟ ଦିଆଯିବ। ସଂରକ୍ଷିତ ଅଞ୍ଚଳ ବାହାରେ କମ୍ ପର୍ଯ୍ୟଟକଙ୍କ ଆଗମନ ସହିତ ଇକୋ ଟୁରିଜିମ୍ ସ୍ଥାନଗୁଡ଼ିକ ପାଇଁ ୨୦ରୁ ୩୦ ବର୍ଷ ପର୍ଯ୍ୟନ୍ତ ଦୀର୍ଘ ସମୟ ଲାଗି ସ୍ଥାନୀୟ ଉଦ୍ୟୋଗୀମାନଙ୍କୁ ପରିଚାଳନା ଦାୟିତ୍ୱ ଦିଆଯାଇପାରେ ।
ଏଥିପାଇଁ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଏବଂ ଓଡ଼ିଶାର ମୁଖ୍ୟ ବନ୍ୟପ୍ରାଣୀ ୱାର୍ଡେନ୍ଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ଅନୁମୋଦନ ଅନୁଯାୟୀ ଭିତ୍ତିଭୂମି ଉନ୍ନତୀକରଣରେ ନିବେଶ ପାଇଁ ଅନୁମତି ଦିଆଯିବ। ଦୀର୍ଘକାଳୀନ ଯୋଜନା ଭିତ୍ତିରେ ରାଜ୍ୟ ସରକାର ସ୍ଥାନୀୟ ଗୋଷ୍ଠୀ, ସରକାରୀ ବିଭାଗ ଏବଂ ଘରୋଇ ସଂସ୍ଥା ସହଭାଗିତାରେ ଦାୟିତ୍ୱପୂର୍ଣ୍ଣ ପର୍ଯ୍ୟଟନ ପାଇଁ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରିବେ। ଅନୁମତି ପ୍ରଦାନ, ବାସସ୍ଥାନ ବୁକିଂ, ପରିବହନ ବ୍ୟବସ୍ଥା ଏବଂ ଟୁର୍ ଗାଇଡ୍ ଭଳି ପର୍ଯ୍ୟଟନ ସେବାକୁ ସୁଗମ କରିବା ପାଇଁ ବ୍ୟାପକ ବ୍ୟବସ୍ଥା ବିକଶିତ କରାଯିବ।
ସୂଚନା ମୁତାବକ ରାଜ୍ୟରେ ୧୯ଟି ସଂରକ୍ଷିତ ଅଞ୍ଚଳ ଏବଂ ୨ଟି ଜାତୀୟ ଉଦ୍ୟାନ ତଥା ୨୦ଟି ରାଜସ୍ୱ ଜିଲ୍ଲାରେ ୫୧ଟି ପରିବେଶ ପର୍ଯ୍ୟଟନସ୍ଥଳୀରେ ପ୍ରକୃତି ଶିବିର ରହିଛି । ସେଠାରେ ୪୪୬ ରୁମ୍ରେ ୨୩୦୬ ପର୍ଯ୍ୟଟକ ରହିବାର ବ୍ୟବସ୍ଥା ରହିଛି।
ସେଠାରେ କ୍ୟାମ୍ପ୍, ସଫାରି, ଟ୍ରେକିଂ କରିବାକୁ ଅନୁମତି ପାଇଁ ପର୍ଯ୍ୟଟନ ଏବଂ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମଧ୍ୟରେ ଚୁକ୍ତିନାମା ହୋଇଛି। ଆତିଥେୟତା ପ୍ରଦାନ ଲାଗି ସ୍ଥାନୀୟ ଲୋକ, ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଦାୟିତ୍ୱ ଦିଆଯାଇଛି। ୬୭୦ରୁ ଅଧିକ କମ୍ୟୁନିଟି ସଦସ୍ୟଙ୍କୁ ସାମିଲ କରାଯାଇଛି। ଏହି ସ୍ଥାନ ପ୍ରତି ଅଧିକ ପର୍ଯ୍ୟଟକଙ୍କ ଆକର୍ଷଣ ବଢ଼ୁଥିବାରୁ ରାଜ୍ୟର ଆଉ କିଛି ସ୍ଥାନରେ ନୂଆ ପ୍ରକୃତି ଶିବିର ନିର୍ମାଣଧୀନ ସହ କିଛି ନୂଆ ଖୋଲିବା ଲାଗି ଯୋଜନା ହେଉଛି। ସେହିପରି ଆଗକୁ ସବୁ ଅଭୟାରଣ୍ୟ ତଥା ସଂରକ୍ଷିତ ଅଞ୍ଚଳ ଜନବସତିକୁ ହଟାଇ ଦିଆଯିବ ବୋଲି ବନ ବିଭାଗ କହିଛି।
