ଅଜରବୈଜାନ ଯାତ୍ରୀ ବିମାନ ଦୁର୍ଘଟଣା ମାମଲା: ପ୍ରଥମ ଥର ଭୁଲ ସ୍ୱୀକାର କଲେ ପୁଟିନ, ମାଗିଲେ କ୍ଷମା

ଅଜରବୈଜାନ-ଯାତ୍ରୀ-ବିମାନ-ଦୁର୍ଘଟଣା-ମାମଲା:-ପ୍ରଥମ-ଥର-ଭୁଲ-ସ୍ୱୀକାର-କଲେ-ପୁଟିନ,-ମାଗିଲେ-କ୍ଷମା

ଦୁସାମ୍ବେ ୧୦।୧୦: ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ପ୍ରଥମ ଥର ବାକୁ-ଗ୍ରୋଜ୍ନୀ ଅଜରବୈଜାନ ଯାତ୍ରୀ ବିମାନ ଦୁର୍ଘଟଣା ଋଷୀୟ ଏୟାରଡିଫେନ୍ସ ସିଷ୍ଟମ ଯୋଗୁ ହୋଇଥିବା ସ୍ୱୀକାର କରିଛନ୍ତି। ଏଥି ପାଇଁ ପୁଟିନ ଅଜରବୈଜାନ ରାଷ୍ଟ୍ରପତି ଇଲହାମ ଅଲିୟେଭଙ୍କୁ ପ୍ରଥମ ଅଧିକାରୀକ କ୍ଷମାଯାଚନା କରିଛନ୍ତି ଓ ଦୁର୍ଘଟଣାରେ ମୃତକଙ୍କ ପରିବାର ନିମନ୍ତେ କ୍ଷତିପୂରଣର ପ୍ରତିଶ୍ରୁତି ଦେଇଛନ୍ତି।

ଡିସେମ୍ବର ୨୦୨୪ରେ ଆଜରବୈଜାନର ଏକ ଯାତ୍ରୀବାହୀ ବିମାନ ଋଷିଆର ଏୟାରଡିଫେନ୍ସ ସିଷ୍ଟମର ଭୁଲ ପାଇଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବିମାନଟି ବାକୁରୁ ଗ୍ରୋଜ୍ନୀ ଯାଉଥିଲା, ଯେଉଁଥିରେ ୬୭ ଜଣ ଯାତ୍ରୀ ଥିଲେ ଓ ଏହି ଦୁର୍ଘଟଣାରେ ୩୮ ଜଣଙ୍କ ମୃତ୍ୟୁ ହୋଇଥିଲା। ପୁଟିନ ସ୍ପଷ୍ଟ ରୂପେ କହିଛନ୍ତି ଯେ ଋଷୀୟ ଏୟାରଡିଫେନ୍ସ ସିଷ୍ଟମ ୟୁକ୍ରେନ ଡ୍ରୋନକୁ ଟାର୍ଗେଟ୍ କରି  ମିଜାଇଲ ନିକ୍ଷେପ କରିଥିଲା, ତେବେ ମିଜାଇଲଟି ବିମାନ ନିକଟରେ ବିସ୍ଫୋରଣ ହୋଇଯାଇଥିଲା। ଫଳରେ ବିମାନଟି ପଶ୍ଚିମ କାଜାକିସ୍ତାନରେ କ୍ରାସ ହୋଇଯାଇଥିଲା।

ତେବେ ପୁଟିନ ପ୍ରଥମେ ଏହାକୁ ଦୁଃଖଦ ଘଟଣା ବୋଲି କହିଥିଲେ। ହେଲେ ଏଥି ପାଇଁ କୌଣସି ଅଭିଯୋଗକୁ ସ୍ୱୀକାର କରିନଥିଲେ। ଦୁର୍ଘଟଣା ପରେ ଋଷିଆ ଉପରେ ସତ୍ୟ ଲୁଚାଇବା ଓ ତଥ୍ୟକୁ ଦବାଇବାର ଅଭିଯୋଗ କରିଥିଲା ଅଜରବୈଜାନ। ଫଳରେ ଦୁଇ ଦେଶଙ୍କ ଗଭୀର ସମ୍ପର୍କ ତିକ୍ତ ହୋଇଥିଲା। ତେବେ ଦୁସାମ୍ବେରେ ପୁଟିନଙ୍କ ସହ ବୈଠକରେ ଅଲିୟେଭ ଏହି ଘଟଣାର ଅଜରବୈଜାନ ନିରପେକ୍ଷ ତଦନ୍ତ ଦାବି କରୁଥିବା ସଫାସଫା କହିବା ପରେ ପୁଟିନ ଭୁଲ ସ୍ୱୀକାର କରିବା ସହ କ୍ଷମାଯାଚନା କରିଛନ୍ତି।

ତେବେ ଏକ୍ସପର୍ଟଙ୍କ କହିବା କଥା ହେଉଛି ପୁଟିନଙ୍କ କ୍ଷମାଯାଚନା କୁଟନୈତିକ ଉତ୍ତେଜନାକୁ ହ୍ରାସ କରିବା ଓ ପାରସ୍ପରିକ ବିଶ୍ୱାସ ଜନ୍ମାଇବା ପାଇଁ ଏକ ପଦକ୍ଷେପ। ସେମାନଙ୍କ କହିବା କଥା ହେଉଛି ଏହି ପଦକ୍ଷେପ ଋଷିଆ-ଅଜରବୈଜାନ ସମ୍ପର୍କକୁ ସ୍ଥିର କରିବା ଦିଗକୁ ଇସାରା କରୁଛି। ଏବେ ଦୁଇ ଦେଶ ଆଶା କରନ୍ତି ଯେ ଏହି ଘଟଣାରୁ ଶିକ୍ଷା ନେଇ ସୁରକ୍ଷା ଉପାୟ ଓ ସହଯୋଗକୁ ଆହୁରି ମଜଭୁତ କରାଯିବ, ଯାହା ଦ୍ୱାରା ଭବିଷ୍ୟତରେ ଏପରି ବିପତ୍ତି ଯେପରି ଦୋହରା ନଯିବ।

ଉଲ୍ଲେଖଯୋଗ୍ୟ ଯେ ଏହି ଦୁର୍ଘଟଣା ପୂର୍ବରୁ ଦୁଇ ଦେଶଙ୍କ ସମ୍ପର୍କ ଅତ୍ୟନ୍ତ ମଜଭୁତ ଥିଲା। ଖାସ କରି ବାଣିଜ୍ୟ, ଶକ୍ତି ଓ ରଣନୈତିକ ଭାବେ ଦୁଇ ଦେଶ ଭାଗିଦାର ଥିଲେ। ହେଲେ ଏହି ଦୁର୍ଘଟଣା ବିଶ୍ୱାସର ନିଅଁକୁ ଦୋହଲାଇ ଦେଇଥିଲା। ଏହି ଘଟଣା ପରେ ଅଜରବୈଜାନ ନିଜ ନାଗରିକଙ୍କ ସୁରକ୍ଷା ଓ ଋଷୀୟ ଗତିବିଦ୍ଧି ଉପରେ କଡ଼ା ନଜର ରଖିବା ଆରମ୍ଭ କରିଥିଲା। ଋଷିଆରେ ବସବାସ କରୁଥିବା ଅଜରବୈଜାନ ନାଗରିକ ମଧ୍ୟ ଏହି ଘଟଣାରେ ଅସନ୍ତୁଷ୍ଟ ହୋଇପଡିଥିଲେ।   

Scroll to Top