M

m

ପଶ୍ଚିମବଙ୍ଗରେ ପୁଣି ଥରେ ୨୦୨୪ରେ କୋଲକାତାରେ ଘଟିଥିବା ଆରଜି କର ମେଡିକାଲ କଲେଜ ଘଟଣାର ପୁନରାବୃତ୍ତି ଘଟିଛି । ଜଣେ ଓଡିଆ ମେଡିକାଲ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଛି ।

author-image

Medical student

Medical student Photograph: (OTV)

ପଶ୍ଚିମବଙ୍ଗର ଏକ ଘରୋଇ ମେଡିକାଲ କଲେଜର ଦ୍ୱିତୀୟ ବର୍ଷର ଛାତ୍ରୀଙ୍କୁ ହସ୍ପିଟାଲ ପରିସର ଭିତରକୁ ଟାଣି ନେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହା ୨୦୨୪ ମସିହାର ଆରଜି କର ମାମଲାର ପୁନରାବୃତ୍ତି ଘଟିଛି। ଯେଉଁଠାରେ ଜଣେ ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ପରେ ହତ୍ୟା କରାଯାଇଥିଲା।
ଉକ୍ତ ଯୁବତୀଙ୍କ ଘର ଓଡ଼ିଶାର ବାଲେଶ୍ବରର ଜଳେଶ୍ୱର ବୋଲି ଜଣା ପଡିଛି। ଯୁବତୀ ଜଣକ କୋଲକାତାରୁ ୧୭୦ କିଲୋମିଟର ଦୂରରେ ଅବସ୍ଥିତ ପଶ୍ଚିମବଙ୍ଗର ସବୁଠାରୁ ବଡ଼ ଶିଳ୍ପ କେନ୍ଦ୍ର ବର୍ଦ୍ଧମାନ ଜିଲ୍ଲାର ଦୁର୍ଗାପୁରର ଶୋଭାପୁର ନିକଟରେ ଅବସ୍ଥିତ ଏକ ଘରୋଇ ମେଡିକାଲ କଲେଜରେ MBBS ପଢୁଛନ୍ତି। 
ସୂଚନା ଅନୁଯାୟୀ, ଛାତ୍ରୀ ଜଣକ ଶୁକ୍ରବାର ରାତି ୮.୩୦ ସମୟରେ ତାଙ୍କ ପୁରୁଷ ବନ୍ଧୁଙ୍କ ସହ କ୍ୟାମ୍ପସରୁ ବାହାରକୁ ଆସିଥିଲେ। କ୍ୟାମ୍ପସ ଗେଟ୍ ନିକଟରେ, ଜଣେ ବ୍ୟକ୍ତି ତାଙ୍କୁ ହସ୍ପିଟାଲ ପଛପଟେ ଏକ ନିର୍ଜନ ସ୍ଥାନକୁ ଟାଣି ନେଇ ଦୁଷ୍କର୍ମ କରିଥିଲେ।
ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୀଡିତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 
ପୋଲିସ ମେଡିକାଲ କଲେଜର କର୍ମଚାରୀ ଏବଂ ଯୁବତୀଙ୍କ ସହିତ ଆସିଥିବା ପୁରୁଷ ବନ୍ଧୁ ସମେତ ଅନ୍ୟ ବ୍ୟକ୍ତିମାନଙ୍କୁ ମଧ୍ୟ ପଚରାଉଚରା ଆରମ୍ଭ କରିଛି।

‘କ୍ୟାମ୍ପସରେ କୌଣସି ସୁରକ୍ଷା ନାହିଁ’