ଓଡ଼ିଶାର ପର୍ଯ୍ୟଟନର ବିକାଶ ସହିତ ଏହାର ରାଜଧାନୀ ଭୁବନେଶ୍ୱର ବି କାୟାକଳ୍ପ ପରିବର୍ତ୍ତନ କରିବା ପାଇଁ କାମ ଜାରି ରହିଛି। ଭୁବନେଶ୍ୱରକୁ ଏକ ସମୃଦ୍ଧ ସହର ଭାବେ ଗଢ଼ି ତୋଳିବା ପାଇଁ ଆକ୍ୱା ପାର୍କ, ଶିଳ୍ପ ଉଦ୍ୟୋଗ ସାଂଗକୁ ସୁଯୋଗାଯୋଗ ପାଇଁ ଚୌଡ଼ା ସଡ଼କର ନିର୍ମାଣ କାମ ଜାରି ରହିଛି।
ସହର ପରିକଳ୍ପନା ଯୋଜନା ବା ଟାଉନ ପ୍ଲାନିଂ ସ୍କିମ୍ (ଟିପି) ଯୋଜନା–୮ର ଚିଠି ଯୋଜନାକୁ ସରକାର ଶୁକ୍ରବାର ଅନୁମାଦନ ଦେଇଛନ୍ତି। ଯେଉଁଥିରେ ଅନ୍ଧାରୁଆ ଓ ଦାସପୁର ମୌଜାରେ ୫୬୦ ଏକର ଜମିରେ ଏହି ଟିପି–୮ କାର୍ଯ୍ୟକାରୀ ହେବ। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ବା ବିଡିଏ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବେ।
ଜମି ମାଲିକମାନେ ସେମାନଙ୍କ ଜମିର ୪୦% ସହରୀ ଭିତ୍ତିଭୂମି ପାଇଁ ଛାଡ଼ିବେ। ଆଉ ୬୦% ଅଞ୍ଚଳରେ ନିଜ ଘର କରିପାରିବେ। ସେମାନେ ଛାଡ଼ିଥିବା ୪୦% ଜମିରେ ପ୍ରଶସ୍ତ ରାସ୍ତା, ଡ୍ରେନେଜ, ଜଳଯୋଗାଣ, ସ୍ୱେରେଜ ଓ ବିଦ୍ୟୁତ ନେଟୱର୍କ ସହିତ ସମ୍ପୂର୍ଣ୍ଣ ଭିତ୍ତିଭୂମି ବିକାଶ କରାଯିବ। ଏହା ଯୋଜନାବଦ୍ଧ ସହର ସୃଷ୍ଟି କରିବା ସହ ଜମିର ବଜାର ମୂଲ୍ୟକୁ ବଢ଼ାଇବ ବୋଲି ବିଡିଏ ଉପାଧ୍ୟକ୍ଷ ଏନ ତିରୁମାଲା ନାୟକ କହିଛନ୍ତି। “ସମୃଦ୍ଧ ସହର’ ଗଢ଼ିବା ଲକ୍ଷ୍ୟରେ ଏହି ଯୋଜନାବଦ୍ଧ ବିକାଶ କରିବାକୁ ବିଡିଏ ଲକ୍ଷ୍ୟ ରଖିଛି । ସିଡିପି ୨୦୧୦ ପରିକଳ୍ପନା ଆଧାରରେ ଏହି ଯୋଜନା କାର୍ଯ୍ୟକାରୀ ହେବ। ଭୁବନେଶ୍ୱର ବିକାଶ ଅଞ୍ଚଳ ଚାରିପାଖରେ ୬୫ କିମିର ରିଙ୍ଗ ରୋଡ୍ କରିବାକୁ ମଧ୍ୟ ଯୋଜନା ରହିଛି। ରିଙ୍ଗ ରୋଡ୍ ପାଶ୍ୱର୍ରେ ଥିବା ରାଜସ୍ୱ ଗାଁରେ ଟିପି ସ୍କିମ୍ କାର୍ଯ୍ୟକାରୀ କରିବାକୁ ଯୋଜନା ଅଛି।
କେବଳ ସେତିକି ନୁହେଁ, ଭୁବନେଶ୍ୱରରେ ପାଣ୍ଡରା ଠାରେ ପ୍ରାୟ ୬୦ କୋଟି ଟଙ୍କାରେ ଅତ୍ୟାଧୁନିକ ମାଛ ମାର୍କେଟ ପାଇଁ ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରାଯାଇଛି। ୫୯ କୋଟି ୧୩ ଲକ୍ଷ ଟଙ୍କା ନିବେଶ ହେବ। ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା (PMMSY) ଅଧୀନରେ ଏହା ନିର୍ମିତ ହେବ। ଏଥିରେ ୩୦ କୋଟି ଟଙ୍କା କେନ୍ଦ୍ର ସରକାର ଓ ୨୯ କୋଟି ୧୩ ଲକ୍ଷ ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରିବେ । ଏଥିରେ ୧୪୩ ବ୍ୟବସାୟୀଙ୍କୁ ଉପକୃତ ହେବା ସହିତ ୨,୦୦୦ରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ। ଭୁବନେଶ୍ୱର ଓ କଟକ ଖାଉଟିଙ୍କର ଚାହିଦା ପୂରଣ ହୋଇପାରିବ। ୨୦୨୭ ନଭେମ୍ବର ମାସ ସୁଦ୍ଧା ଏହି ପ୍ରକଳ୍ପ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଇଣ୍ଟିଗ୍ରେଟେଡ୍ ଆକ୍ୱା ପାର୍କ ଏବଂ ହୋଲସେଲ୍ ମାଛ ବିକ୍ରୟ କେନ୍ଦ୍ର– ଏହି ଦୁଇଟି ପ୍ରକଳ୍ପ ମିଶି ପ୍ରଥମେ ଉତ୍ପାଦନ ପରେ ପ୍ରସ୍ତୁତି ଓ ବିପଣନ ପର୍ଯ୍ୟନ୍ତ ଏକ Value Chain ସୃଷ୍ଟି କରିବ । ଭାରତର ନୀଳ ବିପ୍ଲବ (Blue Revolution) ରେ ଅଗ୍ରଣୀ ରାଜ୍ୟ ଭାବେ ଓଡିଶା ସ୍ଥାନ ପାଇବ। ଓଡ଼ିଶାକୁ ପୂର୍ବ ଭାରତରେ ମାଛଚାଷର ଏକ ହବ୍ (Aquaculture Hub) ଭାବେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସେହିପରି ୧୦୦୦ ହେକ୍ଟର ଜମିରେ ତିଆରି ନୂଆ ଆଇଟି ପାର୍କ ତିଆରି ପାଇଁ କାମ ଚାଲିଛି। ରାଜ୍ୟର ୫ ବଡ ସହର ସମେତ ୧୧ଟି ସହରରେ ତିଆରି ହେବ ରିଙ୍ଗ ରୋଡ। ବ୍ରହ୍ମପୁରରୁ ଜୟପୁର ମଧ୍ୟରେ ନିର୍ମାଣ ହେବ ଗ୍ରୀନ ଫିଲ୍ଡ କରିଡର । ସେହିପରି ଦୀର୍ଘଦିନ ଧରି ଅବହେଳିତ ହୋଇ ପଡ଼ି ରହିଥିବା ଖଣ୍ଡିଗିରି ଓ ଉଦୟଗିରିର ବିକାଶ ପାଇଁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି)। ନିଗମ ପ୍ରସ୍ତୁତ କରିଥିବା ଡିପିଆର ଅନୁଯାୟୀ, ଗୁମ୍ଫା ପରିଦର୍ଶନ କରୁଥିବା ପର୍ଯ୍ୟଟକଙ୍କ ପାଇଁ ଅନେକ ନୂଆ ସୁବିଧା ପ୍ରସ୍ତାବ ଦେଇଛି। ଏଥିରେ ଯୋଡ଼ା ପାହାଡ଼ ମଧ୍ୟରେ ଉତ୍ତମ ସଂଯୋଗ, ଉନ୍ନତ ପ୍ରବେଶ ରାସ୍ତା, ପରିଦର୍ଶକ କ୍ଷେତ୍ର ଏବଂ ପ୍ରମୁଖ ସ୍ମାରକୀଗୁଡ଼ିକୁ ସଂଯୋଗ କରୁଥିବା ଏକ ଭଲ ଭାବରେ ଡିଜାଇନ୍ ହୋଇଥିବା ରାସ୍ତା ସାମିଲ ରହିଛି। ଏକ ନୂଆ ପରିଦର୍ଶକ ସୂଚନା କେନ୍ଦ୍ର, କାଫେଟେରିଆ, ବିଶ୍ରାମ କ୍ଷେତ୍ର ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଏକ ଆମ୍ଫିଥିଏଟର ନିର୍ମାଣ କରିବା ମଧ୍ୟ ପ୍ରସ୍ତାବରେ ରହିଛି। ଭିନ୍ନକ୍ଷମ ପରିଦର୍ଶକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ, ଯେଉଁଥିରେ ସ୍ୱତନ୍ତ୍ର ପଦଯାତ୍ରା ରାସ୍ତା ଏବଂ ବୈଦ୍ୟୁତିକ ଯାନବାହାନ ବ୍ୟବସ୍ଥା ମଧ୍ୟ ରହିବ।