ଡାକ୍ତରୀ ଛାତ୍ରୀଙ୍କ ବାପା ଗଣମାଧ୍ୟମରେ କହିଛନ୍ତି ଯେ ତାଙ୍କ ଝିଅର ସାଙ୍ଗ ତାଙ୍କୁ ଏହି ଘଟଣା ବିଷୟରେ ଜଣାଇଥିଲେ। “ଯେତେବେଳେ ମୁଁ ସେଠାରେ ପହଞ୍ଚିଲି, ମୋ ଝିଅର ଅବସ୍ଥା ଗୁରୁତର ଥିଲା, ଏବଂ ହସ୍ପିଟାଲ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିଲା,” ସେ ଅଭିଯୋଗ କରିଛନ୍ତି।
ସେ ଆହୁରି କହିଛନ୍ତି ଯେ ତାଙ୍କ ଝିଅଙ୍କର ପୁରୁଷବନ୍ଧୁ ୱାସିଫ ଅଲି ତାଙ୍କୁ ଭେଟିବାକୁ ଡାକିଥିବାରୁ ସେ କ୍ୟାମ୍ପସ ବାହାରକୁ ଗୁପଚୁପ୍ ଖାଇବାକୁ ଯାଇଥିଲେ। 

“ଯେତେବେଳେ ସେ କ୍ୟାମ୍ପସ ଗେଟ୍ ପାଖରେ ପହଞ୍ଚିଲେ, ସେଠାରେ ପ୍ରାୟ ଚାରିରୁ ପାଞ୍ଚ ଜଣ ବ୍ୟକ୍ତି ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ତାଙ୍କୁ ଦୁଷ୍କର୍ମ କରିଥିଲେତାଙ୍କ ମୋବାଇଲ୍ ଫୋନ୍ ଛଡ଼ାଇ ନେଇଥିଲେ ଏବଂ ଫେରସ୍ତ କରିବା ପାଇଁ ୩ ହଜାର ଟଙ୍କା ଦାବି କରିଥିଲେ। କିନ୍ତୁ ପରେ ତାଙ୍କ ଝିଅ ସହିତ ଥିବା ତାଙ୍କ ପୁରୁଷବନ୍ଧୁ ଜଣକ ତାଙ୍କୁ ଫେରାଇ ଆଣିଥିଲେ।

ଯୁବତୀଙ୍କ ବାପା କହିଛନ୍ତି ଯେ “ମୋ ଝିଅକୁ ଡାକ୍ତର କରିବା ପାଇଁ ଉକ୍ତ କଲେଜରେ ନାମ ଲେଖାଇଥିଲି। ମୁଁ ମୋ ଝିଅ ପାଇଁ ନ୍ୟାୟ ଚାହୁଁଛି ଯାହା ଦ୍ଵାରା ଏଭଳି ଘଟଣା ଅନ୍ୟ କୌଣସି ଝିଅ ସହିତ ନ ଘଟେ। କ୍ୟାମ୍ପସରେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ନାହିଁ,” ବୋଲି ସେ ଆହୁରି ଅଭିଯୋଗ କରିଛନ୍ତି।

ତଥାପି, ପୋଲିସ ଏହି ମାମଲାରେ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଜାରି କରିନାହିଁ। ସୂତ୍ର ଅନୁଯାୟୀ ତଦନ୍ତକାରୀ ଟିମ୍ ଘଟଣାର ବିଭିନ୍ନ ଦିଗକୁ ଯାଞ୍ଚ କରୁଛନ୍ତି।

ସୂଚନାଯୋଗ୍ୟ, ଦିନକୁ ଦିନ ପଶ୍ଚିମବଙ୍ଗରେ ମହିଳା ବିରୋଧୀ ହିଂସା ବଢିବାରେ ଲାଗିଛି। ଜୁଲାଇ ମାସରେ ଦକ୍ଷିଣ କଲିକତା ଆଇନ କଲେଜ ପରିସରରେ ଜଣେ ଆଇନ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ସେହିପରି କୋଲକାତାର ପ୍ରସିଦ୍ଧ ଆରଜି କର ମେଡିକାଲ କଲେଜ ଭିତରେ ଜଣେ ୨୬ ବର୍ଷୀୟ ପୋଷ୍ଟ ଗ୍ରାଜୁଏଟ୍ ଛାତ୍ରୀଙ୍କୁ ଦୁଷ୍କର୍ମ ଏବଂ ହତ୍ୟା କରାଯାଇଥିଲା। (Woman Raped)

Scroll to Top